ବ୍ରହ୍ମପୁର: ବର୍ତ୍ତମାନ ଯେଉଁ କରୋନା ମହାମାରୀ ସଂକ୍ରମଣ ହୁ ହୁ ହୋଇ ଭାରତ ବର୍ଷ ଏବଂ ଓଡ଼ିଶା ତଥା ଗଞ୍ଜାମ ଜିଲ୍ଲାରେ ବଢ଼ିଚାଲିଛି ତାହା ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି । ଆଜିସୁଦ୍ଧା ସରକାରୀ ତଥ୍ୟ ଅନୁସାରେ ମୃତ୍ୟୁ ସଂଖ୍ୟା ୧୩୦ ଥିଲା ବେଳେ କେବଳ ଗଞ୍ଜାମ ଜିଲ୍ଲାରେ ହିଁ ମୃତ୍ୟୁ ସଂଖ୍ୟା ୭୩ । ଅନ୍ୟ କାରଣରୁ ମୃତ୍ୟୁ ସଂଖ୍ୟା ୨୨ରୁ ଉର୍ଦ୍ଧ୍ୱ ବୋଲି କୁହାଯାଉଛି । ସେହିପରି ସଂକ୍ରମିତଙ୍କ ସଂଖ୍ୟା ୨୪ହଜାରରୁ ଊର୍ଦ୍ଧ୍ୱ ହେଲାଣି । କିନ୍ତୁ ପ୍ରକୃତରେ ସରକାର କରୋନା ସଂକ୍ରମଣଜନିତ ମୃତ୍ୟୁ ସଂଖ୍ୟାକୁ ଲୁଚାଉଛନ୍ତି । ଯେଉଁଥିରେ କରୋନା ଯୋଦ୍ଧାଙ୍କ ମୃତ୍ୟୁ ସଂଖ୍ୟା ମଧ୍ୟ ସାମିଲ୍ ଅଛି । କିଛିଦିନ ହେଲା ଏମ୍କେସିଜି ମେଡିକାଲ୍ କୋଭିଡ ହସ୍ପିଟାଲରେ ପ୍ରତ୍ୟେକ ଦିନ ୨୫ରୁ ୩୦ଜଣଙ୍କ ମୃତ୍ୟୁ ଘଟୁଛି । କିନ୍ତୁ କାହାର ବି କରୋନା ଟେଷ୍ଟିଂ କରାଯାଉନାହିଁ । ଯଦ୍ୱାରା ପରୋକ୍ଷରେ ସରକାରଙ୍କ କରୋନା ସଂକ୍ରମଣକୁ ବଢ଼ାଇବାରେ ସମ୍ପୃକ୍ତି ଥିବା କଥା ଏଡାଇହେବ ନାହିଁ । କାରଣ ଯେଉଁମାନେ ମୃତ୍ୟୁବରଣ କରୁଛନ୍ତି କାହାର ବି ଟେଷ୍ଟିଂ ନକରି ମର ଶରୀରକୁ ସମ୍ପର୍କୀୟଙ୍କୁ ପୋଲିସର ଭୟ ଦେଖାଇ ହସ୍ତାନ୍ତର କରାଯାଉଛି ସେହି ମର ଶରୀରର ଶବ ସତ୍କାର ବେଳେ ଉପସ୍ଥିତ ଥିବା ବନ୍ଧୁ ପରିଜନଙ୍କ ସହ ସେମାନଙ୍କ ସମ୍ପର୍କରେ ଆସୁଥିବା ଶହ ଶହ ନିରୀହ ଲୋକ ବହୁଳ ଭାବେ ସଂକ୍ରମିତ ହେଉଛନ୍ତି । ଟେଷ୍ଟକଲା ପରେ କରୋନା ପଜିଟିଭ ଆସିଲେ ଏବଂ ସେ ରୋଗୀର ମୃତ୍ୟୁ ହେଲେ ତାକୁ କୋଭିଡ୍-୧୯ ନିୟମାନୁଯାୟୀ ଶବ ସତ୍କାର ହୋଇଥିଲେ ସଂକ୍ରମଣ ବହୁଳ ଭାବେ କମିପାରନ୍ତା । କିନ୍ତୁ ସରକାର ଜାଣିଶୁଣି ମୃତ୍ୟୁ ସଂଖ୍ୟାକୁ କମ୍ ଦେଖାଇବା ପାଇଁ ମୃତ ବ୍ୟକ୍ତିଙ୍କର କୋଭିଡ୍ ଟେଷ୍ଟ ନକରି ତରବରିଆ ଭାବେ ମର ଶରୀରକୁ ତାଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଉଛି । ଯାହାକି ଅତ୍ୟନ୍ତ ସ୍ପର୍ଶକାତର ଏବଂ ନିନ୍ଦନୀୟ ଘଟଣା । ଏମିତିକି ମୃତ ବ୍ୟକ୍ତିଙ୍କର ପଞ୍ଜିକରଣ ନକରି ଏକ କାଗଜରେ କୋଭିଡ୍ ନେଗେଟିଭ ବୋଲି ଉଲ୍ଲେଖ କରି ଡିସ୍ଚାର୍ଜ ସ୍ଲିପ୍ ଧରାଇ ଦେଉଛନ୍ତି ଯହୋ ତଦନ୍ତ ସାପେକ୍ଷ । ଗଞ୍ଜାମ ଜିଲ୍ଲାରେ ପ୍ରାୟ ୪୫ଲକ୍ଷ ଜନସଂଖ୍ୟା ଥିବ।। ଏବଂ ପଜିଟିଭ ସଂଖ୍ୟା ମଧ୍ୟ ଓଡ଼ିଶାରେ ସବୁଠାରୁ ଅଧିକ ଥିଲାବେଳେ ପୁରୀ, କଟକ, ଭୁବନେଶ୍ୱରରେ ସେରୋଲୋଜିକାଲ୍ ଟେଷ୍ଟ କରାଗଲା କିନ୍ତୁ ଆଜି ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାରୁ ନିଜେ ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ୱ କରୁଥିଲେ ମଧ୍ୟ ଗଞ୍ଜାମ ଜିଲ୍ଲାକୁ ସେରୋଲୋଜିକାଲ୍ ଟେଷ୍ଟ ପାଇଁ ଗୁରୁତ୍ୱ ଦିଆଯାଇନାହିଁ । ଚିକିଟି ନିର୍ବାଚନ ମଣ୍ଡଳୀରେ ପ୍ରତ୍ୟେକ ପଞ୍ଚାୟତରେ ଯେଉଁ ସବୁ କୋଭିଡ୍ କେର୍ ହୋମ୍ କରାଯାଇଛି ସେଥିରେ କୌଣସି ଆନୁସଙ୍ଗିକ ବ୍ୟବସ୍ଥା ନଥିବା ପରିଲକ୍ଷିତ ହେଉଛି । ଯଦ୍ୱାରା କୋଭିଡ୍ ପଜିଟିଭ ରୋଗୀମାନେ ସେଠାରେ ରହିଲେ କୌଣସି ମେଡିକାଲ୍ ସୁବିଧା ପାଇନପାରି ଜଣେ ଲକ୍ଷଣବିହୀନ ରୋଗୀ ଅଧିକ ସଂକ୍ରମଣକୁ ଗତି କରୁଛି । ତେଣୁ ଯେଉଁ ରୋଗୀମାନେ ଏମ୍କେସିଜି କୋଭିଡ୍ ସେଣ୍ଟର କିମ୍ବା ସିଟି ହସ୍ପିଟାଲ କୋଭିଡ୍ ସେଣ୍ଟରରେ ଆଡ୍ମିଟ୍ ହେଉଛନ୍ତି ସେମାନଙ୍କ ସ୍ୱାବ୍ ଟେଷ୍ଟ ବାଧ୍ୟତାମୂଳକ ଭାବେ କରାଯାଇ ଚିକିତ୍ସା କରାଯିବା ସହ ଯେଉଁମାନେ କୋଭିଡ୍ ପଜିଟିଭରେ ମୃତ୍ୟୁବରଣ କରୁଛନ୍ତି ସେମାନଙ୍କ ମର ଶରୀରକୁ କୋଭିଡ୍-୧୯ ନିୟମ ଅନୁଯାୟୀ ଶବ ସତ୍କାର କରାଗଲେ ସଂକ୍ରମଣ କମିବା ସହ ସେମାନଙ୍କୁ କୋଭିଡ୍ ପଜିଟିଭ ମୃତ୍ୟୁ ତାଲିକାରେ ଅନ୍ତର୍ଭୁକ୍ତ କଲେ ଏବଂ ମୃତ ସରକାରୀ କର୍ମଚାରୀମାନଙ୍କୁ କୋଭିଡ୍ ଯୋଦ୍ଧା ଭାବେ ଘୋଷଣାକରି ଉପଯୁକ୍ତ ସହାୟତା ପ୍ରଦାନ କଲେ ସରକାରଙ୍କ ଉପରେ ଜନସାଧାରଣଙ୍କ ଆସ୍ଥା ଓ ବିଶ୍ୱାସ ରହିବ ଏବଂ ଚିକିଟି ନିର୍ବାଚନ ମଣ୍ଡଳୀରେ ରେଡ୍ ଜୋନ୍ ଓ ଗ୍ରୀନ୍ ଜୋନ୍ରେ ବ୍ୟାପକ ଭାବେ ଟେଷ୍ଟିଂ କରାଯାଇ ରିପୋର୍ଟ ନଆସିବା ପର୍ଯ୍ୟନ୍ତ ସ୍ୱାବ୍ ଦେଇଥିବା ଲୋକଙ୍କୁ ସରକାରୀ ସଙ୍ଗରୋଧରେ ରଖିଲେ ସଂକ୍ରମଣ ବ୍ୟାପକ ଭାବେ କମିବ ତଥା କୋଭିଡ୍ କେର ହୋମ୍ରେ ଆନୁସଙ୍ଗିକ ବ୍ୟବସ୍ଥା କରାଯିବା ନିମନ୍ତେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ଏକ ପ୍ରେସ୍ ବିବୃତ୍ତିରେ ଚିକିଟି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋରଞ୍ଜନ ଦ୍ୟାନ ସାମନ୍ତରା ଉଲ୍ଲେଖ କରିଛନ୍ତି ।
Related Stories
November 23, 2024