ଭୁବନେଶ୍ୱର– କୋରାପୁଟ ନବାଳିକା ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ବିନା କୌଣସି ଚାପେରେ ପୋଲିସ ନିରପେକ୍ଷ ଭାବେ ତଦନ୍ତ କରି ସଠିକ୍ ଓ ନିର୍ଭୁଲ ଶବବ୍ୟବଚ୍ଛେଦ ରିପୋର୍ଟକୁ ସାର୍ବଜନୀନନ କରୁ । ଏ ଘଟଣାରେ ସଂପୃକ୍ତ ଥିବା ଅପରାଧୀଙ୍କୁ ଏସସି ଏସଟି ଏଟ୍ରୋସିଟି ଏବଂ ପୋକସୋ ଆକ୍ଟ ଲଗାଇ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ ଜିଲ୍ଲା ପ୍ରଶାସନ ପୀଡିତା ପରିବାରକୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦିଅନ୍ତୁ । ଆଗାମୀ ଦିନରେ ପୀଡିତାକୁ ନ୍ୟାୟ ନମିଳିଲେ ମହିଳାମୋର୍ଚ୍ଚା ପକ୍ଷରୁ ଏସ.ପି ଅଫିସ ଆଗରେ ଧାରଣା ଦିଆଯିବ ବୋଲି ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ ଚେତାବନୀ ଦେଇଛନ୍ତି ।
ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ଆଦିବାସୀ ମହିଳାଙ୍କ ସୁରକ୍ଷା ନିମନ୍ତେ ଜିଲ୍ଲାରେ ସବୁ ଥାନାରେ ମହିଳା ଓ ଶିଶୁ ଅଭିଯୋଗ ପ୍ରକୋଷ୍ଠ ଖୋଲାଯାଉ ଏବଂ ମହିଳା ସୁରକ୍ଷା ଦିଗରେ ଯଦି ମୁଖ୍ୟମନ୍ତ୍ରୀ ସମ୍ବେଦନହୀନ ରହିବେ ତେବେ ଆଗକୁ ମହିଳା ମୋର୍ଚ୍ଚର୍ା ପକ୍ଷରୁ ତୀବ୍ର ଆନ୍ଦୋଳନ ହେବ ।
ଜୁଲାଇ୨୦ ତାରିଖରେ କିଛି ଦୃର୍ବୁତ କୋରାପୁଟ ଜିଲ୍ଲା କୋଟପାଡ ବ୍ଲକ ଚିତ୍ରା ପଂଚାୟତ ବାଗଚୁଆଁ ଗାଁର ଜଣେ ଆଦିବାସୀ ନାବାଳିକା ସହ ଗଣଦୁଷ୍କର୍ମ କରି ହତ୍ୟା କରି ପରେ ତାଙ୍କୁ ଏକ ତେନ୍ତୁଳି ଗଛରେ ଓହଲାଇ ଦେଇଥିଲେ । ମୃତା ନାବାଳିକାଙ୍କ ମୁଣ୍ଡ ଓ ଶରୀରର ବିଭିନ୍ନ ଜାଗାରେ କ୍ଷତ ଚିହ୍ନ ଥିବା ସହ ତାର ଆଭ୍ୟନ୍ତରୀଣ ଅଙ୍ଗରୁ ରକ୍ତ ବାହରୁଥିବାର ଦୃଶ୍ୟ ସ୍ଥାନୀୟ ବାସିନ୍ଦାଙ୍କ ସମେତ ପୋଲିସ ଦେଖିବାକୁ ପାଇଥିଲା । ଏହା ସତ୍ୱେ ଶାସକ ଦଳ ଓ ପୋଲିସର ଚାପରେ ଡାକ୍ତର ବାବୁ ଶବବ୍ୟବଚ୍ଛେଦ ରିପୋର୍ଟରେ ଏହି ଘଟଣାକୁ ଆତ୍ମହତ୍ୟା ଦର୍ଶାଇଲେ । ଏହା ହେଉଛି ନବୀନ ବାବୁଙ୍କ ଶାସନରେ ମା’ ମାନଙ୍କୁ ସମ୍ମାନ ଦେବାର ଜ୍ୱଳନ୍ତ ଉଦାହରଣ ବୋଲି ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ ଅଭିଯୋଗ କରିଛନ୍ତି ।
କରୋନା ମହାମାରୀ ସମୟରେ ରାଜ୍ୟରେ ମହିଳାଙ୍କ ପ୍ରତି ଦୁଷ୍କର୍ମ ଓ ଅସଦାଚାରଣ ବଢିବାରେ ଲାଗିଛି । କୋରାପୁଟ ଆଦିବାସୀ ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଶାସକ ଦଳ, ପୋଲିସ, ଜିଲ୍ଲା ପ୍ରଶାସନ ଏବଂ ସରକାରୀ ଡାକ୍ତରଙ୍କ ଭିତିରି ବୁଝାମଣାରେ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ଆତ୍ମହତ୍ୟାର ରୂପ ଦିଆଯାଇଛି । ପୂର୍ବରୁ କୁନ୍ଦୁଲୀ ପୀଡିତା ଜଣକ ନିଜ ସହ ଦୁଷ୍କର୍ମ ହେବା ଘଟଣା କହିବା ପରେ ବି ପୋଲିସ ଏହାକୁ ନଶୁଣି ମିଥ୍ୟା ରିପୋର୍ଟ ପ୍ରସ୍ତୁତ କରି କିଛି ନହୋଇଥିବା ବୋଲି ଦର୍ଶାଇଥିଲା । ଠିକ୍ ସେହିପରି ସମାନ ଢଙ୍ଗରେ ପୋଲିସ ଏବଂ ଡାକ୍ତର ଏଭଳି ଅଭାବନୀୟ ଘଟଣାକୁ ଚପେଇ ଦେବା ପାଇଁ ଏକ ମିଛ ରିପୋର୍ଟ ପ୍ରସ୍ତୁତ କରି ଅପରାଧୀମାନଙ୍କୁ ଅପରାଧ କରିବା ପାଇଁ ପୂରା ସ୍ୱାଧୀନତା ଦେଇଛନ୍ତି ବୋଲି ଶ୍ରୀମତୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି ।