ଜୟପୁର– କରୋନା ମାଡରେ ଚାଷିି କୂଳ ଆତଙ୍କିତ ହୋଇ ପଡିଥିବା ବେଳେ ବର୍ତମାନ ବର୍ଷାର ଦେଖା ନାହିଁ । ଯାହାକୁ ନେଇ ଚାଷିକୂଳ ଚିନ୍ତାରେ ଅଛନ୍ତି । ବର୍ଷା ନଥିବା ଯୋଗୁଁ ତଳି ପକା କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇନାହିଁ । ତେଣୁ ରାଜ୍ୟ ସରକାର ଚାଷିଙ୍କ ସମସ୍ୟାକୁ ଗୁରୁତର ସହ ନେଇ ଚାଷିଙ୍କ ଋଣ ଛାଡ କରନ୍ତୁ ବୋଲି ଜୟପୁର ବିଧାୟକ ତାରାପ୍ରସାଦ ବାହିନିପତି ଆଜି ଗଣମାଧ୍ୟମ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଦାବୀ କରିଛନ୍ତି । ବର୍ଷା ନଥିବା ଯୋଗୁଁ ଜମି, କ୍ଷେତ ଫାଟି ଆଁ କରି ରହିଛି । ପୂର୍ବ ବର୍ଷାକୁ ଦେଖି କେତେକ ଚାଷୀ ଜମିରେ ତଳି ବୁଣି ଥିଲେ । ତାହା ଏବେ ଗଜା ମରୁଡ଼ି ହେବାର ଆଶଙ୍କା ରହିଛି । ଫଳରେ ସାରା ଜିଲାରେ ଚାଷ କାମ ଏକ ପ୍ରକାର ଠପ୍ ହୋଇଯାଇଛି । କେତେବେଳେ ମେଘୁଆ ପାଗ କରି ରଖିଛି । ଖରିଫ ଚାଷ ପାଇଁ ଚାଷି ଓ ପ୍ରଶାସନ ତତ୍ପରତା ପ୍ରକାଶ କରିଥିବା ବେଳେ ଖରା ଦେଖି ଭୟଭିତ ହୋଇଛି ଚାଷି । ଖରିଫ ଋତୁରେ ଜିଲା କୃଷି ଉପନିର୍ଦ୍ଦେଶକ କାର୍ଯ୍ୟାଳୟ ଧାନ ଚାଷ ବାଦ୍ ତୈଳବିଜ ଓ ଡାଲିଜାତୀୟ ଫସଲ, ପାରମ୍ପାରିକ କୃଷି ଜାତୀୟ ଯୋଜନା ଓ ମିଲଟ ମାଶନକୁ ଫୋକସରେ ରଖିଛି । ଚଳିତ ଖରିଫ ଋତୁରେ ୨ଲକ୍ଷ ୯୬ ହଜାର ହେକ୍ଟର ଜମିରେ ବିଭିନ୍ନ ଫସଲ ଚାଷ ଲାଗି କୃଷି ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତି କରାଯାଉଛି । ଏଥି ମଧ୍ୟରୁ ଧାନ ଚାଷ ୯୯ ହଜାର ହେକ୍ଟର ଜମିରେ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ମକା, ଯଅ, ବାଜରା, ମାଣ୍ଡିଆ, ଛୋଟ ଶସ୍ୟ ଜମିରେ ଚାଷ କରାଯିବାକୁ ପ୍ରସ୍ତୁତି ବି ହୋଇଛି । ଡାଲି ଜାତୀୟ ଫସଲ, ତୈଳବୀଜ ଜାତୀୟ ଫସଲ, ଝୋଟ ତନ୍ତୁ ଜାତିୟ, ପନିପରିବା, ଆଖୁ, ମସଲା ଜାତିୟ ଫସଲ ଯଥା ମରିଚ, ହଳଦି, ଅଦା, ଲେମନ ଗ୍ରାସ ଜମିରେ ଚାଷ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଜିଲାରେ ୩୦ ପ୍ରକାରର ଖାଦ୍ୟ ଶସ୍ୟ ୨ ଲକ୍ଷ ୯୬ ହଜାର ହେକ୍ଟର ଚାଷ କରାଯିବ । ଖରିଫ ଋତୁରେ ଚାଷୀ ମାନଙ୍କୁ ୨୦୮ଟି ଡିଲର ଓ ୨୦ଟି ଲ୍ୟାମ୍ପ ଜରିଆରେ ଧାନ ବିହନ ୧୬୬୭୦ କ୍ୱିଂଟାଲ ଯୋଗାଇ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି । ବିହନ ମଧ୍ୟରେ ମାଣ୍ଡିଆ, ମୁଗ, ହରଡ଼, ନାଇଜେର ରାଶି, ଚିନାବାଦାମ ଆଦି ରହିଥିବା ଜଣାଯାଇଛି ।
