
ମାଲକାନଗିରି – ମାଲକାନଗିରି ବର୍ଡର ଡିଭିଜନର ସଂପାଦକ ବେଣୁ ଏକ ଅଡିଓ ଟେପରେ ସହିଦ ସପ୍ତାହ ପାଳନ ପାଇଁ ଆହ୍ବାନ ଦେଇଛନ୍ତି। ବିଭିନ୍ନ ଗ୍ରାମରେ ଲୋକେ ଏକତ୍ରିତ ହୋଇ ଏହି ଦିବସ ପାଳନ କରିବାକୁ ସେ କହିଛନ୍ତି। ଗତ ଜୁଲାଇ ୨୦୧୯ଠାରୁ ଜୁଲାଇ ୨୦୨୦ ପର୍ଯ୍ୟନ୍ତ ପ୍ରାୟ ୫୦ରୁ ଊର୍ଦ୍ଧ୍ବ ମାଓବାଦୀଙ୍କର ଜୀବନ ଯାଇଥିବା ସଂଗଠନ ସ୍ବୀକାର କରିଛି। ଏହି ସହିଦମାନଙ୍କ ଉଦ୍ଦେଶ୍ୟରେ ଦୁର୍ଗମ ଗ୍ରାମଗୁଡ଼ିକରେ ନାଚଗୀତ ମାଧ୍ୟମରେ ସହିଦ ସପ୍ତାହ ପାଳନ କରାଯିବ। ଗାଁ ଗାଁରେ ସହିଦ ସ୍ତମ୍ଭ ନିର୍ମାଣ କରି ସହିଦଙ୍କ ସ୍ମୃତିଚାରଣ କରାଯିବ। ମାଲକାନଗିରି ଏବଂ ଛତିଶଗଡ଼ ସୀମାରେ ମାଓବାଦୀଙ୍କ ପତିଆରା ରହିଥିବା ଯୋଗୁଁ ସୀମାନ୍ତ ଗ୍ରାମଗୁଡ଼ିକରେ ମାଓବାଦୀ ପହଞ୍ଚି ଲୋକଙ୍କୁ ଏକତ୍ରିତ କରିବେ ବୋଲି ଜଣାପଡ଼ିଛି। ସଂପାଦକ ବେଣୁ କିନ୍ତୁ ଲୋକମାନଙ୍କୁ କରୋନାରୁ ସୁରକ୍ଷିତ ରହିବା ପାଇଁ ମୁହଁରେ ମାସ୍କ ପିନ୍ଧିବା ସହ ସହିଦ ସପ୍ତାହ ବେଳେ ଭିଡ଼ ନ କରିବା ପାଇଁ ଅନୁରୋଧ କରିଛନ୍ତି। ଅଡିଓ ଟେପ୍ରେ ସରକାରଙ୍କର ବିଭିନ୍ନ ଯୋଜନାକୁ ବିରୋଧ କରିବା ସହ ଗ୍ରୀନହଣ୍ଟ ଜରିଆରେ ବହୁ ମାଓବାଦୀଙ୍କୁ ହତ୍ୟା କରାଯାଇଥିବା କୁହାଯାଇଛି। ଗାଁ ଗାଁରେ ଜଳ, ଜମି ଓ ଜଙ୍ଗଲକୁ ବଞ୍ଚାଇବା ପାଇଁ ଲୋକଙ୍କୁ ଆନ୍ଦୋଳନରେ ସାମିଲ ହେବାକୁ କହିବା ସହ ଏହି ଆନ୍ଦୋଳନ ଜାରି ରହିବ ବୋଲି ମାଓ ନେତା ବେଣୁ କହିଛନ୍ତି।