ପୁରୀ– କେନ୍ଦ୍ରାଚଂଳ ରାଜସ୍ୱ କମିଶନର ଅନୀଲ କୁମାର ସାମଲ ବୁଧବାର ପୂର୍ବାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଭାଗୃହଠାରେ କୋଭିଡ୍ ସଂପର୍କିତ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ପୁରୀ ଜିଲ୍ଲାରେ କରୋନା ରୋଗୀ ବଢୁଥିବାରୁ ଆଗାମୀ ଦିନରେ କିପରି ମୁକାବିଲା କରାଯିବ ସେ ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା । ବିଭିନ୍ନ ଅଂଚଳରେ କିଭଳି ରୋଗୀ ସଂଖ୍ୟା ବୃଦ୍ଧି ନପାଇବ, ଘରକୁ ଘର ଥର୍ମାଲ ସ୍କ୍ରିନିଂ କରିବା, ଲୋକମାନଙ୍କୁ ମାକ୍ସ ପିନ୍ଧିବା ଓସାମାଜିକ ଦୂରତା ସଂପର୍କରେ କିପରି ସଚେତନତା କରାଯିବ ଏ ସମ୍ପର୍କରେ ସବିଶେଷ ଆଲୋଚନା ହୋଇଥିଲା । କୋଭିଡ୍ କେୟାର ସେଂଟରରେ କି କି ସୁବିଧା ରହିଛି, ସେଠାରେ ନିୟୋଜିତ ଡାକ୍ତର, ଷ୍ଟାପନର୍ସ ଓ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କୁ ଦିଆଯାଉଥିବା ଖାଦ୍ୟର ମାନ ସଂପର୍କରେ ସମୀକ୍ଷା କରିଥିଲେ ।
ଏ ସଂପର୍କରେ ଜିଲ୍ଲାପାଳ ବଲବନ୍ତ ସିଂ କହିଲେ କୋଭିଡର ସ୍ଥିତି କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି । କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ର, କୋଭିଡ କେୟାର ସେଂଟର, କୋଭିଡ କେୟାର ହୋମ୍ ଓ ଗ୍ରାମ୍ୟ ସ୍ତରୀୟ କରୋନା କରିଚାଳନା କମିଟି ସମ୍ପର୍କରେ ସବିଶେଷ ତଥ୍ୟ ଆଲୋଚନା କରିଥିଲେ । ସହରାଚଂଳରେ ଥିବା ବସ୍ତିମାନଙ୍କ ପାଇଁ କରୋନା କେୟାର ମନିଟରଙ୍କୁ ରଖାଯାଇ ଘରକୁ ଘର ସର୍ଭେ କରାଯାଉଛି । ପୁରୀ ଜିଲ୍ଲାରେ କରୋନା ସ୍ଥିତି ଏତେ ଉଦବେଗଜନକ ନଥିବା ବେଳେ ରୋଗୀ ଚିହ୍ନଟ ହେବା ପରେ ସଂପୃକ୍ତ ଅଂଚଳକୁ କଂଟେନମେଂଟ ଜୋନ୍ ଘୋଷଣା କରାଯାଉଛି ।
ଏହି ବୈଠକରେ ଏଡିଏମ୍ ପ୍ରଦୀପ କୁମାର ସାହୁ, ବିନୟ କୁମାର ଦାସ, ସିଡିଏମଓ ଡା. ସୁଜାତା ମିଶ୍ର, ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ କୁମାର ଦାଶ ପ୍ରମୁଖ ଉପସ୍ଥିତ ରହି କରୋନା ମୁକାବିଲା ସମ୍ପର୍କରେ ଆଲୋଚନା କରିଥିଲେ ।