ସେହିପରି ଫସଲର ଅଧିକ ଅମଳ ନିମନ୍ତେ ୩୦ ହଜାର ୨ ଶହ ମେଟ୍ରିକ ଟନ୍ ନାଇଟ୍ରଜେନ, ଫସଫରସ, ପଟାସ ଆଦି ସାର ଯୋଗଇ ଦିଆଯିବା ପାଇଁ ଖସଡ଼ା ପ୍ରସ୍ତୁତ କରାଯାଇଛି । ଏହି ସବୁ ସାର ୨୧୮ ଡିଲରଙ୍କ ଦ୍ୱାରା ଚାଷିଙ୍କୁ ଉପଲବ୍ଧ କରାଯିବା ନେଇ ଖସଡ଼ା ପ୍ରସ୍ତୁତି କରାଯାଇଛି । ୨୦୨୦ ଖରିଫ ଋତୁରେ ୯୪ ହଜାର ୧୫୩ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ରହିଥିବା ଅନ୍ୟ ଜମି ବର୍ଷା ଜଳ, ଝରଣା, ନଳକୁପ, ଗଭିର କୂପ, ଉଠା ଜଳସେଚନ ଆଦି ଉପରେ ନିର୍ଭର କରେ । ୪୨ ହଜାର ୪୫୬ ହେକ୍ଟର ଜମିକୁ ବୃହତ ଜଳସେଚନ ଅଧିନରେ ଆସୁଥିବା ବେଳେ ସାଢେ ୫ ହଜାର ହେକ୍ଟର ଜମିରେ କ୍ଷୁଦ୍ର ଜଳସେଚନ ସୁବିଧା ରହିଛି । ୨୦ ହଜାର ହେକ୍ଟର ଜମିକୁ ଉଠା ଜଳସେଚନ ଜରିଆରେ ପାଣି ଦିଆଯାଉଛି । ଅନ୍ୟ ପଟେ ଦୁର୍ବଳ କେନାଲ ମରାମତି ଅଭାବରୁ କେନାଲ ତଳ ମୁଣ୍ଡ ମାନଙ୍କରେ ପାଣି ପହଂଚି ପାରୁନଥିବାରୁ ସେହି ଅଂଚଳର ଚାଷି ମାନେ ବର୍ଷା ଜଳ ଉପରେ ନିର୍ଭର କରୁଛନ୍ତି । ଜିଲାରେ ୮୮୧.୦୦୦ ହେକ୍ଟର ଭୈାଗଳିକ ସ୍ଥିତି ରହିଥିବା ବେଳେ ୩୦୧୦୦୦.୫ ହେକ୍ଟର ଚାଷ ଜମି ରହିଛି । ଏଥି ମଧ୍ୟରୁ ବିଭାଗ ୨୯୬୦୦୦ ହେକ୍ଟର ଜମିରେ ଚାଷ କରିବାକୁ ଲକ୍ଷ୍ୟ ରଖିଛି । ଜିଲାର ୧୪ଟି ବ୍ଲକର ୨୨୬ ପଚାଂୟତ ଓ ୨୦୨୮ ଗ୍ରାମରେ ଚାଷ କାର୍ଯ୍ୟ ଆରମ୍ଭ ହୋବାକୁ ଯାଉଛି । ୨ ଲକ୍ଷ ୯୬ ହଜାର ହେକ୍ଟର ଜମିରେ ଚାଷ କରାଯାଉଛି । ଏହି ଜମି ମଧ୍ୟରୁ ଉଚ୍ଚା ଜମି ୧୮୩ ୯୯୦ ହେକ୍ଟର, ମଝିଆ ଜମି ୭୮.୫୩୦ ହେକ୍ଟର ଓ ଖାଲ ଜମି ୩୩.୪୮୦ ହେକ୍ଟର ଚାଷ ଜମି ରହିଛି । ଏନେଇ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଚାଷି କୁଳ ଆତଙ୍କିତ ଅବସ୍ଥାରେ ଅଛନ୍ତି । କରୋନା ମାଡ ସହ ବର୍ଷାର ଦେଖା ନାହିଁ । ଚାଷି ମାନେ ତଳି ପକାଇପାରୁ ନାହାଁନ୍ତି, ତେଣୁ ରାଜ୍ୟ ସରକାର ତୁରନ୍ତ ଚାଷିଙ୍କ ଋଣ ଛାଡ କରିବାକୁ ସେ ଦାବୀ କରିଛନ୍ତି ।
