ଭୁବନେଶ୍ୱର – କଳାହାଣ୍ଡି ଜିଲ୍ଲାର ଡେପୁଟି କଲେକ୍ଟର ଅନିଶା ଦାସଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର । ଏହାପୂର୍ବରୁ ସେ ବେତନଟି ତହସିଲଦାର ଭାବେ ନିଯୁକ୍ତ ଥିଲେ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏସମ୍ପର୍କରେ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ମୟୁରଭଂଜ ଜିଲ୍ଲା ବେତନଟି ତହସିଲଦାର ଭାବେ କାର୍ଯ୍ୟରତ ଥିବା ବେଳେ ଅନିଶା ଦାସ ମୋରମ ବୋଝେଇ ଟ୍ରକକୁ ବିନା ଫାଇନରେ ଥାନାରୁ ଛାଡି ଦେବା ପାଇଁ ବାଲିମାଫିଆଙ୍କ ସହିତ ଡିଲ ଚାଲିଥିବା ନେଇ ଅଭିଯୋଗ ହୋଇଥିଲା । ବାଲିମାଫିଆ, ଦଲାଲ ଏବଂ ତହସିଲଦାର କଥା ହେଉଥିବାର ଅଡିଲ ଟେପରେ ଲକ୍ଷେ ଟଙ୍କା ଦେଲେ ମୋରମ ବୋଝେଇ ଟ୍ରକକୁ ବିନା କୌଣସି ଫାଇନରେ ଛାଡିଦିଆଯିବ ବୋଲି ଦଲାଲ ଅଭିଜିତ ମହଲ ବାଲିମାଫିଆଙ୍କୁ ପ୍ରତିଶ୍ରୁତି ଦେଉଥିଲେ । ପୋଲିସ ଏହି ଘଟଣାରେ ଦଲାଲ ଅଭିଜିତ ମହଲକୁ ଗିରଫ କରିଥିଲା । ଆଉ ବେତନଟି ତହସିଲଦାର ଅନିଶା ଦାସଙ୍କୁ କଳାହାଣ୍ଡିକୁ ବଦଳି କରିଦିଆଯାଇଥିଲା । ତେବେ ଆଜି ଅନିଶାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି । ଏହାସହ ଜିଲ୍ଲାପାଳଙ୍କ ବିନାଅନୁମତିରେ ମୁଖ୍ୟାଳୟ ନଛାଡିବାକୁ ନ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।