

ଖବର ଅନୁଯାୟୀ ୨୦ ନମ୍ବର ଜାତୀୟ ରାଜପଥର ଆନନ୍ଦପୁର – ବେଲବାହାଳି କୁଶେଇ ପୋଲର ମରାମତି ନିମନ୍ତେ ଉକ୍ତ ରାଜପଥ ଉପରେ ସମସ୍ତ ଗାଡି ମୋଟର ଯାନକୁ ୪ ଦିନ ପାଇଁ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଛି । ସରକାରଙ୍କ ରାଜସ୍ୱ ବୃଦ୍ଧି ନା ଟ୍ରକ ମାଲିକଙ୍କୁ ମାଲେମାଲ କରିବା ପାଇଁ କାହା ସ୍ୱାର୍ଥରେ ଜନସାଧାରଣଙ୍କ ଜୀବନ ଜୀବିକା ଉପରେ ଦୃଷ୍ଟି ଦିଆନଯାଇ ପ୍ରଶାସନ ପକ୍ଷରୁ ନରଣପୁର ଠାରୁ ବ୍ରାହ୍ମଣୀପାଳ ଭିଆଇପି ରାସ୍ତାରେ ଭାରିଯାନ ଚଳାଚଳ କରିବାକୁ ଅନୁମତି ପ୍ରଦାନ କରାଗଲା ତାହାକୁ ନେଇ ଜନସାଧାରଣରେ ଉଠୁଛି ବଡ ପ୍ରଶ୍ନ । । ଭିଆଇପି ରାସ୍ତାର ମାନ୍ୟତା ପାଇଥିବା ଏହି ରାସ୍ତାରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ କରୁଥିବା ଯାନ ବ୍ୟତିତ ଅନ୍ୟ କୈାଣସି ଭାରି ପଣ୍ୟବାହୀ ଯାନ ଚଳାଚଳକୁ ପ୍ରଶାସନ ପକ୍ଷରୁ ନିଷେଧ କରାଯାଇଥିଲା । ହେଲେ ଲୋକଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ନରଣପୁର-ବ୍ରାହ୍ମଣୀପାଳ ରାସ୍ତାରେ ଏବେ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ଲୁହାପଥର ସହ ଅନ୍ୟାନ୍ୟ ସାମଗ୍ରୀ ପରିବହନ ଭାରିଯାନ ଟ୍ରକ୍ ଚଳାଚଳ କରୁଛନ୍ତି । ଯାହା ଫଳରେ ନରଣପୁର ଠାରୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ରାସ୍ତା ଜାମ୍ ହୋଇରହୁଥିବା ବେଳେ ଅତି ଆବଶ୍ୟକୀୟ ଯାନ ତଥା ଆମ୍ବୁଲାନ୍ସ, କ୍ଷୀର ଗାଡି ଭଳି ଜରୁରୀକାଳିନ ଗାଡିଗୁଡିକ ଯାତାୟତରେ ବାଧା ସୃଷ୍ଟି ହେଉଥିବା ନଜିର ରହିଛି । ଏଥିସହ ଟ୍ରାଫିକ୍ ସମସ୍ୟା ପାଇଁ ନରଣପୁର ଠାରୁ ହରିଚନ୍ଦନପୁରକୁ ମାତ୍ର ୩୦ କି.ମି ରାସ୍ତାକୁ ଅତିକ୍ରମ କରିବା ପାଇଁ ବର୍ତମାନ ୪ରୁ ୫ ଘଣ୍ଟା ସମୟ ଲାଗୁଛି । ଏହି ରାସ୍ତାରେ ଭାରିଯାନ ଚଳାଚଳକୁ ପ୍ରଶାସନ ପକ୍ଷରୁ ଅନୁମତି ମିଳିବା ପରେ ହରିଚନ୍ଦନପୁର ଠାରୁ ଘଟଗାଁ ଓ ହରିଚନ୍ଦନପୁର ଠାରୁ ବାରାହାଟିପୁରା ଦେଇ ଢେଙ୍କିକୋଟ ରାସ୍ତାରେ ଶହ ଶହ ଭାରିଯାନ ଚଳାଚଳ କରୁଥିବା ଦେଖିବାକୁ ମିଳିଛି । ଏହି ସବୁ ରାସ୍ତାରେ ଭାରିଯାନ ଚଳାଚଳ ଯୋଗୁଁ ରାସ୍ତାର ଅବସ୍ଥା କ୍ରମଶଃ ଖରାପ ହେବା ସହ ଛୋଟ ବଡ ଦୁର୍ଘଟଣା ବୃଦ୍ଧି ପାଇବାକୁ ବସିଛି । ଯାହାକୁ ନେଇ ଦିନକୁ ଦିନ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି । ତେଣୁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଯଥାଶୀଘ୍ର ଏହି ରାସ୍ତା ଗୁଡିକରେ ଅତ୍ୟାବଶ୍ୟକୀୟ ଯାନ ବ୍ୟତିତ ଲୁହାପଥର ପରିବହନକାରୀ ଭାରିଯାନ ଚଳାଚଳକୁ ବନ୍ଦ କରିବା ପାଇଁ ଜନସାଧାରଣ ସହ ବୃଦ୍ଧିଜୀବି ମହଲରେ ଦାବି ହୋଇଛି ।