କିନ୍ତୁ ଚଳିତ ବର୍ଷ ଜୁଲାଇ ମାସରେ ଗତ ୫ ବର୍ଷ ତୁଳନା କମ୍ ବର୍ଷା ହେଉଥିବାରୁ ଚାଷି କୁଳ ହତାଶ ହୋଇଛି । ଜୁନ୍ ଓ ଜୁଲାଇ ମାସରେ ଉତର ବଙ୍ଗୋପ ସାଗରରେ ଲଘୁଚାପ ସହ ମୌସୁମି ଭଲ ରହିଲେ ଭଲ ବର୍ଷା ହୁଏ । ହେଲେ ଚଳିତ ବର୍ଷ ଜୁନ୍ ପ୍ରଥମକୁ ଛାଡିଦେଲେ ଜୁଲାଇ ମାସରେ ଗୋଟିଏ ବି ଲଘୁଚାପ ହୋଇନାହିଁ । ଆସନ୍ତା ମାସ ଶେଷ ଯାଏ ଲଘୁଚାପ ସୃଷ୍ଟି ହେବାର ଆଶଙ୍କା ରହିଛି । ତାପମାତ୍ରା ମଧ୍ୟ ହ୍ରାସ ପାଉନଥିବାରୁ ବାୟୁ ମଣ୍ଡଳରେ ମେଘ ସୃଷ୍ଟି ହେବାରେ ସମସ୍ୟା ସୃଷ୍ଟି ହୋଇଛି । ଏହାଦ୍ୱାରା ବର୍ଷା ହୋଇପାରୁ ନାହିଁ । ୫ ବର୍ଷର ତଥ୍ୟକୁ ଆଧାର କଲେ ଚଳିତ ବର୍ଷ ଜୁଲାଇ ମାସରେ କମ୍ ବର୍ଷା ହୋଇଛି । ୨୦୧୬ ଜୁଲାଇ ମାସରେ ୩୭୭.୭୬ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ୨୦୧୭ରେ ଜୁଲାଇରେ ୩୭୪.୨୪ ମି.ମି, ୨୦୧୮ ମସିହା ଜୁଲାଇ ମାସରେ ୪୯୩,୩୩ ମି.ମି, ୨୦୧୯ ମସିହା ଜୁଲାଇ ମାସରେ ୫୪୩.୮୯ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଚଳିତ ବର୍ଷ ଜୁଲାଇ ୨୨ ତାରିଖ ସୁଦ୍ଧା ୨୨୨.୫୯ ମି.ମି. ବର୍ଷା ହୋଇଛି । ଅନ୍ୟ ବର୍ଷ ତୁଳାନାରେ ଯଥେଷ୍ଟ କମ୍ ବର୍ଷା ହୋଇଛି । ଜୁଲାଇ ମାସରେ ଆଜି ସୁଦ୍ଧା କୋରାପୁଟ ବ୍ଲକରେ ୬୮.୨୦ ମି.ମି, ଲମତାପୁଟ ବ୍ଲକରେ ୧୭୨.୫୦ ମିମି, ପଟାଙ୍ଗା ବ୍ଲକରେ ୨୮୦.୪୦ ମି.ମି, ବନ୍ଧୁଗାଁ ବ୍ଲକରେ ୩୩୧.୨୦, ନନ୍ଦପୁର ବ୍ଲକରେ ୧୩୯.୬୦ ମି.ମି, ଦଶମନ୍ତପୁର ବ୍ଲକରେ ୨୭୩.୨୦ ମି.ମି, ନାରାୟଣପାଟଣା ବ୍ଲକରେ ୨୩୩.୦୦ ମି.ମି, ଲକ୍ଷ୍ମୀପୁର ବ୍ଲକରେ ୨୬୨.୨୦ ମି.ମି, ସେମିଳିଗୁଡା ବ୍ଲକରେ ୩୧୩.୨୦ ମି,ମ. ଜୟପୁର ବ୍ଲକରେ ୧୪୪.୬୦ ମି.ମି, କୋଟପାଡ ବ୍ଲକରେ ୪୨୪ ମି.ମି, କୁନ୍ଦୁରା ବ୍ଲକରେ ୧୫୫.୮୦ ମି.ମି, ବୋରିଗୁମ୍ମା ବ୍ଲକରେ ୧୦୧.୨୦ ମି.ମି, ବୈପାରିଗୁଡା ବ୍ଲକରେ ୨୧୬ ମି.ମି. ବର୍ଷା ହୋଇଛି । ଯାହାକି କୋଟପାଡ ବ୍ଲକରେ ସର୍ବାଧିକ ବର୍ଷା ହୋଇଥିବା ବେଳେ କୋରାପୁଟ ବ୍ଲକରେ ସର୍ବନିମ୍ନ ବର୍ଷା ରେକର୍ଡ କରାଯାଇଛି ।