ଭୁବନେଶ୍ୱର – ମାଲକାନଗିରି ଜିଲ୍ଲାର କୋଭିଡ-୧୯ ପରିଚାଳନା ଓ ପ୍ଲାଜମା ଦାନ କାର୍ଯ୍ୟକ୍ରମର ଦାୟିତ୍ୱ ଗ୍ରହଣ ପରେ ଆଜି ଇଲେକ୍ଟ୍ରୋନିସ, ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ କ୍ରୀଡା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଭିଡିଓ କନଫରେନ୍ସ ଯୋଗେ ମାଲକାନଗିରି ଜିଲ୍ଲାର ଜିଲ୍ଲାପାଳ, ଏହି ଜିଲ୍ଲା ଅଧୀନରେ ଥିବା ବ୍ଲକ ପ୍ରଶାସନ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି ।
ଓକାକ ସମ୍ମିଳନୀ କକ୍ଷରେ ସୋମବାର ପୂର୍ବାହ୍ନରେ ଅନୁଷ୍ଠିତ ବୈଠକରେ ବର୍ତମାନର କୋଭିଡ- ୧୯ ପରିଚାଳନା ସ୍ଥିତି, କରୋନା ମହାମାରୀ ଏବଂ ପ୍ଲାଜମା ଦାନ ସମ୍ପର୍କିତ ଜନ ସଚେତନତା କାର୍ଯ୍ୟକ୍ରମ, କୋଭିଡ-୧୯ ରୁ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ବ୍ଲକୱାରି ସବିଶେଷ ବିବରଣୀ, ଆଗାମୀ ଦିନରେ ଆସିବାକୁ ଥିବା ସମ୍ଭାବ୍ୟ ପରିସ୍ଥିତି ଓ ଆହ୍ୱାନ, ପ୍ଲାଜମା ଦାନ କାର୍ଯ୍ୟକ୍ରମର ସଫଳ ରୂପାୟନ ନେଇ ଯୋଜନା ପ୍ରସ୍ତୁତି ସହ ଅନ୍ୟାନ୍ୟ ବିଷୟରେ ବୈଠକରେ ଆଲୋଚନା ହୋଇଥିଲା । ଜିଲ୍ଲାର ସମସ୍ତ ଡାକ୍ତର, ନର୍ସ ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନବାଡି, ଆଶା କର୍ମୀ, ପୋଲିସ ଓ ସରକାରୀ କର୍ମଚାରୀଙ୍କ ଉଦ୍ୟମ ବଳରେ ଜିଲ୍ଲାର ସଂକ୍ରମଣ ହାରକୁ ଯଥେଷ୍ଟ କମ କରିବାରେ ଆମେ ସକ୍ଷମ ହୋଇ ପାରିଛୁ ବୋଲି ମନ୍ତ୍ରୀ କହିଥିଲେ । ଏହା ସହ ଆଗାମୀ ଦିନରେ କୋଭିଡ- ୧୯ ମହାମାରୀ ବିରୋଧରେ ଚାଲିଥିବା ଏହି ଯୁଦ୍ଧରେ ବିଜୟୀ ହେବା ସହ ମୁଖ୍ୟମନ୍ତ୍ରୀ କୋଭିଡ ମୁକାବିଲା ନେଇ ଯେଉଁ ଲକ୍ଷ୍ୟ ରଖିଛନ୍ତି, ତାହାକୁ ସଫଳ କରିବା ପାଇଁ ସମସ୍ତଙ୍କ ନିଷ୍ଠାପର ଉଦ୍ୟମ ନିହାତି ଆବଶ୍ୟକ ବୋଲି ମନ୍ତ୍ରୀ ଶ୍ରୀ ବେହେରା ଜିଲ୍ଲା ଓ ବ୍ଲକ ଅଧିକାରୀମାନଙ୍କୁ କହିଥିଲେ ।
କରୋନାରୁ ମୁକ୍ତ ହୋଇଥିବା ସୁସ୍ଥ ବ୍ୟକ୍ତିଙ୍କୁ ବ୍ୟକ୍ତିଗତ ଭାବେ ଯୋଗାଯୋଗ କରି ପ୍ଲାଜମା ସଂଗ୍ରହ ପାଇଁ ରକ୍ତଦାନ କରିବାକୁ ଉତ୍ସାହିତ କରିବା ପାଇଁ ବ୍ଲକ ସ୍ତରରେ କାର୍ଯ୍ୟ କରୁଥିବା ଅଧିକାରୀଙ୍କୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ । ନିକଟ ଭବିଷ୍ୟତରେ ମନ୍ତ୍ରୀ ଶ୍ରୀ ବେହେରା ମାଲକାନଗିରି ଗସ୍ତରେ ଯାଇ କରୋନା ଯୁଦ୍ଧରେ ବିଜୟୀ ହୋଇଥିବା ବ୍ୟକ୍ତିଙ୍କୁ ପ୍ଲାଜମା ଦାନ ପାଇଁ ଉତ୍ସାହିତ କରିବାର କାର୍ଯ୍ୟକ୍ରମ ରହିଛି ।
ଏହି ଭିଡ଼ିଓ କନଫରେନ୍ସ ବୈଠକରେ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲ, ଜିଲ୍ଲା ଆରକ୍ଷୀ ଅଧିଧ୍ୟକ ଶ୍ରୀ ଋଷିକେଶ ଦ୍ୟାନ ଦେଓ ଖିଲାରୀ, ସିଡିଏମଓ., ଜିଲ୍ଲାର ସମସ୍ତ ତହସିଲଦାର, ସମସ୍ତ ବିଡିଓ ଏବଂ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।