-
ଜାଲ ବିଛାଇ ଜଗିଛନ୍ତି ଦଲାଲ
ବ୍ରହ୍ମପୁର: ଗୁଜୁରାଟର ସୁରତରେ କରୋନା ଏବେ ବିସ୍ଫୋରକ ସ୍ଥିତିରେ । ରାତି ପାହିଲେ ଗୋଟିଏ ପରେ ଗୋଟିଏ ଇଲାକା ନିଷିଦ୍ଧାଂଚଳ ଘୋଷଣା ହେଉଛି । ଅଧିକାଂଶ ସୂତାକଳ ଚାଲିପାରୁନାହିଁ । ଲକ୍ଡାଉନ୍ ଯୋଗୁଁ ଜୀବିକା ହରାଇ ୪ମାସ ତଳେ ସୁରତରୁ ଗଞ୍ଜାମକୁ ଫେରିଥିବା ଓଡ଼ିଆ ଶ୍ରମିକ ଏବେ ପୁଣି ସୁରତ ମୁହାଁ । ଗୁଜୁରାତର ବାସ୍ତବ ସ୍ଥିତି ନ ଜାଣି ଜୀବନକୁ ବିପନ୍ନ କରି ଦଲାଲଙ୍କ ପ୍ରଲୋଭନ ଏବଂ ରୋଜଗାରର ଆଶା ନେଇ ଗଞ୍ଜାମ ଫେରିଥିବା ଶ୍ରମିକ ଏବେ ସୁରତ ଯିବା ଆରମ୍ଭ କରିଛନ୍ତି । ଶ୍ରମିକଙ୍କୁ ସୁରତକୁ ନେବା ଲାଗି ଦଲାଲ ମାନେ ଗଞ୍ଜାମ ଆସି ବିଭିନ୍ନ ସ୍ଥାନରେ ରହିଛନ୍ତି । ଏଥିସହ ଶ୍ରମିକଙ୍କୁ ହ୍ୱାଟସପ୍ରେ ମେସେଜ ପଠାଇ ସୁରତ ଯିବା ଲାଗି ପ୍ରୋତ୍ସାହିତ କରୁଛନ୍ତି । ଶେରଗଡ଼ ଅଂଚଳ ୨୨ଜଣ ଶ୍ରମିକ ଏକ ବସ ଯୋଗେ ଝାରସୁଗୁଡା ଯାଇ ସେଠାରୁ ଟ୍ରେନ ଯୋଗେ ଗୁଜୁରାଟ ଯାଇଥଲେ । ଗତ ୪ଦିନ ତଳେ ଆସିକା ଓ ପୋଲସରା ଅଂଚଳର ୩୭ଜଣ ଶ୍ରମିକ ଆସିକାରୁ ଏକ ବସ ଯୋଗେ ସୁରତ ଯାଇଥିଲେ । ଶ୍ରମିକମାନଙ୍କ ସୁରତ ଫେରିବା ଧାରା ଅବ୍ୟାହତ ରହିଥିବା ବେଳେ ଅଗାମୀ ଦିନରେ ପୁଣି ଏକ ରାଜ୍ୟ ଓ ଜିଲ୍ଲା ପ୍ରଶାସନ ଲାଗି ବଡ ସମସ୍ୟା ଉପୁଜିବାର ଆଶଙ୍କା ସୃଷ୍ଟି ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଗୁଜୁରାତରେ କରୋନାରେ ୨୨୭୮ଜଣଙ୍କ ମୃତ୍ୟୁ ଘଟିଲାଣି । ଗୁଜୁରାଟରେ ୫୩୫୪୫ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩୮୮୪୯ ଜଣ ସୁସ୍ଥ ହୋଇଥିବା ବର୍ତମାନ ୧୪୬୯୬ ସକ୍ରିୟ ରହିଛନ୍ତି । ଗୁଜୁରାଟ ପ୍ରଦେଶର କେବଳ ସୁରତ ଜିଲ୍ଲାରେ ୩୧୩୯ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି । ୩୨୩ଜଣଙ୍କ ମୃତ୍ୟୁ ଘଟିଲାଣି । ୭୩୨୬ଜଈ ସୁସ୍ଥ ହୋଇଛନ୍ତି । ଗଞ୍ଜାମ ଜିଲ୍ଲା ଠାରୁ ସୁରତ ଜିଲ୍ଲାର ସ୍ଥିତ ଅଧକ ସଙ୍ଗୀନ ରହିଛି ।
ଯେତେବେଳେ ସୁରତରେ କରୋନା ପାଦ ଥାପୁଥିଲା ସେହି ସମୟରେ ସୂତାକଳ ଶ୍ରମିକ ମାନେ ଗଞ୍ଜାମକୁ ଫେରିଥିଲେ । ବିଭିନ୍ନ ରାଜ୍ୟରୁ ଗଞ୍ଜାମକୁ ପ୍ରାୟ ୨ଲକ୍ଷ ୩୦ହଜାର ଶ୍ରମିକ ଫେରିଥିବା ବେଳେ ସେଥିରୁ ୭୦ପ୍ରତିଶତ ସୁରତରୁ ଫେରିଥିଲେ । ଶ୍ରମିକମାନେ ଫେରିବା ପରେ ଗଞ୍ଜାମର ସ୍ଥିତି ଦୋହଲି ଯାଇଛି । କରୋନା ମହାମାରୀର ପ୍ରକୋପ ଦିନକୁ ବଢିବାରେ ଲାଗିଛି । ଏପ୍ରିଲ ଠାରୁ ବର୍ତମାନ ମଧ୍ୟରେ ସୁରତ ସ୍ଥିତି ସମ୍ପୂର୍ଣ୍ଣ ବଦଳିଯାଇଛି । କରୋନା କବଳରେ ରହିଛି ସୁରତ । ୮୦ପ୍ରତିଶତ ସୂତାକଳ ବନ୍ଦ ରହିଛି । ବାସ୍ତବ ସ୍ଥିତି ନ ବୁଝି ଶ୍ରମିକମାନେ ସୁରତ ଫେରୁଛନ୍ତି । ସୁରତ ପହଂଚିବା ପରେ କାମ ପାଇବେ କି ନାହିଁ ତାହାକୁ ନେଇ ପ୍ରଶ୍ନ ଉଠିଛି ।
ଶ୍ରମିକମାନେ ଜିଲ୍ଲା ଓ ସ୍ଥାନୀୟ ବ୍ଲକ ପ୍ରଶାସନରେ ଅଗୋଚରରେ ଲୁଚିଛପି ସୁରତ ଯାଉଛନ୍ତି । ବସ୍ରେ ଯିବା ବେଳେ ସାମାଜିକ ଦ୍ୱରତ୍ୱ ବି ରହୁନାହିଁ । ଗୋଟିଏ ବସ୍ରେ ପ୍ରାୟ ୫୦ଜଣ ଯାଉଛନ୍ତି । ଏହାଦ୍ୱାରା ଶ୍ରମିକମାନେ ଅଧିକ ସଂକ୍ରମିତ ହେବାର ଆଶଙ୍କା ବି ରହୁଛି ।
ଶ୍ରମିକମାନେ ଜୀବିକା ହରାଇ ଭିଟାମାଟି ଫେରିବାର ୩ମାସ ବିତିଥିଲେ ହେଁ ଏଠାରେ କର୍ମସଂସ୍ଥାନର ସୁଯୋଗ ପାଇ ନ ଥିଲେ । ରାଜ୍ୟ ସରକାର ମନରେଗାରେ କାମ ଦେବା ଲାଗି କହିଁଥିଲେ ହେଁ ଏଯାବତ୍ ଜିଲ୍ଲାର ଶ୍ରମିକଙ୍କୁ ପର୍ଯ୍ୟାପ କାମ ଯୋଗାଇ ପାରିନାହାନ୍ତି । ଶ୍ରମିକମାନେ କାମ ନ ପାଇ ରୋଜଗାର କରିବାର ଆଶା ଓ ଦଲାଲ ପ୍ରଲୋଭନର ଶୀକାର ହୋଇ ସୁରତ ଯାଉଛନ୍ତି ।
