ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ଖାଦ୍ୟ ସୁରକ୍ଷା ଆଇନରେ ହିତାଧିକାରୀମାନଙ୍କୁ ମାଗଣାରେ ୫ କିଲୋ ଚାଉଳ ଏବଂ ୧ କିଲୋ ଡାଲି ଯୋଗାଇଦେବାର ଘୋଷଣା କରିଛନ୍ତି । ଏହା ପୂର୍ବରୁ ଚଳିତ ମାସ ପ୍ରଥମ ସପ୍ତାହରେ ମୋଦି ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଦେଶର ୮୧ କୋଟି ହିତାଧିକାରୀଙ୍କୁ ନଭେମ୍ବର ପର୍ଯ୍ୟନ୍ତ ମାଗଣାରେ ୫ କିଲୋ ଚାଉଳ ଏବଂ ୧ କିଲୋ ଡାଲି ଯୋଗାଇଦେବାର ଘୋଷଣା କରିଛନ୍ତି । ଏହି ନିଷ୍ପତିକୁ କେନ୍ଦ୍ର କ୍ୟାବିନେଟରେ ଅନୁମୋଦନ ମିଳିଛି । କେନ୍ଦ୍ର ସରକାରଙ୍କ ଯୋଜନା ଓ ନିଷ୍ପତିକୁ ନିଜେ ଘୋଷଣା କରି ରାଜ୍ୟସରକାର ବାହାସ୍ପଟ ମାରୁଛନ୍ତି ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର ଅଭିଯୋଗ କରିଛନ୍ତି ।
ଶ୍ରୀ ମହାପାତ୍ର କହିଛନ୍ତି ଯେ, ଦେଶରେ ଖାଦ୍ୟ ସୁରକ୍ଷା ଆଇନ ଲାଗୁ ହେବା ସମୟରେ ରାଜ୍ୟର ଜନସଂଖ୍ୟା ୪ କୋଟି ୧୯ ଲକ୍ଷ ୭୪ହଜାର ୨୧୮ ଥିଲା । ଏହି ଯୋଜନାରେ ଓଡିଶାରୁ ୩ କୋଟି ୨୬ ଲକ୍ଷ ୪୧ ହଜାର ୮୦୦ ଲୋକଙ୍କୁ ସାମିଲ କରାଯାଇ ସେମାନଙ୍କୁ ମାସକୁ ୫ କିଲୋ ଚାଉଳ ଦିଆଗଲା । କେନ୍ଦ୍ରସରକାର କରିଥିବା ଏହି ଯୋଜନାରେ ହିତାଧିକାରୀଙ୍କୁ ୩ ଟଙ୍କା ଦେବାକୁ ପଡୁଥିଲା ବେଳେ ରାଜ୍ୟସରକାର କେବଳ ମାତ୍ର ୨ ଟଙ୍କା ଏବଂ ହିତାଧିକାରୀଙ୍କ ଠାରୁ ୧ ଟଙ୍କା ଆଦାୟ କରି ଟଙ୍କିକିଆ ଚାଉଳ ଦେଉଛନ୍ତି ବୋଲି ଘୋଷଣା କରିଥିଲେ । କିନ୍ତୁ ଏହି ହିତାଧିକାରୀଙ୍କ ମଧ୍ୟରୁ ଅନେକଙ୍କ ମୃତ୍ୟୁ ହୋଇଥିବା କାରଣରୁ ଅନେକ ସ୍ଥାନରେ ଭୂତ ନାଁରେ ଚାଉଳ ହଡପ କରାଯାଉଛି । ମେ ୨୪ ରେ ୨୦୧୮ରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଓଡିଶାର ଜନସଂଖ୍ୟା ୪ କୋଟି ୬୦ ଲକ୍ଷରୁ ଉର୍ଦ୍ଧ୍ୱ ଦର୍ଶାଇ ହିତାଧିକାରୀଙ୍କ ସଂଖ୍ୟା ୩୩ ଲକ୍ଷରୁ ୪୪ଲକ୍ଷ ବୃଦ୍ଧି କରିବା ପାଇଁ କହିଥିଲେ । ରାଜ୍ୟସରକାର ଅକ୍ଟୋବର ୨ ତାରିଖରୁ ନିଜସ୍ୱ ଖାଦ୍ୟ ସୁରକ୍ଷା ଆଇନ ଆରମ୍ଭ କଲେ । କିନ୍ତୁ ଏହାର ତାଲିକାକୁ ଏଯାବତ ସର୍ବସାଧାରଣ ପ୍ରକାଶ କଲେ ନାହିଁ । ଏଥିରୁ ସ୍ପଷ୍ଟ ଯେ ରାଜ୍ୟସରକାର କେବଳ କେନ୍ଦ୍ରୀୟ ଯୋଜନାକୁ ହଡପ କରି ନିଜେ କରୁଛନ୍ତି ବୋଲି ଡିଣ୍ଡିମ ପିଟି ଓଡିଶାବାସୀଙ୍କୁ ବିଭ୍ରାନ୍ତି କରାଇଛନ୍ତି ।
ରାଜ୍ୟସରକାର କରୋନା ମହାମାରୀ ସମୟରେ ରାଜ୍ୟସରକାରଙ୍କ ନିଜସ୍ୱ ଖାଦ୍ୟସୁରକ୍ଷା ଯୋଜନାରେ ଯେତିକି ଲୋକ ଯୋଡିହୋଇଛନ୍ତି ସେମାନଙ୍କୁ କେନ୍ଦ୍ର ସରକାର ଚାଉଳ ଓ ଡାଲି ଯୋଗାଇଦେଇଛନ୍ତି । କେନ୍ଦ୍ରସରକାର ରାଜ୍ୟସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ଏବଂ ପ୍ରବାସୀ ଶ୍ରମିକମାନଙ୍କୁ ମାଗଣାରେ ୮ ମାସ ପାଇଁ ୫ କିଲୋ ଚାଉଳ ଓ ୧ କିଲୋ ଡାଲି ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । ରାଜ୍ୟସରକାରଙ୍କ ୱେବସାଇଟରେ ୬ ଲକ୍ଷ ପ୍ରବାସୀ ଶ୍ରମିକ ପଂଜୀକରଣ କରିଛନ୍ତି ଏବଂ ୫ ଲକ୍ଷରୁ ଉର୍ଦ୍ଧ୍ୱ ପ୍ରବାସୀ ଶ୍ରମିକ ଓଡିଶାକୁ ଫେରିଛନ୍ତି । ସେମାନଙ୍କୁ ମଧ୍ୟ କେନ୍ଦ୍ର ସରକାର ଚାଉଳ ଓ ଡାଲି ଯୋଗାଇ ଦେଉଛନ୍ତି । ତେବେ ରାଜ୍ୟସରକାର ଚାଉଳ ଓ ଡାଲି କାହାକୁ ଦେବେ ଏବଂ ସେମାନେ କିଏ ଏହାର ଉତର ରାଜ୍ୟସରକାର ରଖନ୍ତୁ । ରାଜ୍ୟରେ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ଖାଦ୍ୟ ପହଂଚି ପାରୁନଥିବାବେଳେ ରାଜ୍ୟସରକାର ମିଥ୍ୟା କହି ମାଗଣାରେ ଚାଉଳ ଦେବେ କହି ବାହା ବାହା ମାରୁଛନ୍ତି ବୋଲି ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି ।