ବ୍ରହ୍ମପୁର: ଗତ ୨ମାସ ଧରି କରୋନା ଗଞ୍ଜାମର ମେରୁଦଣ୍ଡକୁ ଦୋହଲାଇ ଦେଇଛି । ଜିଲ୍ଲାବାସୀ ଏହି ମହାମାରୀର ଜାଲରେ ଫଶିଯାଇଛନ୍ତି । ଏଭଳି ଘଡିସନ୍ଧି ମୂହୁର୍ତ୍ତରେ ଜିଲ୍ଲାବାସୀଙ୍କୁ ଜ୍ୱର, କାଶ, ଥଣ୍ଡା ଭଳି ସାଧାରଣ ରୋଗର ମଧ୍ୟ ଉଚିତ ଚିକିତ୍ସା ନମିଳିବା ଫଳରେ ସାମାନ୍ୟ ଜ୍ୱରରେ ଲୋକଙ୍କ ଜୀବନ ଯାଉଛି । ବର୍ତ୍ତମାନ ଗ୍ରୀଷ୍ମ ଋତୁ ପରେ ବର୍ଷା ଋତୁର ଆଗମନରେ ଋତୁ ବଦଳୁଥିବାରୁ ଜ୍ୱର, ଥଣ୍ଡା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ଜିଲ୍ଲାରେ ବଢ଼ୁଛି । ଗତ ୧ମାସ ମଧ୍ୟରେ ବ୍ରହ୍ମପୁର ମହାନଗର ନଗମ ଅଞ୍ଚଳରେ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଓ ଗଞ୍ଜାମ ଜିଲ୍ଲାରୁ ପ୍ରାୟ ୭୦ରୁ ଉର୍ଦ୍ଧ୍ୱ ଏପରି ପାଖାପାଖି ୧୦୦ଜଣଙ୍କ ଜ୍ୱର, ଥଣ୍ଡା, କାଶରେ ମୃତ୍ୟୁ ଘଟିଥିବା ଅସମର୍ଥିତ ସୂତ୍ରରୁ ଜଣାପଡିଛି । ଏହି ମୃତ୍ୟୁର ହିସାବ ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗ କି ପ୍ରଶାସନ ପାଖରେ ନଥିବା କୁହାଯାଉଛି । ମୃତକଙ୍କ ମେଡିକାଲ୍ରେ ତାଲିକା ବି ନାହିଁ କି ସନ୍ଦିଗ୍ଧ କୋଭିଡ୍ ମୃତ୍ୟୁ ଗଣତିରେ ଏମାନେ ଆସୁନାହାଁନ୍ତି । ଜିଲ୍ଲାରେ କରୋନା ମହାମାରୀ ବ୍ୟାପିଥିବା ବେଳେ ଥଣ୍ଡା, ଜ୍ୱର ଓ କାଶ ହେବାକ୍ଷଣି ଲୋକେ ଭୟରେ ଥରୁଛନ୍ତି । କରୋନା ଭାବି ଜ୍ୱର, ଥଣ୍ଡାକୁ ଲୁଚାଉଥିବା ମଧ୍ୟ ସାମ୍ନାକୁ ଆସିଛି । ସହରାଞ୍ଚଳରେ ଔଷଧ ଦୋକାନ ଓ ଗ୍ରାମାଞ୍ଚଳରେ କ୍ୱାକ୍ ଠାରୁ ଔଷଧ ଖାଇ ଜ୍ୱର ଭଲ କରିବା ଲାଗି ଚାହୁଁଛନ୍ତି । ଶେଷରେ ଜ୍ୱର, ଥଣ୍ଡାରେ ଜୀବନ ଯାଉଛି । ଅନ୍ୟପକ୍ଷରେ ଯେଉଁମାନେ ଚିକିତ୍ସା ଚାହୁଁଛନ୍ତି ତାଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ମିଳିପାରୁନାହିଁ । ଫଳସ୍ୱରୁପ ଜିଲ୍ଲାରେ ଥଣ୍ଡା, ଜ୍ୱର ଜନୀତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି । ଅସମର୍ଥିତ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ ଗତ କିଛିଦିନତଳେ ଶ୍ରୀରାମନଗର ସାହି ଅଞ୍ଚଳରେ ଗୋଟିଏ ଦିନରେ ୪ଜଣଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଥିଲା । ସେମାନେ ମଧ୍ୟ ଥଣ୍ଡା ଜ୍ୱରରେ ଆକ୍ରାନ୍ତ ହୋଇଥିଲେ । ସେଭଳି ବଡବଜାର, ଗାନ୍ଧୀନଗର, ଲାଞ୍ଜିପଲ୍ଲୀ, ଗୋଷାଣୀନୂଆଗାଁ ଓ ଅନ୍ୟାନ୍ୟ ଅଞ୍ଚଳରେ ଅସ୍ୱାଭାବିକ ଭାବେ ୩୦ଜଣଙ୍କ ଗତ ୧ମାସ ମଧ୍ୟରେ ଜୀବନ ଯାଇଛି । ସେହିପରି କବିସୂର୍ଯ୍ୟନଗର, ଶେରଗଡ, ଭଞ୍ଜନଗର, ରଙ୍ଗେଇଲୁଣ୍ଡା, ପାଟପୁର, ଚିକିଟି, ଦିଗପହଣ୍ଡି, ସାନଖେମୁଣ୍ଡି