-
ମୋଟ ଆରୋଗ୍ୟ ସଂଖ୍ୟା 8 ଲକ୍ଷ ଟପିଲା
-
ମୃତ୍ୟୁ ହାର କ୍ରମାଗତ ହ୍ରାସ ପାଇ ବର୍ତ୍ତମାନ 2.38 ପ୍ରତିଶତରେ ପହଞ୍ଚିଛି
ନୂଆଦିଲ୍ଲୀ– କରୋନା ସଂକ୍ରମିତଙ୍କ ଦ୍ରୁତ ଆରୋଗ୍ୟ ହାର ଅବ୍ୟାହତ ରହିଛି । କ୍ରମାଗତ ଭାବେ ତୃତୀୟ ଦିନ ପାଇଁ ଗତ 24 ଘଣ୍ଟା ମଧ୍ୟରେ ସର୍ବାଧିକ 34,602 ଜଣ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଏହା ଫଳରେ ମୋଟ ସୁସ୍ଥଙ୍କ ସଂଖ୍ୟା 8,17,208କୁ ବୃଦ୍ଧି ପାଇଛି । ଏହି ଆରୋଗ୍ୟ ହାର ସର୍ବାଧିକ 63.45 ପ୍ରତିଶତରେ ପହଞ୍ଚିଛି । କ୍ରମାଗତ ଭାବରେ ଆରୋଗ୍ୟ ହାର ବୃଦ୍ଧି ପାଉଥିବାରୁ ସକ୍ରିୟ ସଂକ୍ରମିତ ଓ ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରେ ଥିବା ପାର୍ଥକ୍ୟ ମଧ୍ୟ ବୃଦ୍ଧି ପାଇଛି । ଆରୋଗ୍ୟ ଲାଭ କରିଥିବା ସଂଖ୍ୟା ସକ୍ରିୟ ରୋଗୀଙ୍କ ତୁଳନାରେ 3,77,073 ଅଧିକ । ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କେନ୍ଦ୍ରୀୟ ବିଶେଷଜ୍ଞ ଦଳ ପ୍ରେରଣ ଏବଂ କେତେକ ବିଶେଷ ପଦକ୍ଷେପ ଭିଡିଓ କନଫରେନ୍ସ ଦ୍ଵାରା ନିଆଯିବା ଫଳରେ ଏହା ସମ୍ଭବ ହୋଇପାରିଛି । ସ୍ୱାସ୍ଥ୍ୟ ସେବାରେ ନିୟୋଜିତ ଅଧିକାରୀ ଓ କର୍ମଚାରୀଙ୍କ ଅନବରତ ଉଦ୍ୟମ ଯୋଗୁଁ ମୃତ୍ୟୁ ହାର ମଧ୍ୟ ହ୍ରାସ ପାଇ ଏହା 2.38 ପ୍ରତିଶତରେ ପହଞ୍ଚିଛି ।
କେନ୍ଦ୍ରର ପରାମର୍ଶ ଅନୁଯାୟୀ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ବ୍ୟାପକ ପରୀକ୍ଷା କରିବା ତଥା ଦୃଢ ଆବଦ୍ଧାଞ୍ଚଳ ବ୍ୟବସ୍ଥା ଓ ଦକ୍ଷ ଉପଚାର ଯୋଗୁଁ ଏହା ସମ୍ଭବ ହୋଇପାରିଛି । ତ୍ରିସ୍ତରୀୟ ସ୍ୱାସ୍ଥ୍ୟ ଭିତ୍ତିଭୂମି ଏବଂ କାର୍ଯ୍ୟକ୍ଷମ ହୋଇଥିବା ଷ୍ଟାଣ୍ଡାର୍ଡ ଅଫ କେୟାର ପ୍ରୋଟୋକଲ ମାଧ୍ୟମରେ ପ୍ରଭାବଶାଳୀ କଣ୍ଟେନମେଣ୍ଟ ଯୋଜନା ଏବଂ ଦକ୍ଷ କ୍ଲିନିକାଲ ମ୍ୟାନେଜମେଣ୍ଟ ଦ୍ୱାରା ଏହାକୁ ଅନୁସରଣ କରାଯାଏ । ଡାକ୍ତରଖାନାଗୁଡ଼ିକରେ ଉତ୍ତମ ଚିକିତ୍ସା ବ୍ୟବସ୍ଥା ଏବଂ ଘରୋଇ ଏକାନ୍ତବାସ ମାଧ୍ୟମରେ ଏଗୁଡିକ ସଫଳ ହୋଇଥାଏ ଯାହା ପରବର୍ତ୍ତୀ ସମୟରେ ଗୁରୁତର ରୋଗୀଙ୍କ ପାଇଁ ଡାକ୍ତରଖାନାଗୁଡ଼ିକରେ କାମ ଭିଡକୁ ସୁନିଶ୍ଚିତ କରିଥାଏ ।