-
ରାସନକାର୍ଡ ଦୁର୍ନୀତିର ସିବିଆଇ ତଦନ୍ତ କରାଯାଉ
ଭୁବନେଶ୍ୱର – ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକରେ ଯୋଗ୍ୟ ହିତାଧିକାରୀଙ୍କ ନାଁ କାଟି ଶାସକ ଦଳର ସମର୍ଥକ ଅଯୋଗ୍ୟ ହିତାଧିକାରୀଙ୍କ ନାଁ ରଖାଯାଇଛି । ଧର୍ମଶାଳା ବ୍ଲକରେ ୨୦ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ନାଁ ମିଥ୍ୟା ସତ୍ୟ ପାଠ ଦର୍ଶାଇ କଟାଯାଇଛି । ଯେଉଁ ଲୋକମାନଙ୍କର ଗାଡି, କୋଠାଘର ନାହିଁ ସେହି ଲୋକଙ୍କ ନାଁ ହିତାଧିକାରୀ ତାଲିକାରୁ କଟାଯାଇଛି । ଏହାକୁ ନେଇ ଏକ ମାମଲା ହାଇକୋର୍ଟରେ ଥିବାବେଳେ ବିଡିଓ ମିଥ୍ୟା ସତ୍ୟପାଠ ଦାଖଲ କରିବା ଅତ୍ୟନ୍ତ ନିନ୍ଦନୀୟ ଏବଂ ଦୁର୍ଭାଗ୍ୟଜନକ । ରାସନ କାର୍ଡ ଦୁର୍ନୀତିର ସିବିଆଇ ତଦନ୍ତ କରାଯାଉ ଏବଂ ଏହି ଘଟଣାର ସଂପୃକ୍ତ ଥିବା ବିଡିଓଙ୍କୁ ମୁଖ୍ୟମନ୍ତ୍ରୀ ତୁରନ୍ତ ଚାକିରୀରୁ ବହିଷ୍କାର କରନ୍ତୁ ବୋଲି ବିଜେପି ଦାବି କରିଛି ।
ବିଜେପି ରାଜ୍ୟ ସାଧାରଣ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ ରାସନକାର୍ଡରୁ ପ୍ରଥମେ ଯୋଗ୍ୟ ହିତାଧିକାରୀଙ୍କ ନାଁ କଟାଯାଉଛି ଏବଂ ପରେ ସେମାନଙ୍କୁ ପୁଣିଥରେ ଯୋଡିବା ପାଇଁ ସେମାନଙ୍କ ଠାରୁ ଟଙ୍କା ଆଦାୟ କରାଯାଉଛି । ଏଭଳି ସାରା ରାଜ୍ୟରେ ରାସନ କାର୍ଡ ର୍ୟାକେଟ କାମ କରୁଛି । ଏହି ର୍ୟାକେଟରେ ଶାସକ ଦଳର ନେତାମାନଙ୍କର ସଂପୃକ୍ତି ରହିଛି । ରାସନ କାର୍ଡ ଦୁର୍ନୀତି ନେଇ ହାଇକୋର୍ଟରେ ଜିଲ୍ଲାପାଳ, ଉପଜିଲ୍ଲାପଳ ଏବଂ ବିଡିଓଙ୍କ ପକ୍ଷରୁ ଧର୍ମଶାଳା ବିଡିଓ ସତ୍ୟପାଠରେ ଅନେକ ମିଥ୍ୟା କଥା ଦର୍ଶାଇଛନ୍ତି । ବିଡିଓ ଚାଳ ଛପର ଘର ଥିବା ଯୋଗ୍ୟ ହିତାଧିକାରୀଙ୍କର କୋଠା ଘର ଦର୍ଶାଇ ରାସନ କାର୍ଡରୁ ବଂଚିତ ରଖିଛନ୍ତି । ଅନ୍ୟ ଜଣେ ହିତାଧିକାରୀ ଡଲି ମଲ୍ଲିକ ଘରେ ଅଧିକ ବିଜୁଳି ବ୍ୟବହାର ହେଉଛି ବୋଲି ବିଡିଓ ସତ୍ୟପାଠରେ ଦର୍ଶାଇଥିବାବେଳେ ବାସ୍ତବରେ ତାଙ୍କ ଘରକୁ ବିଦ୍ୟୁତ ସଂଯୋଗ କରାଯାଇନାହିଁ । ଏହିପରି ଅନେକ ଉଦାହରଣ ରହିଛି ଯେଉଁଥିରେ ଯୋଗ୍ୟ ହିତାଧିକାରୀଙ୍କୁ ଧର୍ମଶାଳା ବିଡିଓ ସ୍ମିତା ରଥ ଅଣଦେଖା କରି ମିଥ୍ୟାସତ୍ୟପାଠ ହାଇକୋର୍ଟରେ ଦାଖଲ କରିଛନ୍ତି । ଡ.ସାମନ୍ତସିଂହାର ଫଟୋ ସହ ମିଥ୍ୟା ସତ୍ୟପାଠର ସମସ୍ତ ତଥ୍ୟ ପ୍ରମାଣ ଗଣମାଧ୍ୟମ ଆଗରେ ରଖିଛନ୍ତି ।
ରାସନ କାର୍ଡ ଥିବା ଲୋକଙ୍କୁ ରାସନ ସାମଗ୍ରୀ ମିଳୁନାହିଁ । କମାଗଡ ପଂଚାୟତର ସୁନନ୍ଦା ଭୂୟାଁ, ମହିଶର ପଂଚାୟତର ବାସନ୍ତୀ ସାହୁଙ୍କ ନାଁରେ ରାସନ କାର୍ଡ ଥିବାସତ୍ୱେ ସେମାନଙ୍କୁ ରାସନ ସାମଗ୍ରୀ ମିଳୁନାହିଁ । ଅନେକ ସ୍ଥାନରେ ଡିଲରମାନେ ନିଜ ନାଁରେ ରାସନକାର୍ଡ କରି ରାସନ ସାମଗ୍ରୀ ଉଠାଉଛନ୍ତି । ଏଭଳି ପୂରା ବ୍ଲକରେ ରାସନ କାର୍ଡ ବ୍ୟାପକ ଅନିୟମିତତାର ପ୍ରମାଣ ମିଳିଛି । ଏହା କେବଳ ଗୋଟିଏ ବ୍ଲକ ନୁହେଁ ବଂର ସାରା ରାଜ୍ୟରେ ଏମିତି ଦୁର୍ନୀତି ଚାଲିଛି ବୋଲଇ ସେ ଅଭିଯୋଗ କରିଛନ୍ତି ।