ଆଦି ବ୍ଲକ୍ ଅଞ୍ଚଳରେ ସାମାନ୍ୟ ଥଣ୍ଡା ଜ୍ୱରରେ ୭୦ରୁ ଊର୍ଦ୍ଧ୍ୱ ଲୋକ ଗତ ୧ମାସ ମଧ୍ୟରେ ମୃତ୍ୟୁବରଣ କରିଥିବା ଜଣାପଡିଛି । ଏପରିକି ଗତ ଜୁନ୍ ୨୯ତାରିଖରେ ବିନା ଡାକ୍ତରୀ ଚିଠାରେ ପାରାସିଟାମେଲ ଭଳି ଔଷଧ ବିକ୍ରି ନକରିବାକୁ ଜିଲ୍ଲା ପ୍ରଶାସନ ଏକ ନିର୍ଦ୍ଦେଶନାମା ଜାରି କରିଥିଲା । ଫଳରେ ଥଣ୍ଡା, ଜ୍ୱର, କାଶ ଔଷଧ ଲୋକମାନେ ଚାହିଁଲେ ବି କିଣିପାରିଲେ ନାହିଁ । ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ ବ୍ରହ୍ମପୁର ବଡ ଡାକ୍ତରଖାନା ଓପିଡିକୁ ଗତ ୫ତାରିଖ ଠାରୁ ବନ୍ଦ କରି ଦେଇଥିବାରୁ ଲୋକମାନେ ମୌଳିକ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ôଚତ ହେଉଛନ୍ତି । ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ବି ରୋଗୀଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ମିଳିପାରୁନି । ଔଷଧ, ଉପଯୁକ୍ତ ଚିକିତ୍ସା ଅଭାବ ଜ୍ୱରାକାନ୍ତ ରୋଗୀଙ୍କ ସ୍ଥିତିକୁ ଅଧିକ ଜଟିଳ କରି ଦେଇଛି । ଦିନକୁ ଦିନ ଜ୍ୱରରେ ପୀଡିତ ଲୋକଙ୍କ ମୃତ୍ୟୁ ଘଟିବାରେ ଲାଗିଛି । ବିଭିନ୍ନ ସ୍ତରରେ ପ୍ରତିବାଦ ହେବାପରେ ଜିଲ୍ଲା ପ୍ରଶାସନ ୨୯ତାରିଖର ନିର୍ଦ୍ଦେଶନାମାକୁ ପରିବର୍ତ୍ତନ କରି ପାରାସିଟାମଲ୍ ବିକ୍ରି ଉପରୁ କଟକଣା ହଟାଇଛି । ଅନ୍ୟପକ୍ଷରେ ବର୍ତ୍ତମାନ ଜିଲ୍ଲାରେ ପ୍ରତ୍ୟହ ଜ୍ୱର, ଥଣ୍ଡା କାଶ ଆଦିରେ ସହରାଞ୍ଚଳର ସାହି ସାହିରେ ଓ ଗ୍ରାମାଞ୍ଚଳର ଗାଁ ଗାଁରେ ଜ୍ୱର, ଥଣ୍ଡା, କାଶ ଆଦିରେ ଲୋକେ ଆକ୍ରାନ୍ତ ହେଉଛନ୍ତି । ଜ୍ୱର, ଥଣ୍ଡା, କାଶ ଆଦିରେ ଆଜି ସୁଦ୍ଧା କେତେ ମୃତ୍ୟୁ ଘଟିଛି ତାହା ସ୍ୱାସ୍ଥ୍ୟ ବିଭାଗ ପାଖରେ ଖବର ନାହିଁ । ସେପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ କିଛିଦିନତଳେ ୨୨ଟି ବ୍ଲକ୍ର ବିଡିଓ ଓ ତହସିଲଦାରମାନଙ୍କୁ ଚିଠି ଲେଖିଛନ୍ତି ଯେ, ଜିଲ୍ଲାରେ ଯେକୌଣସି ମୃତ୍ୟୁ ଘଟିଲେ ତାହା ଜିଲ୍ଲା ପ୍ରଶାସନର ନଜରକୁ ଆଣିବେ । ଅନ୍ୟପକ୍ଷରେ ପ୍ରତି ଗ୍ରାମରେ ଅଙ୍ଗନୱାଡ଼ି ଓ ଆଶାକର୍ମୀ ରହିଛନ୍ତି । ଯଦି ପ୍ରଶାସନ ଏମାନଙ୍କ ଠାରୁ ତଥ୍ୟ ହାସଲକରେ ତାହେଲେ ମୃତକଙ୍କ ତଥ୍ୟ ପ୍ରଶାସନ ପାଖରେ ପହଞ୍ôଚବା ସହଜ ହେବ ବୋଲି ବୃଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ଏପଟେ ତୁରନ୍ତ ଗ୍ରାମାଞ୍ଚଳର ମେଡିକାଲ୍ ଓ ଏମ୍କେସିଜିର ଓପିଡି ଖୋଲି ଜିଲ୍ଲାବାସୀଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।
Related Stories
November 23, 2024