-
୧୧୪ଟି ଗାଁର ୧୫୯୫୧୧ଜଣଙ୍କ ସ୍ୱାସ୍ଥ୍ୟ ଯାଞ୍ଚ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଏବେ ଲକ୍ ଡାଉନ୍ ଜାରି ରହିଛି । ଏହି ସମୟରେ ଗ୍ରାମାଞ୍ଚଳଗୁଡିକରେ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ଯାଞ୍ଚ ସହ କରୋନା ଲକ୍ଷଣ ଥିବା ଲୋକଙ୍କୁ ଚିହ୍ନଟ କରାଯାଉଛି । ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଧିନସ୍ଥ ୫ଟି ବ୍ଲକ୍ ଓ ୩ଟି ଏନ୍ଏସି ଅଞ୍ଚଳରେ ସ୍କ୍ରିନିଂ ଜାରି ରହିଛି । ରେଡ୍ ଜୋନ୍ରେ ଥିବା ୧୧୪ଟି ଗ୍ରାମରେ ରବିବାର ସନ୍ଧ୍ୟା ସୁଦ୍ଧା ୧ଲକ୍ଷ ୫୯ହଜାର ୫୧୧ଜଣଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ସହ ସ୍କ୍ରିନିଂ କରାଯାଇଛି । ସେମାନଙ୍କ ମଧ୍ୟରୁ ୩୨୬ଜଣଙ୍କ କରୋନା ଲକ୍ଷଣ ଥିବା ସନ୍ଦେହ କରାଯାଇ ଚିହ୍ନଟ କରାଯାଇଛି । ସେଥିମଧ୍ୟରୁ ହୃଦରୋଗ ଓ ଅନ୍ୟାନ୍ୟ ରୋଗ ଥିବା ୧୭୩୦ଜଣଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି । ଲକ୍ଷଣ ଥିବା ୩୨୬ଜଣଙ୍କ କୋଭିଡ୍ ଟେଷ୍ଟ କରିବା ସହ ଚିହ୍ନଟ ହୋଇଥିବା ଅନ୍ୟ ରୋଗୀଙ୍କ ଉପରେ ମଧ୍ୟ ସ୍ୱାସ୍ଥ୍ୟ ଟିମ୍ ନଜର ରଖିଛି । ପ୍ରତ୍ୟେକ ଦିନ ଏହାର ତଦାରଖ କରାଯାଉଛି । ଏନେଇ ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତାତ୍ରୟ ଭାଉସାହେବ ଟ୍ୱିଟ୍କରି ସୂଚନା ଦେଇଛନ୍ତି । ଏହାସହ ବିଏମ୍ସି ଅଞ୍ଚଳରେ ସାମାଜିକ ଦୂରତା ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ୧୭ଟି ଦୋକାନକୁ ସିଲ୍ କରାଯାଇଛି । ଏହାସହ ପାତ୍ରପୁର ବ୍ଲକ୍ର ବିଭିନ୍ନ ଆଦିବାସୀ ଓ ଉପାନ୍ତ ଅଞ୍ଚଳରେ କିପରି କୋଭିଡ୍ସ୍ଥିତି ରହିଛି ତାହାର ମଧ୍ୟ ସମୀକ୍ଷା କରିଛନ୍ତି ଉପଜିଲ୍ଲାପାଳ । କରୋନା ଭୁତାଣୁ ସଂକ୍ରମଣକୁ ରୋକ୍ ଲଗାଇବା ପାଇଁ ସ୍ଥାନୀୟ ତହସିଲଦାର ଓ ଥାନାଧିକାରୀଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ମଧ୍ୟ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।