ଗୁଆହାଟୀ– ଆସାମର ବର୍ଷା ଯୋଗୁଁ ଦେଖାଯାଇଥିବା ବନ୍ୟାରେ ଜୁଲାଇ ୨୨ ତାରିଖ ଯାଏଁ ୮୯ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ତରଫରୁ ଏହି ସୂଚନା ଦିଆଯାଇଛି । ବୁଧବାର ଜାରି ହୋଇଥିବା ବନ୍ୟା ରିପୋର୍ଟ ଅନୁସାରେ ବରପେଟା, ଡେବ୍ରିଗଡ଼, କୋକରାଝର, ବଙ୍ଗେଇଗାଁ, ତିନିସୁକିଆ ସମେତ ଅନ୍ୟ ଜିଲ୍ଲାରେ ବନ୍ୟା ଯୋଗୁଁ ୨୬ ଲକ୍ଷ ୩୧ ହଜାର ୩୪୩ ଜଣ ଲୋକ ପ୍ରଭାବିତ ହୋଇଛନ୍ତି ।
ବ୍ରହ୍ମପୁତ୍ର ଓ ଏହାର ଶାଖା ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ହୋଇଥିବାରୁ ୨ହଜାର ୫୨୫ଟି ଗାଁର ଲୋକେ ବନ୍ୟା ଜଳରେ ପ୍ରଭାବିତ ହୋଇଛନ୍ତି । ଏହି ଅଂଚଳରେ ୧ ଲକ୍ଷ ୧୫ ହଜାର ୫୧୫.୨୫ ହେକ୍ଟର ଚାଷ ଜମି କ୍ଷୟକ୍ଷତି ହୋଇଛି । କାଜିରଙ୍ଗା ଜାତୀୟ ଉଦ୍ୟାନରେ ୧୨୦ଟି ପ୍ରାଣୀଙ୍କର ମୃତ୍ୟୁ ହୋଇଛି । ପୂର୍ବାଂଚଳ ଆସାମ ବନ୍ୟପ୍ରାଣୀ ଉପଖଣ୍ଡ ଦ୍ୱାରା ୧୪୭ଟି ବନ୍ୟ ପ୍ରାଣୀଙ୍କୁ ଉଦ୍ଧାର କରାଯାଇଛି । କାଜିରଙ୍ଗା ଉଦ୍ୟାନରେ ବର୍ଷା ଜଳ ବଢ଼ିବାରୁ ଏଠାରୁ ବନ୍ୟ ପ୍ରାଣୀମାନେ ରାସ୍ତା ଅତିକ୍ରମ କରି ପଳାୟନ କରିଛନ୍ତି ।
ରାଜ୍ୟ ସରକାର ୪୫ ହଜାର ୨୮୧ ଜଣଙ୍କୁ ଉଦ୍ଧାର କରି ୩୯୧ଟି ରିଲିଫ କ୍ୟାମ୍ପରେ ରଖିଛନ୍ତି । ଏସଡିଆରଏଫ, ଏନଡିଆରଏଫ, ସାର୍କିଲ ଅଫିସର ଏବଂ ସ୍ଥାନୀୟ ଲୋକେ ୪୫୨ ଜଣଙ୍କୁ ଉଦ୍ଧାର କରି ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେଇଛନ୍ତି । ବନ୍ୟା ଜଳ ଯୋଗୁଁ ସଡ଼କ, ବ୍ରିଜ, କଲଭର୍ଟ ଏବଂ ଅନ୍ୟ ନିର୍ମାଣକାମକୁ କ୍ଷତି ପହଂଚାଇଛି । ବନ୍ୟା ପରିସ୍ଥିତି ସୁଧାରିବା ପାଇଁ ପ୍ରଥମ ପର୍ଯ୍ୟାୟରେ ବୁଧବାର କେନ୍ଦ୍ର ସରକାର ୩୪୬ କୋଟି ଟଙ୍କା ଦେଇଛନ୍ତି । ଏଥି ସହିତ ବନ୍ୟା ପରିସ୍ଥିତି ସଂପର୍କରେ ଅବଗତ ହେବା ପାଇଁ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଏକ ବୈଠକରେ ସମୀକ୍ଷା କରିଛନ୍ତି ।