
ନୂଆଦିଲ୍ଲୀ– ରାଜଧାନୀ ଦିଲ୍ଲୀ ସମେତ ଦେଶର ଅନେକ ରାଜ୍ୟରେ ସବୁଠାରୁ ବଡ ସେକ୍ସ ରାକେଟ୍ ଚଳାଉଥିବା କୁଖ୍ୟାତ ଗୀତା ଆରୋରା ଓରଫ୍ ସୋନୁ ପଞ୍ଜାବନଙ୍କୁ ଦିଲ୍ଲୀର ଦ୍ୱାରକା କୋର୍ଟ ୨୪ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସେହିପରି ତାର ସହଯୋଗୀ ସନ୍ଦୀପଙ୍କୁ ୨୦ ବର୍ଷ କାରାଦଣ୍ଡାଦେଶ ଦିଆଯାଇଛି । ନାବାଳିକାକୁ ଜବରଦସ୍ତି ଦେହ ବ୍ୟବସାୟରେ ନିୟୋଜିତ କରିବା ଅଭିଯୋଗରେ ସୋନୁ ପଞ୍ଜାବନ ଏହି ଦଣ୍ଡ ପାଇଛନ୍ତି ।
ନିକଟରେ ଦିଲ୍ଲୀର ଦ୍ୱାରକା କୋର୍ଟ ସୋନୁ ପଞ୍ଜାବନ ଏବଂ ସନ୍ଦୀପଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଦୋଷୀ ସାବ୍ୟସ୍ତ ହେବାର ଦୁଇ ଦିନ ପରେ ତିହାର ଜେଲରେ ଥିବା ବେଳେ ସୋନୁ ପଞ୍ଜାବନ ଔଷଧ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲା । ତେବେୁ ଡାକ୍ତରଖାନାରେ ଚିକିତ୍ସା ପରେ ସେ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିଥିଲା ।
ଗତ ୨୦୧୪ ରେ ଦିଲ୍ଲୀର ନଜଫଗଡ ପୋଲିସ ଷ୍ଟେସନରେ ନାବାଳିକାକୁ ଦେହ ବ୍ୟବସାୟରେ ଲଗାଇବା ଅଭିଯୋଗରେ ସୋନୁ ପଞ୍ଜାବନ ଏବଂ ତାଙ୍କର ୬ ଜଣ ସହଯୋଗୀଙ୍କ ବିରୋଧରେ ଏକ ଏଫ୍ଆଇଆର୍ ପଞ୍ଜିକୃତ ହୋଇଥିଲା । ପରେ ମାମଲାର ତଦନ୍ତ କ୍ରାଇମ ବ୍ରାଂଚକୁ ହସ୍ତାନ୍ତର କରାଯାଇଥିଲା । ୨୦୧୭ ମସିହାରେ ସୋନୁ ପଞ୍ଜାବନ୍ ଏବଂ ତାଙ୍କ ସହଯୋଗୀ ସନ୍ଦୀପଙ୍କୁ ଗିରଫ କରାଯାଇଥିଲା । ଏହାପୂର୍ବରୁ ସୋନୁ ପଞ୍ଜାବନ ଏକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ସେହି ଦଣ୍ଡର ବର୍ଷ ସମାପ୍ତ ହେବା ପରେ, ଏହି ଦଣ୍ଡ ଆଜୀବନ କାରାଦଣ୍ଡ ଭାବରେ ବିବେଚନା କରାଯିବ । ଏହି ଦଣ୍ଡ ଘୋଷଣା କରିବାବେଳେ କୋର୍ଟ ପୀଡିତାଙ୍କୁ ୭ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।