ଭୁବନେଶ୍ୱର – କରୋନା ମୁକାବିଲା ପାଇଁ ମନ୍ତ୍ରୀମାନଙ୍କୁ ଜିଲ୍ଲା ଗୁଡିକର ଦାୟିତ୍ୱ ଦେବା କେବଳ ରାଜନୀତି । ଦଳ ମତ ନିର୍ବିଶେଷରେ ସବୁ ଦଳ ଏକ ହୋଇ କରୋନାର ମୁକାବିଲା କରିବା ପାଇଁ ଓଡିଶା ସରକାରଙ୍କୁ ଆମେ ସହଯୋଗ କରିଛୁ । ତେଣୁ ମୁଖ୍ୟମନ୍ତ୍ରୀ ସର୍ବଦଳୀୟ ବୈଠକ ଡାକନ୍ତୁ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଦାବି କରିଛନ୍ତି ।
ସେ କହିଛନ୍ତି ଯେ ସାମ୍ପ୍ରତିକ ପରିସ୍ଥିତିରେ ଭାରତ ବର୍ଷରେ ସବୁ ପ୍ରଦେଶ ଏକ ହୋଇ କରୋନାର ମୁକାବିଲା କରୁଥିବା ସମୟରେ କେବଳ ମନ୍ତ୍ରୀ ମାନଙ୍କୁ ଦାୟୀତ୍ୱ ଦେଇ ଲୋକ ମାନଙ୍କୁ ସଚେତନ କରାଇବାକୁ ନିର୍ଦ୍ଦେଶ ଦେବା ଅନୁଚିତ । ଖୋଦ୍ ମୁଖ୍ୟମନ୍ତ୍ରୀ ସୁସ୍ଥ ବ୍ୟକ୍ତି ମାନଙ୍କୁ ପ୍ଲାଜମା ଦାନ କରିବାକୁ ଆହ୍ୱାନ ଦେବା ପରେ ଆଉ ଜଣେ କେହି ଯାଇ ଜନ ଜାଗରଣ କରିବା ଏକ ଉଦ୍ଦେଶ୍ୟ ପ୍ରଣୋଦିତ ରାଜନୀତି ଭଳି ଅନୁଭବ ହେଉଛି । ବର୍ତମାନ କିଛି ସ୍ଥାନ ମାନଙ୍କରେ ପ୍ଲାଜମା ଥେରାପି ଦେବା ପାଇଁ ଯୋଜନା କରାଯାଇଛି । ସବୁ ଜିଲ୍ଲାରେ ଏ ନେଇ ବ୍ୟବସ୍ଥା ହୋଇନାହିଁ । ଥେରାପି ପାଇଁ ଏକ୍ସପର୍ଟ ମାନଙ୍କୁ ଏ ପର୍ଯ୍ୟନ୍ତ ନିଯୁକ୍ତି ଦିଆଯାଇନାହିଁ । ତାହେଲେ ଏହି ମନ୍ତ୍ରୀ ମାନେ ଯାଇ କରିବେ କଣ ବୋଲି ସେ ପ୍ରଶ୍ନ କରିଛନ୍ତ । ଅତୀତରେ ରାଜ୍ୟକୁ ସଚିବ ମାନେ ଶାସନ କରୁଥିବା ସମୟରେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ମନ୍ତ୍ରୀ ମାନେ କେମିତି ମନେ ପଡ଼ିଲେ ତାହା ଚିନ୍ତା କରିବାର ବିଷୟ । ତେଣୁ ରାଜ୍ୟ ସରକାରଙ୍କୁ ନିବେଦନ, ମୁଖ୍ୟମନ୍ତ୍ରୀ ସର୍ବଦଳୀୟ ବୈଠକ ଡାକନ୍ତୁ ବୋଲି ଶ୍ରୀ ନାଏକ କହିଛନ୍ତି ।