କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ – ବୋମାମାଡ ଅଭିଯୁକ୍ତଙ୍କୁ ଗିରଫ ଦାବୀକରି କୋଣାର୍କର କେତେକ ମହିଳା ସୋମବାର ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । କୋଣାର୍କ ଥାନା ପୁଲିସ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଥିବା ସେମାନେ ଅଭିଯୋଗ କରିଛନ୍ତି । ଏସ୍ପିଙ୍କ ନିକଟରେ ମିନର୍ଭା ରାଉତ ଲିଖିତ ଅଭିଯୋଗ କରିଛନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ ଶନିବାର ଦିନ ସୁରଭା ଗ୍ରାମର ସଞ୍ଜୟ ସ୍ୱାଇଁ ତାଙ୍କ ଯାଗାରେ ଜବରଦସ୍ତ ଘର ତିଆରି କରୁଥିଲେ । ସେମାନେ ପ୍ରତିବାଦ କରିବାରୁ ଅଭିଯୁକ୍ତ ସଞ୍ଜୟ କଟୁରିଧରି ହାଣିବାକୁ ଉଦ୍ୟମ କରିଥିଲେ। ବୋମା ମାଡିକରି ଘର ଉଡାଇ ଦେବାକୁ ଧମକ ଦେଇଥିଲେ । ଶନିବାର ବିଳମ୍ବିତ ରାତିରେ ଅଭିଯୁକ୍ତ ତାଙ୍କ ଘର ଉପରକୁ ବୋମା ଫିଙ୍ଗିଥିବା ମିନର୍ଭା ଅଭିଯୋଗ କରିଛନ୍ତି । ଏନେଇ କୋଣାର୍କ ଥାନାରେ ସେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ତାଙ୍କୁ ଗିରଫ କରୁନାହିଁ । ଅଭିଯୁକ୍ତଙ୍କୁ ଗିରଫ ପରିବର୍ତ୍ତେ ପୁଲିସ ତାଙ୍କଠାରୁ ଏକ ମିଛ ଏତଲା ଲେଖାଇ ନେଇଥିବା ମିନର୍ଭା ଅଭିଯୋଗ କରିଛନ୍ତି । ବୋମା ମାଡ କରିଥିବା ବ୍ୟକ୍ତି ଖୋଲାମ ଖୋଲା ବୁଲୁଥିଲେ ମଧ୍ୟ ପୁଲିସ ଗିରଫ କରୁନଥିବା ସେ ପ୍ରକାଶ କରିଛନ୍ତି । ମିନର୍ଭାଙ୍କ ସମେତ ସବିତା ବେଉରା, ମଞ୍ଜୁଲତା ବେଉରା, ଝରଣା କାଣ୍ଡି, ମମତା ମହାନ୍ତି, ସବିତା ନାୟକ, ରଶ୍ମି ଦଳେଇ, ତିଳୋତ୍ତମା ସ୍ଵାଇଁ, ଟୁନୁଲତା ସ୍ବାଇଁ, ସ୍ନିଗ୍ଧାରାଣୀ ଜେନା, ଝିନା ସ୍ୱାଇଁ, ମମତା ବାରିକ ଏବଂ ସରୋଜିନୀ କାନୁନଗୋ ସୋମବାର ଏସ୍ପିଙ୍କୁ ସାକ୍ଷାତ ପାଇଁ ପୁରୀ ଆସିଥିଲେ। ଏସ୍ପି ଅଖିଳେସ୍ୱର ସିଂହ ସେତେବେଳେ କାର୍ଯ୍ୟାଳୟରେ ଉପସ୍ଥିତ ନଥିଲେ । ଅନ୍ୟ କୌଣସି ପୁଲିସ ଅଧିକାରୀ ମହିଳାଙ୍କଠାରୁ ଅଭିଯୋଗପତ୍ର ଗ୍ରହଣ ନକରିବାରୁ ସେମାନେ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ।
Related Stories
January 31, 2025