ବ୍ରହ୍ମପୁର: ଦୀର୍ଘ ୭ ମାସ ହେବ ସାରା ବିଶ୍ୱ କରୋନା ବିରୋଧରେ ଲଢେଇ କରୁଛନ୍ତି । କରୋନା ବିରୋଧରେ ଲଢେଇ ଲମ୍ବା ସମୟ ଧରି ଚାଲିବ ଏବଂ ଧର୍ଯ୍ୟର ସହ ଏହାର ମୁକାବିଲା କରିବାକୁ ସ୍ୱାସ୍ଥ୍ୟ ସଂଙ୍ଗଠନ ଓ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ । ଏହି ଲଢେଇରେ ଦୈନିକ ନୂଆ ନୂଆ ଉପାୟ ଏବଂ ପଦ୍ଧତି ଅପଣାଯାଉଛି । କାଳେ କେଉଁ ପଦ୍ଧତି ଉପାଦେୟ ସାବ୍ୟସ୍ତ ହେବ ଏବଂ ଲୋକଙ୍କ ଦୁର୍ମୂଲ୍ୟ ଜୀବନ ବଞ୍ଚିପାରିବ । ଅଭିଜ୍ଞତା ଆଧାରିତ ନୂଆ ରଣକୌଶଳ ଅବଲମ୍ବନ ଅନେକ କ୍ଷେତ୍ରରେ ସଫଳତା ମଧ୍ୟ ଦେଉଛି । ବିଶେଷକରି ଗଞ୍ଜାମ ଜିଲ୍ଲା ପ୍ରଶାସନ ଦ୍ୱାରା ଆବିସ୍କୃତ ନୂଆଁ ଉପାୟ ଉପାଦେୟ ସାବ୍ୟସ୍ତ ହେବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି । ଜିଲ୍ଲାରେ ଏବେ କରୋନା ସଂକ୍ରମଣ ହୁ ହୁ ହୋଇ ବଢିଚାଲିଛି । ତା’ ସହ ତାଳଦେଇ ବଢିଚାଲିଛି ମୃତ୍ୟୁ । କେଉଁଠି ନା କେଉଁଠି କରୋନା ରୋଗୀଙ୍କ ମନୋବଳ ହ୍ରାସ ବର୍ଦ୍ଧିତ ମୃତ୍ୟୁର ପ୍ରମୁଖ କାରଣ ବୋଲି ମଧ୍ୟ ଅନୁମାନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆକ୍ରାନ୍ତଙ୍କ ମନୋବଳ ବଢାଇବା ପାଇଁ କୋଭିଡ ବନ୍ଧୁ ଭଳି ନୂଆ ତରିକା ସୃଷ୍ଟି କରାଯାଇଛି । ତେବେ କିଏ ଏହି କୋଭିଡ ବନ୍ଧୁ ବୋଲି ପ୍ରଶ୍ନ ଉଠେ । କୋଭିଡ ସଂକ୍ରମଣ ହେବା ପରେ ରାଜ୍ୟ ସରକାରଙ୍କ ଦ୍ୱାରା ଉପଲବ୍ଧ ମେଡିକାଲ ସୁବିଧା ପାଇ ସୁସ୍ଥ ହୋଇ ଫେରିଥିବା ବ୍ୟକ୍ତିଙ୍କୁ କୋଭିଡ ଯୁଦ୍ଧରେ ସାମିଲ କରାଯାଇଛି । ସେମାନଙ୍କୁ କୋଭିଡ ବନ୍ଧୁର ଆଖ୍ୟା ଦିଆଯାଇଛି । ଗଞ୍ଜାମ ଜିଲ୍ଲାର ଗ୍ରାମାଞ୍ଚଳର ୨୪୬ ଏବଂ ସହରାଞ୍ଚଳର ୩୭ ଜଣଙ୍କୁ ମିଶାଇ ମୋଟ ୨୮୩ କୋଭିଡ ବନ୍ଧୁ ସ୍ୱେଚ୍ଛାସେବୀ ଭାବେ କାମ କରୁଛନ୍ତି । ସେମାନେ ପ୍ରଶାସନ ସହ ଏହି ଲଢେଇରେ ସାମିଲ ହୋଇ ଅନ୍ୟ ରୋଗୀଙ୍କ ମନୋବଳ ବୃଦ୍ଧି କରୁଛନ୍ତି । ଏଭଳି ଉପାୟ ରାଜ୍ୟରେ ନୂଆ ବୋଲି କୁହାଯାଉଛି । କୋଭିଡ ବନ୍ଧୁଙ୍କୁ ଗଞ୍ଜାମରେ ଏହି ଯୁଦ୍ଧର ସାରଥୀ ବୋଲି ମଧ୍ୟ ବର୍ଣ୍ଣନା କରାଯାଉଛି ।
ସେହିପରି କରୋନା ଲଢେଇରେ ପ୍ଲାଜମା ଥେରାପୀ ଆଉ ଏକ ସଞ୍ଜିବନୀ ସଦୃଶ । ଗୁରୁତର କରୋନା ରୋଗୀଙ୍କୁ ପ୍ଲାଜମା ଥେରାପୀ ଜରିଆରେ ଏକ ନୂଆ ଜୀବନ ମିଳିପାରୁଛି । ସେମାନଙ୍କ ସ୍ୱାସ୍ଥ୍ୟରେ ଦ୍ରୁତ ଉନ୍ନତି ପରିଲକ୍ଷିତ ହେଉଛି । ତେଣୁ ରାଜ୍ୟ ସରକାର କରୋନା ସଂକ୍ରମଣ ମୁକ୍ତ ରୋଗୀଙ୍କୁ ପ୍ଲାଜମା ଦାନ କରିବାକୁ ଆହ୍ୱାନ ଦେଇଛନ୍ତି । ସୁସ୍ଥ ରୋଗୀଙ୍କ ମଧ୍ୟରୁ ଗଞ୍ଜାମ ଗ୍ରାମାଞ୍ଚଳର ୧୫୫ ଜଣ ଏବଂ ସହରାଞ୍ଚଳର ୫୦ ଜଣ ପ୍ଲାଜମା ଦାନ କରିବାକୁ ନାମ ପଞ୍ଜୀକୃତ କରିଛନ୍ତି । ପ୍ଲାଜ୍ମା ଡୋନରଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବାରୁ ଏହା ଗୁରୁତର ରୋଗୀ ଏବଂ ପ୍ରଶାସନିକ ଚିନ୍ତା ଉପଶମର ପ୍ରମୁଖ ଉପାଦାନ କୁହାଯାଉଛି । ଅନ୍ୟପକ୍ଷରେ କୋଭିଡ ବନ୍ଧୁଙ୍କ ଭଳି ପ୍ଲାଜମା ଡୋନର ମଧ୍ୟ କୋଭିଡ ଯୁଦ୍ଧର ସାରଥୀ ବୋଲି ଲୋକ କହୁଛନ୍ତି ।
Related Stories
November 24, 2024
November 24, 2024