ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଏକମାତ୍ର କୋଭିଡ୍ ହସ୍ପିଟାଲ ଭାବେ ଶୀତଳାପଲ୍ଲୀ ଠାରେ ୨୫୦ ଶଯ୍ୟା ବିଶିଷ୍ଟ ଟାଟା କୋଭିଡ୍-୧୯ ହସ୍ପିଟାଲ ଗତ ଏପ୍ରିଲ୍ ୧୦ତାରିଖ ଠାରୁ କାର୍ଯ୍ୟକ୍ଷମ ହୋଇଆସୁଛି । ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବାରୁ କୋଭିଡ୍ ହସ୍ପିଟାଲରେ ମଧ୍ୟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । କୋଭିଡ୍ ହସ୍ପିଟାଲରେ ଉନ୍ନତମାନର ଚିକିତ୍ସା ହେଉନଥିବା ଓ ଡାକ୍ତରମାନେ ରୋଗୀଙ୍କ ନିକଟକୁ ଆସୁନଥିବା ନେଇ ଚିକିତ୍ସିତ ରୋଗୀ ଓ ରୋଗୀ ସମ୍ପର୍କୀୟମାନେ ବିଭିନ୍ନ ସମୟରେ ଅଭିଯୋଗ କରି ଆସୁଛନ୍ତି । ଏପରିକି ସୋସିଆଲ୍ ମିଡିଆରେ ମଧ୍ୟ ଭିଡିଓ ଭାଇରାଲ ହୋଇଥିଲା । ବିଶେଷକରି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ କୋଭିଡ୍ ହସ୍ପିଟାଲ ପରିଦର୍ଶନରେ ଆସି ହସ୍ପିଟାଲ କିପରି ପରିଚାଳନା ହେଉଛି ଓ ରୋଗୀସେବା କିପରି ହେଉଛି ତାର ଅନୁଧ୍ୟାନ କରିଥିଲେ । ଏହି ଅନୁଧ୍ୟାନକରି ଫେରିବା ପରେ ଟାଟା ଗ୍ରୁପ୍ ଦ୍ୱାରା ପ୍ରତିଷ୍ଠିତ ଟାଟା ମେଡିକୋରେ ହୋଇଥିବା କୋଭିଡ୍-୧୯ ହସ୍ପିଟାଲରେ ଚିକିତ୍ସା ସେବାକୁ ସୁଦୃଢ଼ ଓ ଉନ୍ନତମାନର କରିବା ଲାଗି ଜିଲ୍ଲା ପ୍ରଶାସନର ସହମତିକ୍ରମେ ରାଜ୍ୟ ସରକାର ଘରୋଇ ହସ୍ପିଟାଲ ହାଇଟେକ୍କୁ ଏହାର ପରିଚାଳନା ଦାୟୀତ୍ୱ ଦେଇଛନ୍ତି । ଗତ ଶୁକ୍ରବାର ଠାରୁ ହାଇଟେକ୍ ଗ୍ରୁପ୍ ଟାଟା କୋଭିଡ୍-୧୯ ହସ୍ପିଟାଲ ପରିଚାଳନା ଆରମ୍ଭ କରିଛନ୍ତି । ଅନ୍ୟପକ୍ଷରେ ଜିଲ୍ଲାରେ କରୋନା ସଂକ୍ରମଣ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଲାଗି ଆଉ ୨ଟି ହସ୍ପିଟାଲ ଆରମ୍ଭ କରିଛନ୍ତି । ଏମ୍କେସିଜି ଶିଶୁ ବିଭାଗରେ ୧୫୦ଶଯ୍ୟା ବିଶିଷ୍ଟ ଓ ଅମିତ ହସ୍ପିଟାଲ ପରିସରରେ କଟକସ୍ଥିତ ଅଶ୍ୱିନୀ ହସ୍ପିଟାଲ ପରିଚାଳନାରେ ଆଉ ଏକ ହସ୍ପିଟାଲ ଆରମ୍ଭ ହେବାକୁ ଯାଉଛି । ଏହାର କାର୍ଯ୍ୟ ଯୁଦ୍ଧକାଳୀନଭିତ୍ତିରେ ଚାଲିଛି ଓ ଆଗାମୀ ୧୦ଦିନ ମଧ୍ୟରେ ଏହା କାର୍ଯ୍ୟକ୍ଷମ ହେବ ବୋଲି କୁହାଯାଉଛି । ବତ୍ତର୍ମାନ ଶୀତଳାପଲ୍ଲୀ କୋଭିଡ୍ ହସ୍ପିଟାଲରେ ୨୨୦ଟି ଶଯ୍ୟା ଓ ୫୪ଟି ଭେଣ୍ଟିଲେଟର ରହିଛି । ବଡ ଡାକ୍ତରଖାନାର ଡାକ୍ତର ଓ ପାରା ମେଡିକାଲ୍ କର୍ମଚାରୀ ରୋଗୀସେବା କରି ଆସୁଛନ୍ତି । ରୋଗୀଙ୍କୁ ଉତ୍ତମ ସେବା ମିଳୁନଥିବା ଅଭିଯୋଗପରେ ହାଇଟେକ୍ ଗ୍ରୁପ୍କୁ ପରିଚାଳନା ଦାୟୀତ୍ୱ ଦିଆଯାଇଥିବା ଜଣାପଡିଛି ।
Related Stories
November 23, 2024