ଭୁବନେଶ୍ୱର– ଗତ କିଛିଦିନ ଧରି ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ଦ୍ରୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ପରୀକ୍ଷା ପରିମାଣ ଯେତେ ବୃଦ୍ଧି ପାଉଛି, ପଜିଟିଭ୍ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଅନ୍ୟ ଦିଗରେ ରାଜ୍ୟରେ ସ୍ୱାସ୍ଥ୍ୟଗତ ସଙ୍କଟ ଏବଂ ରୋଗୀ ସଂଖ୍ୟା ବୃଦ୍ଧି ପାଇଲାବେଳେ ସରକାରଙ୍କ ବହୁ ପ୍ରଚାରିତ ବିଫଳତା ନଗ୍ନ ଭାବେ ପ୍ରକାଶ ପାଉଛି । କରୋନା କେୟାର ସେଂଟର , କୋଭି୍ଡ୍ ହସ୍ପିଟାଲ ଏବଂ ଅନ୍ୟାନ୍ୟ ସାଧାରଣ ରୋଗ ପାଇଁ ଚିକିତ୍ସା ଇତ୍ୟାଦି ସବୁଥିରେ ବିଭିନ୍ନ ଅସୁବିଧା, ଅବହେଳା ଓ ଅବ୍ୟବସ୍ଥାର ଅଭିଯୋଗମାନେ ନଜରକୁ ଆସୁଛି । ରାଜ୍ୟର ପ୍ରାୟ ସମସ୍ତ ହସ୍ପିଟାଲରେ ବର୍ହି ଚିକିତ୍ସା ବସ୍ତୁତଃ ବନ୍ଦ ହୋଇଯିବା ଫଳରେ ସାଧାରଣ ରୋଗ ପ୍ରସୂତି ଓ ଶିଶୁ ରୋଗ ସମେତ ସମସ୍ତ ଗୁରୁତର ଅଣ କରୋନା ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସି.ପି.ଆଇ.(ଏମ୍) ଏହି ସରକାରୀ ବିଫଳତାର ପ୍ରତିବାଦ କରିବା ସହିତ ସ୍ୱାସ୍ଥ୍ୟ ସଙ୍କଟକୁ ମୁକାବିଲା କରିବା ନିମନ୍ତେ ୭ ଦଫା ସମ୍ବଳିତ ସ୍ମାରକ ପତ୍ର ମୂଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି । ବିଭିନ୍ନ ଜିଲ୍ଲାରେ ଲକ୍ଡାଉନ୍ ଏବଂ ସଟ୍ଡାଉନ୍ ର କଟକଣା ମଧ୍ୟରେ ସାରା ରାଜ୍ୟରେ ସି.ପି.ଆଇ.(ଏମ୍) ତରଫରୁ ଶାରିରୀକ ଦୂରତ୍ୱ ଏବଂ ମାସ୍କ ପରିଧାନ କରି ଏହି ପ୍ରତିବାଦ କାର୍ଯ୍ୟକ୍ରମ ସଂଗଠିତ ହୋଇଯାଇଛି । ଭୁବନେଶ୍ୱର, ସୁନ୍ଦରଗଡ, କଟକ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତ୍ସିଂହପୁର, ପୁରୀ, ନୟାଗଡ, ଖୋର୍ଦ୍ଧା, ଗଞ୍ଜାମ ଏବଂ ଢେଙ୍କାନାଳ ପ୍ରମୂଖ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ସଂଗଠିତ ହୋଇଛି । ସି.ପି.ଆଇ.(ଏମ୍) ତରଫରୁ ଉପସ୍ଥାପିତ ୭ ଦଫା ଦାବିରେ କୁହାଯାଇଛି ଯେ: କରୋନା ମହାମାରୀକୁ ସଠିକ୍ ଭାବେ ମୁକାବିଲା କରିବା ସହିତ ସାର୍ବଜନୀନ ସ୍ୱାସ୍ଥ୍ୟ ସେବା କୁ ସୁନିଶ୍ଚିତ କରାଯାଉ । ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ ହସ୍ପିଟାଲ, ନର୍ସିଂ ହୋମ ଇତ୍ୟାଦିକୁ ଖୋଲା ଯିବା ସହିତ ଅଣକରୋନା ରୋଗୀମାନଙ୍କର ମଧ୍ୟ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥାକୁ ସୁନିଶ୍ଚିତ କରାଯାଉ । ଯେ କୌଣସି ରୋଗୀକୁ ହସ୍ଟିଟାଲ ଚିକିତ୍ସା ନକରି ଫେରାଇ ପାରିବ ନାହିଁ ବୋଲି ସମ୍ବିଧାନରେ ଉଲ୍ଲେଖ ଥିବା ବିଧି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଉ , ଯେଉଁମାନେ ଉଲ୍ଲଘଂନ କରିବେ ସେମାନଙ୍କ ବିରୁଦ୍ଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । କଟକ, ବ୍ରହ୍ମପୁର ଏବଂ ବୁର୍ଲାସ୍ଥିତ ମେଡିକାଲ କଲେଜ ଏବଂ ହସ୍ପିଟାଲ ସମେତ ରାଜ୍ୟର ସମସ୍ତ ମେଡିକାଲ କଲେଜ ଓ ହସ୍ଟିଟାଲ ଏବଂ ଜିଲ୍ଲା ମୂଖ୍ୟ ଦପ୍ତର ହସ୍ପିଟାଲ ମାନଙ୍କରେ ପର୍ଯ୍ୟାପ୍ତ ଅମ୍ଳଜାନ, ଆଇ.ସି.ୟୁ. ଭେଂଟିଲେଟର ଶଯ୍ୟା, ଡାକ୍ତର, ନର୍ସ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମୀ ଏବଂ କର୍ମଚାରୀ ମାନଙ୍କର ବ୍ୟବସ୍ଥା କରାଯାଉ ।
କରୋନା ମହାମାରୀର ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଗାଇଡଲାଇନ ଅନୁଯାୟୀ ସମସ୍ତଙ୍କର କରୋନା ପରୀକ୍ଷା, ଚିହ୍ନଟ ଏବଂ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥାକୁ ସୁନିଶ୍ଚିତ କରାଯାଉ । ଏହାର ସମସ୍ତ ଦାୟିତ୍ୱ ସରକାର ବହନ କରନ୍ତୁ । ପ୍ରତ୍ୟେକ ସ୍ତରର କୋଭିଡ୍ ହସ୍ପିଟାଲ (ଲୋକାଲ ଠାରୁ ରାଜ୍ୟ ପର୍ଯ୍ୟନ୍ତ) ରେ ସମସ୍ତ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ ଏବଂ ଅନ୍ୟାନ୍ୟ କର୍ମଚାରୀମାନଙ୍କୁ ଆବଶ୍ୟକୀୟ ପିପିଇ କିଟ୍ ଯୋଗାଇବା ସହିତ ପର୍ଯ୍ୟାପ୍ତ ଔଷଧ, ଅକ୍ସିଜେନ୍, ଆଇ.ସି.ୟୁ. ଏବଂ ଭେଂଟିଲେଟର ଇତ୍ୟାଦି ସମସ୍ତ ଉପକରଣର ସୁନିଶ୍ଚିତ ବ୍ୟବସ୍ଥା କରାଯାଉ ।
କରୋନା ଜନିତ ମୃତକ ପରିବାରମାନଙ୍କୁ ମୃତ ବ୍ୟକ୍ତିର ‘ସମଗ୍ର ଚିକିତ୍ସା ପ୍ରକ୍ରିୟା’ କୁ ସମ୍ପୃକ୍ତ ପରିବାରକୁ ଅବଗତ କରାଯାଉ । କରୋନା ମହାମାରୀ ଜନିତ ମୃତକ ପରିବାରକୁ ବଂଚିବା ଯୋଗ୍ୟ ଆର୍ôଥକ ପ୍ୟାକେଜ୍ ଦିଆଯାଉ ।
କରୋନା ରୋଗୀ ଏବଂ ମୃତକଙ୍କୁ ନେଇ ସୃଷ୍ଟି ହେଉଥିବା ଅରାଜକତାକୁ ତୁରନ୍ତ ହସ୍ତକ୍ଷେପ କରି ବନ୍ଦ କରାଯାଉ ଏବଂ ଏଥିପାଇଁ ବିଧିବଦ୍ଧ ନିୟମାବଳୀ ସ୍ଥିର କରାଯାଉ ।
ରାଜ୍ୟ ସରକାର ବିଶେଷ କରି ରାଜ୍ୟର ମୁଖ୍ୟମନ୍ତ୍ରୀ ସାଂପ୍ରତିକ ଗଭୀର ସ୍ୱାସ୍ଥ୍ୟଗତ ସଙ୍କଟ ଜନକ ପରିସ୍ଥିତିରେ ହସ୍ତକ୍ଷେପ କରି ଜୀବନର ସୁରକ୍ଷା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିବା ନିମନ୍ତେ ଦାବି କରାଯାଇଛି । ଲୋକଙ୍କ ଜୀବନର ସୁରକ୍ଷା ଏବଂ ସାର୍ବଜନୀନ ସ୍ୱାସ୍ଥ୍ୟ ବ୍ୟବସ୍ଥା ନିମନ୍ତେ ପର୍ଯ୍ୟାୟ କ୍ରମେ ଏହି ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଜାରି ରହିବ ବୋଲି ସି.ପି.ଆଇ.(ଏମ୍) ଓଡିଶା ରାଜ୍ୟକମିଟି ତରଫରୁ ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ ଏକ ପ୍ରେସ୍ ବିଜ୍ଞପ୍ତିର ପ୍ରକାଶ କରିଛନ୍ତି ।