ଭୁବନେଶ୍ୱର – ପାଞ୍ଜି ବା ପଞ୍ଜିକା ବା ପଂଚାଙ୍ଗ-ବେଦାଙ୍ଗ ଜ୍ୟୋତିଷ ବା ଜ୍ୟୋତିର୍ଗଣିତର ଅଂଶବିଶେଷ । ପାଞ୍ଜି ଏକ ପ୍ରକାର ଆଚାରସଂହିତା । ଏହା ବିଶ୍ୱାସର ଜ୍ୟୋତି ସ୍ତମ୍ଭ ଏବଂ ପବିତ୍ର ଗ୍ରନ୍ଥ । ଓଡ଼ିଶାର ରାଷ୍ଟ୍ରଦେବତା ଶ୍ରୀ ଜଗନ୍ନାଥଙ୍କ ର ସକଳ ନୀତିକାନ୍ତି, ମନ୍ଦିରର ପ୍ରତ୍ୟେହ ପାଞ୍ଜିରେ ଉଲ୍ଲିଖିତ ସମସ୍ତ ବିବରଣୀ ପ୍ରଭୁଙ୍କ ନିକଟରେ ପଠନ କରାଯାଏ ଏବଂ ମୁଖ୍ୟ ୧୨ ଯାତ୍ରା ସହିତ ଆଉ ପ୍ରାୟ ଶହେଟି ଉପଯାତ୍ରା ପାଞ୍ଜିର ନିର୍ଦ୍ଦିଷ୍ଟ ଦିନ ଓ ମୁହୂର୍ତକୁ ନେଇ ପାଳନ କରାଯାଏ ବୋଲି ବିଶିଷ୍ଟ ଗବେଷକ ତଥା ବିଦ୍ୱାନ ପ୍ରଫେସର ରାଜ କିଶୋର ମିଶ୍ର ଉଲ୍ଲେଖ କରିଛନ୍ତି ।
ଶନିବାର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରାଜ୍ୟ ଅଭିଲେଖାଗାରରେ ୪୩ତମ ‘ସଂସ୍କୃତି ଚର୍ଚ୍ଚା’ ଇଂଟରନେଟ୍ ର ଦୃଶ୍ୟଶ୍ରାବ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ‘ଓଡ଼ିଶାରେ ପାଞ୍ଜିର ସାଂସ୍କୃତିକ ଓ ଧର୍ମୀୟ ପ୍ରଭାବ’ ଶୀର୍ଷକ ପ୍ରସଙ୍ଗ ଉପରେ ଆଲୋକପାତ କରି ପ୍ରଫେସର ମିଶ୍ର କହିଲେ ଯେ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଓଷା, ବିବାହ, ବ୍ରତ, ଦେବତା ଓ ଦେବୀ ପୀଠମାନଙ୍କରେ ପୂଜାପାର୍ବଣ, ସୂର୍ଯ୍ୟ ପରାଗ, ଚନ୍ଦ୍ର ଗ୍ରହଣ, ରାଶିନକ୍ଷତ୍ର ଇତ୍ୟାଦିର ଶୁଭ ଲ ଗ୍ନ ପାଞ୍ଜି ମାଧ୍ୟମରୁ ହିଁ ପାଇଥାନ୍ତି । ପାଞ୍ଜିକୁ ଅଧିକ ତଥ୍ୟଭିତିକ ଓ ବିଶା୍ୱସଯୋଗ୍ୟ କରିବାକୁ ହେଲେ ଆଧୁନିକ ବିଜ୍ଞାନର ସହାୟତା ନେବା ଉଚିତ । ଭୁବନେଶ୍ୱରସ୍ଥ ପଠାଣି ସାମନ୍ତ ପ୍ଲାନେଟୋରିୟମ୍, ଇସ୍ରୋ, ନାସାର ଆଲମନାକ୍ ପ୍ରଭୃତିର ସହାୟତା ନେଇ ଗଣିତଜ୍ଞ, ପଣ୍ଡିତ ଓ ପାରମ୍ପରିକ ଜ୍ୟୋତିର୍ଗଣିତ ବିଶାରଦଙ୍କ ଦିଗ୍ଦର୍ଶନକୁ ପାଥେୟ କରିବାକୁ ପଡ଼ିବ ବୋଲି ମତ ପ୍ରଫେସର ମିଶ୍ର ମତବ୍ୟକ୍ତ କରିଥିଲେ ।
ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ଓଡ଼ିଶା ହେଉଛି ପ୍ରଭୁ ଜଗନ୍ନାଥଙ୍କ ଦେଶ । ଓଡ଼ିଶାରେ ଅନେକ ପଞ୍ଜିକା ରହିଛି ତନ୍ମଧ୍ୟରୁ କୋହିନୂର ପଞ୍ଜିକା ଅନ୍ୟତମ । ସର୍ବପୁରାତନ ପାଞ୍ଜି ମାଦଳା ପାଞ୍ଜି । ଜଗନ୍ନାଥ ମନ୍ଦିର ଓ ସଂସ୍କୃତିର କ୍ରମବିକାଶ, ଇତିହାସ ମାଦଳା ପାଞ୍ଜିରେ ସନ୍ନିବସିତ ରହିଛି । ଓଡ଼ିଆମାନଙ୍କର ଜୀବନ ଚର୍ଚ୍ଚା, ବିଭିନ୍ନ ଯାତ୍ରା ଓ ଉତ୍ସବ ଜଗନ୍ନାଥଙ୍କ ଘୋଷଯାତ୍ରା, କୃଷିକାର୍ଯ୍ୟ, ସାଂସ୍କୃତିକ ଏବଂ ଧର୍ମୀୟ ଚେତନାର ମୂଳଧାର ହେଉଛି ପାଞ୍ଜି ।
ବିଭାଗୀୟ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ, ଶ୍ରୀ ବିଜୟ କୁମାର ନାୟକ କହିଲେ ଯେ ପାଞ୍ଜି ଆମର ସାଂସ୍କୃତିକ ଏବଂ ଧର୍ମୀୟ ପରମ୍ପରା ସହିତ ଜଡ଼ିତ । ପାଞ୍ଜି ମାଧ୍ୟମରେ ଓଡ଼ିଶାର ବିବିଧ ପରମ୍ପରା ଯଥା ସାଂସ୍କୃତିକ ଜୀବନଧାରାର ବିକାଶ, ପର୍ବପର୍ବାଣି ଆଦିର ସୂଚନା ମିଳିଥାଏ । ଶେଷରେ ଅଭିଲେଖାଗାରର ଅଧୀକ୍ଷକ ଡ. ଶେଖ ସୋଲେମାନ୍ ଅଲ୍ଲୀ ଧନ୍ୟବାଦ ଅର୍ପଣ କରିଥିଲେ ।