-
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସହଯୋଗ ନେବାକୁ ଦେଲେ ପରାମର୍ଶ
ଭୁବନେଶ୍ୱର– ଚଳିତ ମାସ ୨୭ ତାରିଖ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୫୦ରେ ପହଂଚିବା ଚିନ୍ତାର ବିଷୟ । କ୍ୱାରେଂଟାଇନ୍ ମାମଲା ବାଦ୍ ଲୋକାଲ୍ କରୋନା କେସ୍ ଦ୍ରୁତ ବେଗରେ ବଢୁଛି । ରାଜଧାନୀର ବସ୍ତି ଗୁଡ଼ିକରୁ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ବାରମ୍ବାର ଫୋନ କରି ଡାକ୍ତରୀ ସହାୟତା ମାଗିଲେ ମଧ୍ୟ ସୁବିଧା ମିଳୁନଥିବା ଅଭିଯୋଗ ଆସୁଛି । ଆକ୍ରାନ୍ତଙ୍କ କଂଟ୍ରାକ୍ଟ୍ ଟ୍ରେସିଂ ବ୍ୟବସ୍ଥା ରାଜଧାନୀରେ ସଠିକ୍ ଭାବରେ ପରିଚାଳନା ହୋଇପାରୁନଥିବାରୁ ଗୋଷ୍ଠୀ ସଂକ୍ରମଣ ହେବାର ଭୟ ଦେଖାଯାଇଛି । କରୋନା ବ୍ୟତୀତ ଅନ୍ୟାନ୍ୟ ସାଧାରଣ ଓ ଗୁରୁତର ରୋଗୀ ମାନଙ୍କୁ ଚିକିତ୍ସା ସୁବିଧା ମିଳୁନି । ଏପରି ସ୍ଥିତିରେ ଭୁବନେଶ୍ୱରରେ ଗୁରୁତର କରୋନା ପରିସ୍ଥିତିର ମୁକାବିଲା ପାଇଁ କେନ୍ଦ୍ର ସରକାର ବିଶେଷ ଭାବରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସହଯୋଗ ଲୋଡ଼ିବାକୁ ଅନୁରୋଧ କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ନିବେଦନ କରିଛନ୍ତି ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ ।
ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିଂ କହିଛନ୍ତି ଯେ, ନୂଆଦିଲ୍ଲୀରେ ସ୍ଥିତି ସଙ୍ଗୀନ ହେଉଥିବା ବେଳେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କରୋନା ପରିଚାଳନା ଓ ନିୟନ୍ତ୍ରଣ ପାଇଁ ନୂଆ ରାସ୍ତା ଦେଖାଇଛନ୍ତି । ବିଭିନ୍ନ ସାମାଜିକ ଓ ରାଜନୈତିକ ସଂଗଠନ ମାନଙ୍କୁ ବିଶ୍ୱାସର ସହ ନେଇ କରୋନା ପରିଚାଳନାକୁ ଜନଭାଗିଦାରୀ ମାଧ୍ୟମରେ ନୂଆ ସ୍ତରରେ ପହଂଚାଇଛନ୍ତି । ପବ୍ଲିକ ହେଲ୍ଥ ଅଧିକାରୀଙ୍କୁ ପ୍ରଶାସନିକ କ୍ଷମତା ହେଉ ବା କଂଟ୍ରାକ୍ଟ ଟ୍ରେସିଂ ଓ ଡୋର ଟୁ ଡୋର୍ ସର୍ଭେରେ ଏନଜିଓ, ସାମାଜିକ ସଂଗଠନକୁ ସାମିଲ କରିଛନ୍ତି । ସେହିପରି କରୋନା ରୋଗୀଙ୍କ ପାଇଁ ରାତାରାତି ବେଡ଼୍ ସଂଖ୍ୟା ବଢ଼ାଇବା, ଅକ୍ସିଜେନ, ଭେଂଟିଲେଟର ଓ ଆମ୍ବୁଲାନ୍ସ ସଂଖ୍ୟାରେ ଆଶାତିତ ବୃଦ୍ଧି କରିବା ଆଦି ପଦକ୍ଷେପ ଦିଲ୍ଲୀବାସୀଙ୍କୁ ଆଶ୍ୱସ୍ତ କରିଛି । ରାଜଧାନୀର ସ୍ଥିତି ଖରାପ ହେଉଥିବା ସମୟରେ ରାଜ୍ୟ ପ୍ରଶାସନକୁ ଅଧିକ ସଜାଗ କରିବା ଓ କେନ୍ଦ୍ର ସରକାର ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବିଶେଷ ସହଯୋଗ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀ ସିଂ ଅନୁରୋଧ କରିଛନ୍ତି ।
ଏହି ଅବସରରେ ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ଜଗନ୍ନାଥ ପ୍ରଧାନ ଓ ହରେକୃଷ୍ଣ ଖୁଂଟିଆ ପ୍ରମୁଖ ଉପସ୍ଥିତ ଥିଲେ ।