ପାରଳାଖେମୁଣ୍ଡି– ଗଜପତି ଜିଲ୍ଲାରେ ଆଜି ଆଉ ୮୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯୦୯କୁ ବୃଦ୍ଧି ପାଇଥିବା ନେଇ ଜିଲ୍ଲାପାଳ ଅନୁପମ୍ ସାହା ସୂଚନା ଦେଇଛନ୍ତି । ଗତ ୨୦ ତାରିଖ ଓ ୨୪ ତାରିଖରେ ଏମାନଙ୍କର ସ୍ୱାବ୍ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ପଠାଯାଇଥିଲା । ରିପୋର୍ଟ ପଜିଟିଭ୍ ଆସିବା ପରେ ଆକ୍ରାନ୍ତ ମାନଙ୍କୁ କୋଭିଡ଼୍ ହସ୍ପିଟାଲ ଓ କୋଭିଡ଼୍ କେୟାର୍ ସେଂଟରକୁ ସ୍ଥାନାନ୍ତରିତ କରାଯାଇଛି ।
ନୂଆ ଚିହ୍ନଟ ୮୮ ଆକ୍ରାନ୍ତଙ୍କ ମଧ୍ୟରୁ ପୁରୁଷ ୭୨ ଜଣ ମହିଳା ଓ ୧୬ ଜଣ ରହିଛନ୍ତି । ତନ୍ମଧ୍ୟରେ ୯ ଜଣ ନାବାଳକ ଓ ନାବାଳିକା ରହିଛନ୍ତି । ଏମାନଙ୍କର ବୟସ ଯଥାକ୍ରମେ ୧ ବର୍ଷ ରୁ ୭୮ ବର୍ଷ ରହିଛି ।
ଏମାନଙ୍କ ମଧ୍ୟରେ ଗୋଷାଣୀ ବ୍ଲକରୁ ୫ ଜଣ, ଗୁମ୍ମା ବ୍ଲକ୍ ରୁ ୧୦ ଜଣ, ପାରଳାଖେମୁଣ୍ଡି ସହରରୁ ୫୪ ଏବଂ ରାୟଗଡ଼ ବ୍ଲକ୍ ରୁ ଜଣେ ଆକ୍ରାନ୍ତ ରହିଛନ୍ତି । ସେହିପରି ଆର୍. ଉଦୟଗିରି ବ୍ଲକ୍ ରୁ ୧୬ ଜଣ, କାଶୀନଗର ବ୍ଲକ୍ ରୁ ଜଣେ, ନୂଆଗଡ଼ ବ୍ଲକରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଘରକୁ ଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ୫୨ ଜଣଙ୍କୁ ଚିହ୍ନଟ କରାଯାଇଛି । ପୂର୍ବ ଆକ୍ରାନ୍ତରେ ସଂସ୍ପର୍ଶରେ ଆସି ୨୭ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୮ ଜଣ କୋଭିଡ଼୍ ଯୋଦ୍ଧା ରହିଛନ୍ତି । ଅନ୍ୟ ଜଣେ ଜିଲ୍ଲା ବାହାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।