ଖବର ଅନୁଯାୟୀ ଗତ ମଙ୍ଗଳବାର ଅପରାହ୍ନ ସମୟରେ ଶଗଡପଟା ଗ୍ରାମର ଜଗନ୍ନାଥ ମହାପାତ୍ର (ବୁଟୁ) ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗାଈ ଚରାଉଥିବା ବେଳେ ଅଚାନକ ଏକ ବଣୁଆ ହାତୀ ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଥିଲେ । ସନ୍ଧ୍ୟା ପର୍ଯ୍ୟନ୍ତ ଜଗନ୍ନାଥ ଘରକୁ ନଫେରିବା ଦେଖି ପରିବାର ଲୋକ ଅନେକ ଖୋଜାଖୋଜି କରିବା ପରେ ଜଙ୍ଗଲ ମଧ୍ୟରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ବନବିଭାଗକୁ ସୂଚନା ଦେବା ସହ ତାଙ୍କୁ ଗୁରୁତର ଅବସ୍ଥାରେ ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ନିମନ୍ତେ ପରବର୍ତି ସମୟରେ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ଚିକିତ୍ସା ପରେ ବର୍ତ୍ତମାନ ଜଗନ୍ନାଥଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ଜଣାପଡିଛି ।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ନରଣପୁର ଠାରୁ ବ୍ରାହ୍ମଣୀପାଳ ଭିଆଇପି ରାସ୍ତାରେ ପ୍ରଶାସନର ଅନୁମତି ପରେ ୩ ଦିନ ହେବ ଭାରିଯାନ ଚଳାଚଳ ବୃଦ୍ଧି ତଥା ରାସ୍ତା ଜାମ କାରଣରୁ ହାତୀପଲ ରାସ୍ତା ପାର୍ ହୋଇ ଘଞ୍ଚ ଜଙ୍ଗଲ ମଧ୍ୟକୁ ଯାଇନପାରି ଗ୍ରାମ ନିକଟସ୍ଥ ଜଙ୍ଗଲରେ ରହିଯାଇଥିଲେ । ଯାହାକୁ ନେଇ ଜଗନ୍ନାଥ ବଣୁଆ ହାତୀ ଆକ୍ରମଣର ଶିକାର ହୋଇଛନ୍ତି ବୋଲି ଗ୍ରାମବାସୀ ସୂଚନା ଦେଇଛନ୍ତି ।