ଘଟଣାରୁ ପ୍ରକାଶ ଯେ, ଆଜି ସକାଳୁ କୋଭିଡ଼୍ କେୟାର୍ ମନିଟର୍ ମାନେ ଘରକୁ ଘର ଯାଇ ଥର୍ମାଲ୍ ସ୍କ୍ରିନିଂ କରିବା ସମୟରେ ପେଣ୍ଠକଟା ୪ଟି ୱାର୍ଡ଼ର ବାସିନ୍ଦା ମାନେ ଏହାକୁ ପ୍ରବଳ ବିରୋଧ କରିଥିଲେ । କୋଭିଡ଼୍ କେୟାର ସେଂଟରକୁ ସଂକ୍ରମିତଙ୍କୁ ଆଣିବାକୁ ଯାଇଥିବା ଗାଡିରେ ଯିବାକୁ ନେଇ ବିରୋଧ କରିଥିଲେ । ବାସିନ୍ଦା ମାନେ ଟେଷ୍ଟ ରିପୋର୍ଟ ଦେଖାଇବାକୁ ଦାବି କରିଥିଲେ । ଲକ୍ଷଣ ନଥିବା ଲୋକଙ୍କୁ ପଜିଟିଭ୍ କହି ଉଠାଇ ନିଆଯାଉଥିବା ଅଭିଯୋଗ କରିଥିଲେ । ରିପୋର୍ଟ ନଦେଖାଇଲେ ଆଉ କାହାକୁ ପ୍ରଶାସନ ସହ ନଛାଡିବାକୁ ଚେତାବନୀ ମଧ୍ୟ ଦେଇଥିଲେ । ଫଳରେ ସେଠାରେ ପୋଲିସ ସହ ବସ୍ତି ବାସିନ୍ଦାଙ୍କ ପ୍ରବଳ ଯୁକ୍ତି ତର୍କ ହେବା ସହିତ ଉତେଜନା ପ୍ରକାଶ ପାଇଥିଲା । ଘଟଣାସ୍ଥଳରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ (ଏସପି) ଅଖିଳେଶ୍ୱର ସିଂହ ଦୁଇ ପ୍ଲାଟୁନ୍ ପୋଲିସ ଫୋର୍ସ ପହଂଚି ଥିଲେ । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ପକ୍ଷରୁ ସେଠାରେ ମୃଦୁ ଲାଠି ଚାଳନା କରାଯାଇଥିଲା । ପରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଉପଜିଲ୍ଲାପାଳ ଭବତାରଣ ସାହୁ ପ୍ରମୁଖ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।
ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ରାସ୍ତାରେ ଶହ ଶହ ମହିଳା ମାନେ ପୋଲିସ ଓ ସ୍ୱେଚ୍ଛାସେବୀଙ୍କୁ ବିରୋଧ କରି ପାଟି ତୁଣ୍ଡ ହୋ ହାଲ୍ଲା କରିଥିଲେ । ସେମାନେ ସାମାଜିକ ଦୂରତ୍ୱ ରକ୍ଷା ନକରିବା ସହ ମୁହଁରେ ମାସ୍କ ପିନ୍ଧି ନଥିବା ଦେଖିବାକୁ ମିଳିନଥିଲା । ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ପହଂଚିବା ପରେ ଏହି ଆନ୍ଦୋଳନକାରୀ ମହିଳା ମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିବା ଦେଖିବାକୁ ମିଳିଥିଲା । ତେବେ ପରିସ୍ଥିତି ଉପରେ ନଜର ରଖିଛି ଡ଼୍ରୋନ୍ କ୍ୟାମେରା ।