ଜଟଣୀ – ଖୋର୍ଦ୍ଧା ଜିଲ୍ଲା ଜଟଣୀ ନିକଟସ୍ଥ ପ୍ରଧାନସାହି ପାଂଚ ଗାଁ ରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ କରାଯାଇଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି । ଏନେଇ ଏୟାର ଫିଲ୍ଡ ଥାନାରେ ଅଭିଯୋଗ ହୋଇଛି । ତେବେ ଖବର ଲେଖା ହେବା ପର୍ଯ୍ୟନ୍ତ ଘଟଣାରେ ପୁଲିସ କାହାରିକୁ ଗିରଫ କରି ନଥିବା ଜଣାପଡିଛି ।
ସୂଚନାନୁସାରେ, ଜଟଣୀ ବ୍ଲକ ଅଧିନସ୍ଥ ଏୟାରଫିଲ୍ଡ ଥାନା ଅନ୍ତର୍ଗତ ପ୍ରଧାନସାହି, ପାଂଚ ଗାଁ ରେ ଶନିବାର ରାତିରେ ଏହି ଗ୍ରାମର ମୁକ୍ତରାଜ ଗୁରୁ (୨୪)ଙ୍କୁ କେତେ ଜଣ ଦୁର୍ବୁତ ଖଣ୍ଡା, ଭୁଜାଲି ଆଦି ମାରଣାସ୍ତ୍ର ସାହାଯ୍ୟରେ ଗୋଡାଇ ଗୋଡାଇ ହାଣିଥିଲେ । ଫଳରେ ମୁକ୍ତରାଜଙ୍କ ପିଠିରେ ଗଭୀର ଚୋଟ ଲାଗିବା ସହିତ ବାମ ହାତର ପାପୁଲି ଠାରୁ ଛିଣ୍ଡି ଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ସ୍ଥାନିୟ ଲୋକଙ୍କ ସହାୟତାରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଛି । ଏ ନେଇ ଏୟାରଫିଲ୍ଡ ଥାନାରେ ଲିଖିତ ଅଭିଯୋଗ ଦାୟର୍ ହୋଇଥିଲେ ସୁଦ୍ଧା ଅଦ୍ୟାବଧି ପୁଲିସ ମାମଲାରେ କାହାରିକୁ ଗିରଫ କରିନାହିଁ ।
ଅନ୍ୟପକ୍ଷରେ ହିଂସାକାଣ୍ଡକୁ ନେଇ ଗ୍ରାମରେ ଚାପା ଉତେଜନା ଦେଖାଦେଇଛି । ପୂର୍ବ ଶତ୍ରୁତାରୁ କେନ୍ଦ୍ର କରି ଘଟଣା ଘଟିଥିବା ଅନୁମାନ କରାଯାଉଛି ।