-
ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଏତଲା ଦେଲା ଜିଲ୍ଲା କଂଗ୍ରେସ
ବ୍ରହ୍ମପୁର : ପୁରୁଣା ବ୍ରହ୍ମପୁର ଅଞ୍ଚଳ ପ୍ରହଲ୍ଲାଦ ନଗର ବାସିନ୍ଦା ମନୋଜ ପ୍ରହରାଜଙ୍କ ଅକାଳ ମୃତ୍ୟୁ ହୋଇଛି । ମଧୁମେହ ରୋଗରେ ପୀଡିତ ମନୋଜଙ୍କ ସ୍ୱାସ୍ଥ୍ୟ ଗୁରୁତର ହେବାରୁ ୧୦୮ ଆମ୍ବୁଲାନ୍ସ ଡକାଇଥିଲେ । ଆମ୍ବୁଲାନ୍ସ ଆସିଲା କିନ୍ତୁ ରୋଗୀଙ୍କୁ ଡାକ୍ତରଖାନା ନେଲା ନାହିଁ । ଘଣ୍ଟାଏ କାଳ ବାରଣ୍ଡାରେ ରୋଗୀ ପଡି ଛଟପଟ ହୋଇ ପ୍ରାଣତ୍ୟାଗ କଲେ । ଏଥିପାଇଁ ସରକାର ଦାୟୀ ବୋଲି ଜିଲ୍ଲା କଂଗ୍ରେସ ଅନୁଭବ କରୁଛି । ଠିକ୍ ସେପରି ଶ୍ରୀରାମ ନଗର ଅଞ୍ଚଳର ଜଣେ ବୃଦ୍ଧ ଶିବପ୍ରସାଦ ସାବତ କୌଣସି କାରଣରୁ ରାସ୍ତା ଉପରେ ଚେତାଶୂନ୍ୟ ହୋଇ ପଡିଗଲେ । ଆମ୍ବୁଲାନ୍ସ ଆସିଲା କିନ୍ତୁ କରୋନା ସନ୍ଦେହରେ ଆମ୍ବୁଲାନ୍ସ ଉକ୍ତ ବୃଦ୍ଧ ଲୋକଟିକୁ ମେଡିକାଲ୍ ନନେଇ ଚାଲିଗଲା । ବୃଦ୍ଧ ଲୋକଟି ପ୍ରାୟ ୧୫ଘଣ୍ଟା ପଡି ରହିବା ପରେ ଜୀବନ ହାରିଥିଲେ । ଅତଏବ ଏହି ୨ଟି ଯାକ ଘଟଣା ସରକାରଙ୍କ ଅବହେଳା ଓ ତାଙ୍କ ନୀତି ତଥା ବେପରୁଆ ମନୋଭାବ ଯୋଗୁ ଉକ୍ତ ମୂଲ୍ୟବାନ ଜୀବନ ୨ଟି ଅକାଳରେ ଚାଲିଗଲା । ଏଣୁ ସରକାର ବା ତାଙ୍କ ପ୍ରତିନିଧିଙ୍କ ବିରୋଧରେ ଯିଏ ଏହି ଘଟଣାରେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ଜଡିତ ତାଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରି ଆଇନ୍ଗତ ପଦକ୍ଷେପ ନେବାକୁ ଓ ଉକ୍ତ ୨ ପରିବାରକୁ ୨୦ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବା ପାଇଁ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ଏତଲା ବଡ ବଜାର ଥାନାରେ ପ୍ରଦାନ କରାଯାଇଛି । ଏତଲା ପ୍ରଦାନ ସମୟରେ କଂଗ୍ରେସ ନେତା ପୀତବାସ ପଣ୍ଡା, ପ୍ରମୋଦ ଜେନା, ଭୋକାଲି ସେଠୀ, ଉଦୟ ପାଣିଗ୍ରାହୀ, ସାଇପ୍ରସାଦ ପାତ୍ର, ଭୀମରାଜୁ ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ ।