-
ପ୍ଲାଜମାଦାତାଙ୍କ ଖର୍ଚ୍ଚ ବହନ କରିବେ ସରକାର
ଭୁବନେଶ୍ୱର– ରାଜ୍ୟରେ ଖୋଲିବ ଆଉ ଦୁଇଟି ପ୍ଲାଜମା ବ୍ୟାଙ୍କ୍ । ବ୍ରହ୍ମପୁରର ଏମକେସିଜି ଓ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ପ୍ଲାଜମା ବ୍ୟାଙ୍କ୍ ଖୋଲାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି । ଏହାସହ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି ଚିକିତ୍ସିତ ରୋଗୀଙ୍କ ପାଇଁ ପ୍ଲାଜମା ଦାନ କରିବାକୁ ସେ ଆହ୍ୱାନ ଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ ପ୍ଲାଜମା ଦାନ କରିବାକୁ ଆସୁଥିବା ବ୍ୟକ୍ତିଙ୍କର ସମସ୍ତ ଖର୍ଚ୍ଚ ସରକାର ବହନ କରିବେ । କଟକରେ ସେମାନଙ୍କର ରହଣୀ ବ୍ୟବସ୍ଥା କରାଯିବା ସହ ଅନ୍ୟାନ୍ୟ ଖର୍ଚ୍ଚ ବହନ କରାଯିବ । ସେହିପରି ପ୍ଲାଜମାଦାତାଙ୍କୁ ସରକାରଙ୍କ ପକ୍ଷରୁ ପ୍ରଶଂସା ପତ୍ର ପ୍ରଦାନ କରାଯିବ ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି ।