-
ଟ୍ୱିଟ୍କରି ସୂଚନା ଦେଲେ ଜିଲ୍ଲାପାଳ
ବ୍ରହ୍ମପୁର: ମଲା ପରେ ଜିଲ୍ଲା ପ୍ରଶାସନର ପଶିଲା ଚେତା । କରୋନା ସନ୍ଦିଗ୍ଧ ଭାବି ମେଡିକାଲ୍କୁ ନେବାପାଇଁ ଆସି ଘର ମୁହଁରେ ଆମ୍ବୁଲାନ୍ସ ଠିଆ ହୋଇଥିଲେ ମଧ୍ୟ ରୋଗୀଙ୍କୁ କରୋନା ହୋଇଥିବା ସନ୍ଦେହକରି ମେଡିକାଲ୍କୁ ନେଉ ନଥିବା ଅଭିଯୋଗ ଆସିଛି । ଏପରିକି ଘରେ ପଡିରହି ଲୋକଙ୍କ ମୃତ୍ୟୁ ହେଉଛି । ଏଭଳି ଘଟଣା ଘଟିଛି ପୁରୁଣା ବ୍ରହ୍ମପୁର ପ୍ରହଲ୍ଲାଦନଗର ଅଞ୍ଚଳରେ । ଜଣେ ମଧୁମେହ ରୋଗୀ ହଠାତ୍ ଅସୁସ୍ଥ ହେବାପରେ ଖବରପାଇ ୧୦୮ ଆମ୍ବୁଲାନ୍ସ ଆସିଥିଲେ ମଧ୍ୟ କରୋନା ଭୟରେ ରୋଗୀଙ୍କୁ ଆମ୍ବୁଲାନ୍ସରେ ନେଲେନାହିଁ । ରୋଗୀର ନାବାଳକ ପୁଅ କେତେ ନେହୁରା ହେଲେ ମଧ୍ୟ ୧୦୪କୁ ଡାକିବା ପାଇଁ ୧୦୮ ଆମ୍ବୁଲାନ୍ସ କର୍ମଚାରୀ କହିଥିଲେ । ଇତି ମଧ୍ୟରେ ରୋଗୀଜଣକ ଘର ଦାଣ୍ଡରେ ହିଁ ମୃତ୍ୟୁବରଣ କରିଥିଲେ । ଏହି ଖବର ସୋସିଆଲ ମିଡିଆରେ ଭାଇରାଲ୍ ହେବାପରେ ଜିଲ୍ଲାପାଳ ତାଙ୍କ କାର୍ଯ୍ୟାଳୟ ଚିଠି ନମ୍ବର ୧୯୯୯/୨୭.୭.୨୦୨୦ରେ ଏକ ଚିଠିକରି କରୋନା ସନ୍ଦିଗ୍ଧମାନଙ୍କୁ ଏଣିକି ୧୦୮ ଓ ୧୦୪ ଆମ୍ବୁଲାନ୍ସ ମେଡିକାଲ୍କୁ ଆଣିବେ । ଏହାସହ କୋଭିଡ୍-୧୯ ନୀତି ନିୟମ ପାଳନକରି ପିପିଇ ପରିଧାନକରି ସମ୍ପୃକ୍ତ ରୋଗୀଙ୍କୁ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଯୋଗାଇବା ବାଧ୍ୟତାମୂଳକ ବୋଲି ୧୦୮ ପରିଚାଳନା କରୁଥିବା କ୍ଲଷ୍ଟର ଲିଡ୍ର ମାନଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହାସହ ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଉପଖଣ୍ଡସ୍ତରୀୟ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକ୍ଷକମାନଙ୍କୁ ଅବଗତ କରାଯାଇଛି । ସମସ୍ତ ବ୍ଲକ୍ର ବିଡିଓ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, ୧୦୮, ୧୦୪ ଆମ୍ବୁଲାନ୍ସର ରାଜ୍ୟ ମୁଖ୍ୟ, ମିଶନ୍ ନିର୍ଦ୍ଦେଶକ ଏନ୍ଏଚ୍ଏମ୍ ଓଡ଼ିଶା ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପରିବାର କଲ୍ୟାଣ ବିଭାଗର ସଚିବଙ୍କୁ ମଧ୍ୟ ପତ୍ର ମାଧ୍ୟମରେ ଅବଗତ କରିଥିବା ତାଙ୍କ ଚିଠିରେ ଉଲ୍ଲେଖ ରହିଛି । ସୂଚନାଥାଉକି, ଗତ ମାର୍ଚ୍ଚ ୧୫ତାରିଖ ଠାରୁ କରୋନା ମହାମାରୀ ଜିଲ୍ଲାରେ ଚାଲିଥିବା ସମୟରେ ବିଭିନ୍ନ ସମୟରେ ବିଭିନ୍ନ ରୋଗୀଙ୍କୁ ୧୦୮ ଆମ୍ବୁଲାନ୍ସ ସେବା କରୋନା ସନ୍ଦେହକରି ମେଡିକାଲ୍କୁୂ ନେଉନଥିଲେ । ଏନେଇ ବାରମ୍ବାର ଅଭିଯୋଗ ଆସିବାପରେ ଜିଲ୍ଲାପାଳ ସୋମବାର ଦିନ ଏହି ଚିଠି ମାଧ୍ୟମରେ ରୋଗୀସେବା ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି ।