
ବ୍ରହ୍ମପୁର: କରୋନା ମହାମାରୀର ସଠିକ୍ ମୁକାବିଲା ଏବଂ ସାର୍ବଜନୀତ ସ୍ୱାସ୍ଥ୍ୟସେବାକୁ ସୁନିଶ୍ଚିତ କରାଯାଉ । ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ହସ୍ପିଟାଲ, ନର୍ସିଂହୋମ୍ ଇତ୍ୟାଦିକୁ ଖୋଲାଯିବା ସହିତ ଅଣକରୋନା ରୋଗୀମାନଙ୍କର ମଧ୍ୟ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥାକୁ ସୁନିଶ୍ଚିତ କରାଯାଉ । ଯେକୌଣସି ରୋଗୀକୁ ହସ୍ପିଟାଲ ଚିକିତ୍ସା ନକରି ଫେରାଇ ପାରିବ ନାହିଁ ବୋଲି ସମ୍ବିଧାନରେ ଉଲ୍ଲେଖ ଥିବା ବିଧି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଉ, ଯେଉଁମାନେ ଉଲ୍ଲଂଘନ କରିବେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ । କଟକ, ବ୍ରହ୍ମପୁର ଏବଂ ବୁର୍ଲାସ୍ଥିତ ମେଡିକାଲ୍ କଲେଜ ଏବଂ ହସ୍ପିଟାଲ ସମେତ ରାଜ୍ୟର ସମସ୍ତ ମେଡିକାଲ୍ କଲେଜ ଓ ହସ୍ପିଟାଲ ଏବଂ ଜିଲ୍ଲା ଦପ୍ତର ହସ୍ପିଟାଲ ମାନଙ୍କରେ ପର୍ଯ୍ୟାପ୍ତ ଅମ୍ଲଜାନ, ଆଇସିୟୁ, ଭେଣ୍ଟିଲେଟର, ଶଯ୍ୟା, ଡାକ୍ତର, ନର୍ସ, ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀ ଏବଂ କର୍ମଚାରୀମାନଙ୍କର ବ୍ୟବସ୍ଥା କରାଯାଉ, ପ୍ରତ୍ୟେକସ୍ତରର କୋଭିଡ୍ ହସ୍ପିଟାଲରେ ସମସ୍ତ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଏବଂ ଅନ୍ୟାନ୍ୟ କର୍ମଚାରୀମାନଙ୍କୁ ଆବଶ୍ୟକୀୟ ପିପିଇ କିଟ୍ ଯୋଗାଇବା ସହିତ ପର୍ଯ୍ୟାପ୍ତ ଔଷଧ, ଅକ୍ସିଜେନ୍, ଆଇସିୟୁ ଏବଂ ଭେଣ୍ଟିଲେଟରର ବ୍ୟବସ୍ଥା କରାଯାଉ । କରୋନା ମହାମାରୀଜନୀତ ମୃତକଙ୍କ ପରିବାରକୁ ବଞ୍ôଚବା ଯୋଗ୍ୟ ଆର୍ଥିକ ପ୍ୟାକେଜ୍ ଦିଆଯାଉ ପ୍ରମୁକ ଦାବିନେଇ ରାଜ୍ୟ ବ୍ୟାପି ଦାବି ଦିବସ ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର, ଗଞ୍ଜାମ, କୁକୁଡାଖଣ୍ଡି, ଦିଗପହଣ୍ଡି, ସୋରଡା ବ୍ଲକ୍ରେ ଦାବି ଦିବସ ସଂଘଠିତ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଜରିଆରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ସିପିଆଇ ନେତା କୈଳାଶ ଷଢ଼ଙ୍ଗୀ, ରାମଚନ୍ଦ୍ର ନାୟକ, ବିଦ୍ୟାଧର ଜେନା, ବସନ୍ତ, ଯୁଧିଷ୍ଠିର ବେହେରା, ପି.ହରିକୃଷ୍ଣ ରେଡ୍ଡୀ, ଶଶି ରଥ, ଦିଲ୍ଲୀପ ଛୋଟରାୟ ନେତୃତ୍ୱ ନେଇଥିଲେ ।