Related Stories
November 23, 2024
ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟରେ କରୋନା ତାର କରାଳ ରୂପ ଦେଖାଇଛି । ବ୍ରହ୍ମପୁରବାସୀଙ୍କୁ କମିଶନର ଚକ୍ରବର୍ତ୍ତି ସିଂ ରାଥୋଡଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୨୪ଘଣ୍ଟିଆ ସେବା ଯୋଗାଇ ଆସୁଥିବା ୨ଜଣ ବରିଷ୍ଠ ବିଭାଗର ଅଧିକାରୀ କରୋନାରେ ମୃତ୍ୟୁବରଣ କରିଛନ୍ତି । ଗତ ୧୫ତାରିଖ ଦିନ ନିଗମର ମୁଖ୍ୟକିରାଣୀ ଉପେନ୍ଦ୍ର ମାଝୀ କରୋନାରେ ଆକ୍ରାନ୍ତ ହୋଇ ଶୀତଳାପଲ୍ଲୀସ୍ଥିତ ଟାଟା କୋଭିଡ୍ ହସ୍ପିଟାଲରେ ମୃତ୍ୟୁବରଣ କରିଥିଲେ । ତେବେ ବୁଧବାର ମଧ୍ୟରାତ୍ରରେ ବିଏମ୍ସିର ସହକାରୀଯନ୍ତ୍ରୀ କୈଳାଶ ଚନ୍ଦ୍ର ନାୟକଙ୍କ ଭୁବନେଶ୍ୱର କିମସ୍ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ସୂଚନାଥାଉକି, କିଛିଦିନତଳେ ସେ କରୋନାରେ ଆକ୍ରାନ୍ତ ହୋଇ ବ୍ରହ୍ମପୁର ସିଟି ହସ୍ପିଟାଲର କରୋନା ୱାର୍ଡରେ ଭର୍ତ୍ତି ହୋଇ ଚିକିତ୍ସାଧିନ ଥିଲେ । ଗତ ୨ଦିନତଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କମିଶନରଙ୍କ ତତ୍ତ୍ୱାବଧାନରେ ଭୁବନେଶ୍ୱର କିମସ୍ରେ ଚିକିତ୍ସିତ ହେଉଥିଲେ । ବୁଧବାର ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ସେ ଘର ଲୋକ ଓ ବିଏମ୍ସି କମିଶନରଙ୍କ ସହିତ ଫୋନ୍ରେ ମଧ୍ୟ ସାମାନ୍ୟ ସୁସ୍ଥ ଥିବା କହିଥିଲେ । କିନ୍ତୁ ମଧ୍ୟରାତ୍ରରେ ପୁଣି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ଗତ ୧୦ଦିନ ମଧ୍ୟରେ ବିଏମ୍ସି କାର୍ଯ୍ୟାଳୟର ୨ଜଣ ବରିଷ୍ଠ ଅଧିକାରୀଙ୍କ କରୋନାରେ ମୃତ୍ୟୁଖବର ନିଗମରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀଙ୍କ ମହଲରେ ଶୋକରଛାୟା ଖେଳିଯାଇଛି । ସେପଟେ ବିଏମ୍ସି କାର୍ଯ୍ୟାଳୟର ବହୁ ବିଭାଗ ବନ୍ଦ କରାଯାଇଛି । ପ୍ରାୟ ୭୦ରୁ ଊର୍ଦ୍ଧ୍ୱ ଅଧିକାରୀ ଓ କର୍ମଚାରୀଙ୍କୁ ସଙ୍ଗରୋଧରେ ରହିବାକୁ ବିଏମ୍ସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ମୃତ ଶ୍ରୀ ନାୟକଙ୍କ ପୈତୃକ ଗ୍ରାମ ପୁରୁଷୋତ୍ତମପୁର ବ୍ଲକ୍ରେ ବୋଲି ଜଣାପଡିଛି ।