
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ -ବୁଧବାର ଦିନ ଭଟ୍ଟଯାଗା ପରିସରରେ “ଆମେ ଶ୍ରୀକ୍ଷେତ୍ରବାସୀ” ଓ ଭଟ୍ଟଯାଗା କର୍ତ୍ତୃପକ୍ଷଙ୍କ ମିଳିତ
ସହଯୋଗରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବାତ୍ୟା ଫନିରେ ସମଗ୍ର ଶ୍ରୀକ୍ଷେତ୍ରର ସବୁଜିମା ଯେପରି ଉଜୁଡ଼ିଯାଇଥିଲା, ତାହାକୁ ସମଗ୍ର ବିଶ୍ୱ ଦେଖିଛି । ମାତ୍ର ବ୍ୟାପକ ବୃକ୍ଷରୋପଣ କରି ଶ୍ରୀକ୍ଷେତ୍ରର ସବୁଜିମା କୁ ପୁନଶ୍ଚ ଫେରାଇଆଣିବା ଉଦ୍ଦେଶ୍ୟରେ ଅନୁଷ୍ଠାନର କର୍ମକର୍ତାମାନେ ପ୍ରାୟ ୨୦ ରୁ
ଉର୍ଦ୍ଧ ଚାରା ରୋପଣ କରିଥିଲେ । ପୁରୀ ର ସଂସ୍କୃତି ଓ ପରମ୍ପରା ସହ ସାତ ସାହି ଆଖଡ଼ା ଓ ଯାଗା ଘରମାନଙ୍କର ନିବିଡ଼ ସମ୍ପର୍କ ରହିଛି । ସବୁଜ ଓ ସୁନ୍ଦର ଶ୍ରୀକ୍ଷେତ୍ର ଦିଗରେ ଜାଗା ଘରମାନଙ୍କର ଭୂମିକାକୁ ଗୁରୁତ୍ବ ଦେବା ସହ ପ୍ରଭୁ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ପ୍ରତ୍ୟେକ ଶ୍ରୀକ୍ଷେତ୍ରବାସୀ ଗୋଟିଏ ଗୋଟିଏ ଗଛ
ଲଗାଇବାପାଇଁ କାର୍ଯ୍ୟକ୍ରମରେ ଅତିଥିମାନେ ଆହ୍ମାନ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ଅନ୍ୟାନ୍ୟ ଅତିଥି ଭାବେ ଭଟ୍ଟ ଯାଗାର ସଭାପତି ବିଶ୍ଵନାଥ ଭଟ୍ଟ, ସମ୍ପାଦକ ମାଧବ ପଣ୍ଡା, ବରିଷ୍ଠ ସେବାୟତ ରବି
ନାରାୟଣ ଦାଶ, ଓଡ଼ିଶା ଚାରୁ ଓ କାରୁକଳା ମହାବିଦ୍ୟାଳୟ ନିର୍ଦ୍ଦେଶକ ଦୁର୍ଗା ମାଧବ କର, ଶିଶୁ ସାହିତ୍ୟିକ
ସୁକାନ୍ତ ପଣ୍ଡା, ରଙ୍ଗ ଶାଳା ନିର୍ଦ୍ଦେଶକ ବିକ୍ରମ ସାହୁଙ୍କ ସମେତ ଅନ୍ୟାନ୍ୟ ବୁଦ୍ଧିଜୀବିଗଣ ଉପସ୍ଥିତ ଥିଲେ ।
“ଆମେ ଶ୍ରୀକ୍ଷେତ୍ରବାସୀ” ର ସଦସ୍ୟ ଦୀପକ ପଣ୍ଡା, ସତ୍ୟନାରାୟଣ ସାହୁ ଓ ବ୍ରଜ ସାହୁ ଙ୍କ ଦ୍ଵାରା କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିବା ବେଳେ ଅନ୍ୟ ସଦସ୍ୟମାନେ ସହଯୋଗ ପ୍ରଦାନ କରିଥିଲେ । ଉକ୍ତ
କାର୍ଯ୍ୟକ୍ରମକୁ ଆଗାମୀ ଦିନରେ ଶ୍ରୀକ୍ଷେତ୍ରର ସମସ୍ତ ଯାଗା ଆଖଡ଼ାକୁ ବ୍ୟାପକ କରାଯିବା ସହ ପୁରୀ ଜିଲ୍ଲାର ଗ୍ରାମାଞ୍ଚଳରେ ମଧ୍ୟ ବ୍ୟାପକ ବୃକ୍ଷରୋପଣ ଓ ଆଧୁନିକ ପ୍ରଣାଳୀରେ ଚାଷକାର୍ଯ୍ୟ ଦ୍ବାରା ଗ୍ରାମବାସୀ କିପରି ଆତ୍ମନିର୍ଭରଶୀଳ ହୋଇପାରିବେ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯିବ ବୋଲି ଅନୁଷ୍ଠାନର ସଭ୍ୟ ସଭ୍ୟା ମାନେ ମତ ବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଭଟ୍ଟ ଯାଗାର ଆରାଧ ଦେବଙ୍କ ସମ୍ମୁଖରେ ବେଦ ଧ୍ବନି ସହ ଅତିଥିଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜଳନ କରାଯାଇଥିଲା । ପରେ “ଆମେ ଶ୍ରୀକ୍ଷେତ୍ରବାସୀ” ଅନୁଷ୍ଠାନର ଲୋଗୋ ଉନ୍ମୋଚିତ ହେବା ସହ ଭଟ୍ଟଯାଗାରେ ବ୍ୟାପକ ବୃକ୍ଷରୋପଣ କରି ତାହାର ଯତ୍ନ ନେଉଥିବାରୁ ଯାଗାର ସଦସ୍ୟ ସଞ୍ଜିତ୍ ଭଟ୍ଟଙ୍କୁ “ବୃକ୍ଷ ରକ୍ଷକ’ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଶେଷରେ ଅନୁଷ୍ଠାନ ସଦସ୍ୟ ମାନେ ଏହିଭଳି କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ସମସ୍ତ ଶ୍ରୀକ୍ଷେତ୍ରବାସୀ ଓ ବୃକ୍ଷପ୍ରେମୀଙ୍କ
ସହଯୋଗ କାମନା କରିଥିଲେ ।