ଭୁବନେଶ୍ୱର– ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ(ପିଆଇବି), ଭୁବନେଶ୍ୱର ପକ୍ଷରୁ “କୋଭିଡ-୧୯ ପରିଚାଳନାରେ ଅଗ୍ରଣୀ ଯୋଦ୍ଧାମାନଙ୍କ ଭୂମିକା” ଶୀର୍ଷକ ୱେବିନାର ଅନୁଷ୍ଠିତ ହୋଇଯାଇଛି । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଓଡ଼ିଶା ପ୍ରାନ୍ତର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଶୈଳେଶ କୁମାର ମାଲବ୍ୟଙ୍କ ଅଧ୍ୟକ୍ଷତାରେ ଏହି ୱେବିନାର ଅନୁଷ୍ଠିତ ହୋଇଥିଲା । ଶ୍ରୀ ମାଲବ୍ୟ କହିଥିଲେ ଯେ କରୋନା ମହାମାରୀର ମୁକାବିଲା କରିବାରେ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ, ପୋଲିସ କର୍ମଚାରୀ, ଆଶା, ଅଙ୍ଗନୱାଡ଼ି କର୍ମୀ, ଗଣମାଧ୍ୟମ ପ୍ରତିନିଧିମାନେ ଅଗ୍ରଣୀ ଯୋଦ୍ଧା ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି । ସେମାନେ ନିଜର ଜୀବନକୁ ବାଜି ଲଗାଇ କର୍ତବ୍ୟ ସମ୍ପାଦନ କରୁଛନ୍ତି ।
ୱେବିନାରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କଟକ-ଭୁବନେଶ୍ୱର ଦ୍ୱୈତନଗରୀ ପୋଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ କହିଥିଲେ ଯେ ଆମେ ଏକ ଅପ୍ରତ୍ୟାଶିତ ସଙ୍କଟର ସମ୍ମୁଖୀନ ହେଉଛୁ । ଯେପର୍ଯ୍ୟନ୍ତ କରୋନା ମହାମାରୀର ଟିକା କିମ୍ବା ଔଷଧ ନବାହାରିଛି ସେପର୍ଯ୍ୟନ୍ତ ଆମ ସମସ୍ତଙ୍କୁ ସଂଯମ ହେବାକୁ ପଡ଼ିବ । ଇତିହାସରେ ପ୍ରଥମ ଥର ପାଇଁ ପୋଲିସକୁ ଜନସାଧାରଣଙ୍କ ସମର୍ଥନ ମିଳିଛି । ଅଳ୍ପ କିଛି ଲୋକଙ୍କୁ ଛାଡ଼ି ଦେଲେ ଅଧିକାଂଶ ଲୋକ ପୋଲିସକୁ ସହଯୋଗ କରୁଛନ୍ତି । ଲକଡାଉନ ଓ ସଟଡାଉନ ନିୟମକୁ ମାନିଛନ୍ତି । ଜନସାଧାରଣ ସଚେତନ ରହିବା ସହିତ ମାସ୍କ ପିନ୍ଧି, ସାମାଜିକ ଦୂରତା ରକ୍ଷା କରି ଏବଂ ଘରେ ରହି ନିୟମକୁ ପାଳିଛନ୍ତି । ଯେଉଁମାନେ ନିୟମ ମାନୁନାହାନ୍ତି ଆମେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛୁ । ଆମେ ଆଇନ ଶୃଙ୍ଖଳା, ସାମାଜିକ ଦୂରତାକୁ ବଜାୟ ରଖିବା ଦିଗରେ କାର୍ଯ୍ୟ କରିଛୁ । ସବୁକିଛି ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରାଯାଉଛି ଯାହା ଫଳରେ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀମାନେ ସେମାନଙ୍କର କାମ ସୂଚାରୁ ରୂପେ କରିପାରିବେ ।
ଡ. ଷଡ଼ଙ୍ଗୀ ଆହୁରି କହିଥିଲେ ଯେ ଆମେ ଜନସାଧାରଣଙ୍କ ସମସ୍ୟା ପ୍ରତି ମଧ୍ୟ ଧ୍ୟାନ ଦେଇଛୁ । ଲୋକଙ୍କ ନିକଟରେ ଜରୁରି ସାମଗ୍ରୀ ପହଁଚିବା କ୍ଷେତ୍ରରେ କୌଣସି ପ୍ରତିବନ୍ଧକ ନାହିଁ । ଲକଡାଉନ ସମୟରେ ୨ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ଆମେ ଖାଦ୍ୟ ଦେଇଛୁ । ଯେଉଁମାନେ କିଛି ଅସୁବିଧାରେ ପଡ଼ିଛନ୍ତି, କମିଶନରେଟ ପୋଲିସ ସେମାନଙ୍କୁ ସହାୟତା ଯୋଗାଇ ଦେଇଛି । ତେବେ ଲୋକମାନେ ନିଜେ ସଚେତନ ରହି ସ୍ୱେଚ୍ଛାକୃତ ଭାବେ ନିୟମ ମାନିବାର ଆବଶ୍ୟକତା ରହିଛି । ସେହିପରି କରୋନା ମହାମାରୀ ସମୟରେ ଆଗଧାଡ଼ିରେ ରହି ଦାୟିତ୍ୱ ସମ୍ପାଦନ କରୁଥିବା ପୋଲିସ କର୍ମଚାରୀମାନଙ୍କ ସୁରକ୍ଷା ପ୍ରସଙ୍ଗରେ ଶ୍ରୀ ଷଡ଼ଙ୍ଗୀ କହିଥିଲେ ଯେ ଆମର ପୋଲିସ କର୍ମଚାରୀଙ୍କ ସୁରକ୍ଷା ପାଇଁ ଯେଉଁସବୁ ପଦକ୍ଷେପ ନିଆଯାଇଛି ତାହା ଅନ୍ୟମାନଙ୍କ ପାଇଁ ଅନୁକରଣୀୟ । ଦୁଇ ସହରରେ ୮ହଜାରରୁ ଊର୍ଦ୍ଧ୍ୱ ପୋଲିସ କର୍ମଚାରୀ ରହିଥିଲେ ମଧ୍ୟ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିବା ଯୋଗୁ ମାତ୍ର ଦୁଇରୁ ତିନି ଜଣ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି । ବୟସ୍କ ଏବଂ ପୂର୍ବରୁ କୌଣସି ରୋଗ ଥିବା କର୍ମଚାରୀଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି ବୋଲି ସେ କହିଥିଲେ ।
କାର୍ଯ୍ୟକ୍ରମରେ ଅନ୍ୟତମ ବକ୍ତା ଭାବେ ଯୋଗ ଦେଇ ବରିଷ୍ଠ ସାମ୍ବାଦିକ ତଥା ସୁବାର୍ତାର ସମ୍ପାଦକ ପ୍ରଦ୍ୟୁମ୍ନ ଶତପଥୀ କହିଥିଲେ ଯେ ବର୍ତମାନ ସମଗ୍ର ମାନବ ସମାଜ ଏକ ଅଦୃଶ୍ୟ ଶକ୍ତି ବିରୋଧରେ ଯୁଦ୍ଧ କରୁଛି । ଏହି ସମୟରେ ଅଗ୍ରଣୀ କରୋନା ଯୋଦ୍ଧାମାନେ ସେମାନଙ୍କ ଜୀବନକୁ ବାଜି ଲଗାଇ କାମ କରୁଛନ୍ତି । ସେମାନେ ନିଜର ସାମାଜିକ ସେବା ଚରିତ୍ରର ପ୍ରଦର୍ଶନ କରିଛନ୍ତି ।
ସେହିପରି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଡିଏମଇଟି ପ୍ରଫେସର ଡାକ୍ତର ସିବିକେ ମହାନ୍ତି କହିଥିଲେ ଯେ ଆମେ ଏକ ଅଦୃଶ୍ୟ ଏବଂ ନୂଆ ଶତ୍ରୁର ମୁକାବିଲା କରୁଛୁ । ଏ ମହାମାରୀର କୌଣସି ଚିକିତ୍ସା ନଥିବାରୁ ସତର୍କ ରହିବା ହିଁ ସବୁଠୁ ଉତମ ମାର୍ଗ ବୋଲି ସେ କହିଥିଲେ । ଏହି ସମୟରେ ଆତ୍ମସଚେତନ ହେବାକୁ ସେ ଆହ୍ୱାନ କରିଥିଲେ । ବିଶେଷ କରି ରୋଗୀଙ୍କ ଚିକିତ୍ସା କରୁଥିବା ଏବଂ ଅନ୍ୟ କରୋନା ଯୋଦ୍ଧାମାନେ ବ୍ୟକ୍ତିଗତ ସୁରକ୍ଷା ଉପକରଣ ପିନ୍ଧିବା ଉପରେ ସେ ଗୁରୁତ୍ୱ ଦେଇଥିଲେ । ସେହିପରି ସେ କରୋନା ଚିକିତ୍ସା ସମୟରେ ବାହାରୁଥିବା ବର୍ଜ୍ୟବସ୍ତୁର ପରିଚାଳନା ଏବଂ ବିଶୋଧନ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ ।
କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିବା ଉତ୍କଳ ବିଶ୍ୱବିଦ୍ୟାଳୟର ସମାଜ ବିଜ୍ଞାନ ବିଭାଗ ପ୍ରାଧ୍ୟାପିକା ଡ. ନବନୀତା ରଥ କହିଥିଲେ ଯେ ଏହି ମହାମାରୀ ବିରୋଧୀ ଲଢ଼େଇରେ ଆଶା ଓ ଅଙ୍ଗନୱାଡ଼ି କର୍ମୀମାନେ ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି । ସେମାନଙ୍କର ଗୋଷ୍ଠୀ ସମ୍ପର୍କ ଯୋଗୁ ରୋଗୀଙ୍କୁ ଚିହ୍ନଟ କରିବା, ତୃଣମୂଳସ୍ତରରେ ସଚେତନତା ସୃଷ୍ଟି କରିବା ଆଦି କାର୍ଯ୍ୟ ସୁଚାରୂ ରୂପେ ସମ୍ପାଦିତ ହୋଇପାରୁଛି । ତେବେ ଏହି ମହାମାରୀ କାରଣରୁ ସେମାନଙ୍କର ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି । ସେମାନଙ୍କ ସାହସିକ କାର୍ଯ୍ୟ ଗଣମାଧ୍ୟମ ଜରିଆରେ ସମସ୍ତଙ୍କ ସାମ୍ନାକୁ ଆସିପାରିଛି । ତେଣୁ ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା ଏହି କରୋନା ଯୋଦ୍ଧାଙ୍କ ସାମାଜିକ ଓ ଜୀବନ ଅଧିକାର ସୁରକ୍ଷା ପ୍ରତି ସରକାରୀ ସ୍ତରରେ ଦୃଷ୍ଟି ଦିଆଯିବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଡିଏମଇଟି ପ୍ରଫେସର ଡା. ବ୍ରଜକିଶୋର ଦାସ, ଆଂଚଳିକ ଜନସମ୍ପର୍କ କାର୍ଯ୍ୟାଳୟ, ଭୁବନେଶ୍ୱରର ନିର୍ଦ୍ଦେଶକ ଅଖିଳ ମିଶ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ । ୱେବିନାର ଅବସରରେ ବିଶେଷଜ୍ଞମାନେ ଅଂଶଗ୍ରହଣକାରୀଙ୍କ ବିଭିନ୍ନ ପ୍ରଶ୍ନର ଉତର ଦେଇଥିଲେ । ପିଆଇବିର ଗଣ ଯୋଗାଯୋଗ ଅଧିକାରୀ ଡ. ପ୍ରଦୀପ ଚୌଧୁରୀ ଏହି ୱେବିନାରକୁ ପରିଚାଳନା କରିଥିବା ବେଳେ ବହୁ ଗଣମାଧ୍ୟମ ବୁଦ୍ଧିଜୀବୀ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ଅଧିକାରୀ ଓ କର୍ମଚାରୀଙ୍କ ସମେତ ଛାତ୍ରଛାତ୍ରୀ ଓ ଗବେଷକମାନେ ଏଥିରେ ଅଂଶଗ୍ରହଣ କରିଥିଲେ ।