ସୁରତର ବାସ୍ତବ ସ୍ଥିତି ସମ୍ପର୍କରେ ଓଡ଼ିଆ ସୁତାକଳ ମାଲିକ ତଥା ସେଠାରେ ଥିବା ପ୍ରବାସୀ ଓଡ଼ିଆ ସଂଘର କର୍ମକର୍ତ୍ତାମାନେ କୁହନ୍ତି, ସୁରତରେ କରୋନା ସ୍ଥିତି ଗମ୍ଭୀର ରହିଛି । ବର୍ତମାନ ଯେଉଁ ଓଡ଼ିଆ ମାନେ ରହିଛନ୍ତି ସେଥିରୁ ୨୦ରୁ ୩୦ ପ୍ରତିଶତ କରୋନାରେ ପୀଡ଼ିତ । ୯୦ ପ୍ରତିଶତ ସୂତାକଳ ଚାଲୁନାହିଁ । ଯେଉଁଠି ଚାଲୁଛି କେବଳ ୮ଘଂଟା ଚାଲୁଛି । ଶ୍ରମିକଙ୍କୁ ପର୍ଯ୍ୟାପ୍ତ କାମ ମିଳୁନି । ରାତି ପାହିଲେ ଗୋଟିଏ ପରେ ଗୋଟିଏ ଇଲାକା ନିଷିଦ୍ଧାଚଂଳ ଘୋଷଣା ହେଉଛି । ନିଷିଦ୍ଧାଂଚଳ ଇଲାକାରେ ସବୁ କମ୍ପାନୀ ବନ୍ଦ ରହୁଛି । ଅନ୍ୟପକ୍ଷରେ ଦେଶର କଲିକତା, ରାଜସ୍ଥାନ, ଆଦି ସ୍ଥାନରେ ଯେଉଁ ସବୁ କଟନ ମଣ୍ଡି ରହିଛି ତାହା ବନ୍ଦ ରହିଛି । ସୂତାକଳ ମାଲିକ ଉତ୍ପାଦିତ ଦ୍ରବ୍ୟ ବିକ୍ରି କରିପାରୁନାହାନ୍ତି । ଏଭଳି ସ୍ଥିତିରେ ଅଧିକ ଉତ୍ପାଦନ କରି କରିବେ କଣ ? ମୋର ଅନୁରୋଧ ଯେଉଁ ଓଡିଆ ଭାଇ ମାନେ ସୁରତ ଆସିବାକୁ ଚାହୁଁଛନ୍ତି ସେମାନେ କାମ କରୁଥିବା କମ୍ପାନୀର ମାଲିକ ସହ କଥା ହୁଅନ୍ତି । କାମ ମିଳିବାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତି ମିଳିବା ପରେ ଫେରନ୍ତୁ । ଦଲାଲ କଥା ସୁରତ ଆସି ଜୀବନକୁ ବିପଦରେ ପକାନ୍ତୁ ନାହିଁ । ଓଡିଶା ସରକାର ନଭେମ୍ବର ଯାଏଁ ଜଣ ପିଛା ୫କେଜି ଚାଉଳ ମାଗଣା ଦେବେ ବୋଲି ଘୋଷଣା କରିଛନ୍ତି । ତେଣୁ ଓଡିଶାରେ ରହିଲେ ଭୋକିଲା ରହିବେ ନାହିଁ । ତେଣୁ ବର୍ତମାନ ସ୍ଥିତିରେ ନ ଫେରିବା ଲାଗି ମୁଁ ଅନୁରୋଧ କରୁଛି ।