![](https://indokalingtimes.com/wp-content/uploads/2020/06/ikt.jpeg)
ପୁରୀ– ଆଜି ପୁରୀ ସହରରେ ୨୮ଜଣ କରୋନା ରୋଗୀ ବାହରିବା ପରେ ପ୍ରଶାସନର ଚିନ୍ତା ବଢିଯାଇଛି । ବିଶେଷ କରି ଚକ୍ରତୀର୍ଥ ପେଣ୍ଠକଟା ଅଂଚଳରେ ରୋଗୀ ସଂଖ୍ୟା ବଢୁଥିବାରୁ ଘରକୁ ଘର ବୁଲି ସର୍ଭେ କରିବା ପାଇଁ ସ୍ୱେଚ୍ଛାସେବୀମାନେ ନିୟୋଜିତ ହୋଇଛନ୍ତି । ଆନ୍ଧ୍ରରୁ କେତେକ ନୋଳିଆ ସଂପ୍ରଦାୟର ବ୍ୟକ୍ତି ଲୁଚି ଛପି ଆସିଥିବାରୁ ଏହି ରୋଗ ବସ୍ତିରେ ଦିନକୁ ଦିନ ବଢିବାରେ ଲାଗିଛି । ତାଳବଣିଆ ଭୂଦାନ ଅଂଚଳରେ ଜଣେ, ସଂସ୍କୃତ ବିଶ୍ୱବିଦ୍ୟାଳୟ ରାସ୍ତାରେ ପାଶ୍ୱର୍ରେ ଥିବା ଡେଲଟା କଲୋନୀର ୨ଜଣ, ପେଣ୍ଠକଟା ଅଂଚଳର ୧୨ ଜଣ, ଲୋକନାଥ ରୋଡରେ ୨ ଜଣ ଓ ବଳିଆପଣ୍ଡାରେ ୨ ଜଣ କରୋନା ରୋଗୀ ଚିହ୍ନଟ ହେବା ପରେ ଏହା ପୁରୀ ସହର ପାଇଁ ଚିନ୍ତାର କାରଣ ହୋଇଛି । ବସ୍ତି ଅଂଚଳରେ ଲୋକମାନେ ସାମାଜିକ ଦୂରତା ରଖୁନଥିବାରୁ ଏହି ରୋଗ ଗୋଷ୍ଠୀ ସଂକ୍ରମଣ ଆଡକୁ ମୁହାଁଉଥିବା ଆଲୋଚନା ହେଉଛି । ପ୍ରଶାସନ ପକ୍ଷରୁ ଯେତେ କାଇଦା କଟକଣା କରାଗଲେ ମଧ୍ୟ ରୋଗ ଦିନକୁ ଦିନ ବଢିବାରେ ଲାଗିଛି । ପୁରୀରେ ଥିବା ୬୩ଟି ବସ୍ତି ଅଂଚଳ ଏବେ ପ୍ରଶାସନର ନଜରରେ ରହିଛି । ପେଣ୍ଠକଟା ଅଂଚଳର କେତେକ ଦିନ ମଜୁରିଆ ପୁରୁଷ ଓ ମହିଳାମାନେ ସହରର ବିଭିନ୍ନ ସ୍ଥାନରେ ଗୃହ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହେଉଥିବାରୁ ଏହା ସହର ପାଇଁ ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ରହିଛି । ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକମାନଙ୍କୁ ସଚେତନତା କରିବା ପାଇଁ ପ୍ରଚାର ଗାଡି ବୁଲୁଥିବା ଦେଖାଯାଉଛି ।