ଜଗତସିଂହପୁର – ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ସୁଜଙ୍ଗ ଗ୍ରାମରେ ନିର୍ମାଣାଧିନ ପାଇଖାନା ଟାଙ୍କି ସେଂଟରିଙ୍ଗ ଖୋଲିବା ବେଳେ ଶ୍ୱାସରୁଦ୍ଧ ହୋଇ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତକ ଦ୍ୱୟ ହେଲେ ରାଜୁ ଭୋଇ ଓ ପ୍ରକାଶ ବାରିକ । ରାଜୁଙ୍କ ଘର ସୁଜଙ୍ଗ ଗ୍ରାମରେ ହୋଇଥିବା ବେଳେ ପ୍ରକାଶଙ୍କ ଘର ସ୍ଥାନୀୟ ମଣ୍ଡାସାହି ଗ୍ରାମରେ ବୋଲି ଜଣାପଡିଛି ।
ଆଜି ପୂର୍ବାହ୍ନରେ ଏହି ଦୁଇ ଶ୍ରମିକ ଗ୍ରାମର ବଳରାମ ପତିଙ୍କ ପାଇଖାନା ଟାଙ୍କି ସେଂଟରିଙ୍ଗ ଖୋଲିବା ପାଇଁ ଏହା ମଧ୍ୟକୁ ପ୍ରବେଶ କରିଥିଲେ । ହେଲେ ଦୀର୍ଘ ସମୟ ଧରି ଭିତରୁ କିଛି ଉତର ନଆସିବାରୁ ଟାଙ୍କି ବାହାରେ ଏହି କାମର ତଦାରଖ କରୁଥିବା ଘର ମାଲିକ ଓ କେତେକ ଲୋକ କୌଣସି ଅଘଟଣର ଅଶଙ୍କା କରି ଟାଙ୍କି ଭିତରେ ପଶିଥିଲେ । ଏହି ସମୟରେ ଦୁଇ ଶ୍ରମିକ ଏହା ମଧ୍ୟରେ ଶ୍ୱାସରୁଦ୍ଧ ଓ ଅଚେତ୍ ଅବସ୍ଥାରେ ତଳେ ପଡିଥିବା ସେମାନେ ଦେଖିବାକୁ ପାଇଥିଲେ । ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ସେଠାରୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । କିନ୍ତୁ, ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ସଦର ପୋଲିସ ମୃତକ ଦ୍ୱୟଙ୍କ ଶବ ଜବତ କରିବା ସହ ଏହାକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଥାନା ପକ୍ଷରୁ ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରଜ୍ଜୁ ହୋଇଛି । ପୋଲିସ ଏନେଇ ଅଧିକ ତଦନ୍ତ ଜାରୀ ରଖିିଛି ।