
ବ୍ରହ୍ମପୁର : ଦୀର୍ଘଦିନଧରି ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ଠାରେ ଥିବା ଏମ୍କେସିଜି ମେଡିକାଲ୍ କଲେଜ ଓ ହସ୍ପିଟାଲର ଓପିଡି ବନ୍ଦ ହେବାରୁ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ଘଟିଛି । କରୋନା ଭୁତାଣୁ ସଂକ୍ରମଣରେ ଏମ୍କେସିଜିର ୧୦୦ରୁ ଊର୍ଦ୍ଧ୍ୱ ଡାକ୍ତର, ନର୍ସ, ପାରାମେଡିକାଲ୍ କର୍ମଚାରୀ ସଂକ୍ରମିତ ହେବାପରେ ଜିଲ୍ଲା ପ୍ରଶାସନ ଓ ଏମ୍କେସିଜି କର୍ତ୍ତୃପକ୍ଷ ଗତ ୧୨ତାରିଖ ଠାରୁ ଓପିଡି ସେବା ବନ୍ଦ କରିଛନ୍ତି । ଜରୁରୀକାଳୀନ ସେବା ଛାଡିଦେଲେ ଆଉ ସମସ୍ତ ସେବା ବନ୍ଦ ରହିଛି । ଏପରିକି ବିଭିନ୍ନ ବିଭାଗରେ ଅସ୍ତ୍ରପ୍ରଚାରକୁ ମଧ୍ୟ ବନ୍ଦ ହୋଇଛି । ସେପଟେ ଜିଲ୍ଲାରେ କରୋନା ରୋଗୀକୁ ଛାଡିଦେଲେ ଅନ୍ୟରୋଗୀମାନେ ସ୍ୱାସ୍ଥ୍ୟସେବା ନପାଇ ମୃତ୍ୟୁମୁଖରେ ପଡୁଛନ୍ତି । ଏନେଇ ଗତ କିଛିଦିନତଳେ ଜିଲ୍ଲା ବିଜେପି ସ୍ୱାସ୍ଥ୍ୟସେଲ୍ ପକ୍ଷରୁ ତୁରନ୍ତ ଓପିଡି ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦକ୍ଷିଣାଞ୍ଚଳ ରାଜସ୍ୱ କିଶନରଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଦାବି ପୂରଣ ନହେଲେ ଧାରଣା ଦିଆଯିବ ବୋଲି ମଧ୍ୟ ସ୍ୱାସ୍ଥ୍ୟସେଲ୍ ପକ୍ଷରୁ ଚେତାବନୀ ଦିଆଯାଇଥିଲା । ରାଜ୍ୟ ସରକାର କୌଣସି ଦୃଷ୍ଟି ନଦେବାରୁ ମଙ୍ଗଳବାର ସକାଳେ ପୂର୍ବ ପ୍ରସ୍ତୁତି ପ୍ରକାରେ ଜିଲ୍ଲା ବିଜେପି ସ୍ୱାସ୍ଥ୍ୟସେଲ୍ ସଭାପତି ରାମ ପାତ୍ର ଓ ତାଙ୍କର ସହଯୋଗୀମାନେ ଆର୍ଡିସିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓପିଡି ତୁରନ୍ତ ଖୋଲିବା ଦାବିକରି ଧାରଣାରେ ବସିଥିଲେ । କିଛି ସମୟପରେ ବୈଦ୍ୟନାଥପୁର ପୋଲିସ ଘଟଣାସ୍ଥଳରେ ପହଞ୍ôଚ ଧାରଣାରତକୁ ବୁଝାସୁଝା କରିବା ସହ ଥାନାକୁ ଆଣି କିଛି ସମୟପରେ ଛାଡିଥିଲେ । ଶ୍ରୀ ପାତ୍ରଙ୍କ ସମେତ ଗୌରୀଶଙ୍କର ମହାନ୍ତି, ହରେକୃଷ୍ଣ ବେହେରା, ମୂରଲୀ କ୍ରିଷ୍ଣା, ଭଗବାନ ଭୂୟାଁ, ମଧୁସୂଦନ ସାହୁ, ରବି ରାଓଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।