ଶିମଲା– ହିମାଚଳପ୍ରଦେଶର ସଚିବାଳୟରେ ପ୍ରବେଶ କରିଛି କରୋନା । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଯୁକ୍ତ ଏଚଏଏସ୍ ଅଧିକାରୀ ବୁଧବାର ଦିନ କରୋନା ସଂକ୍ରମିତ ହୋଇଥିବା ଜଣାପଡିବା ପରେ ସଚିବାଳୟରେ କୋକୁଆ ଭୟ ଖେଳିଯାଇଥିଲା । ମଧ୍ୟାହ୍ନ ପରେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି । ଏହାସହ ମୁଖ୍ୟମନ୍ତ୍ରୀ ନିଜ ଆଡୁ ଆଇସୋଲେସନ୍ ରେ ରହିବା ନେଇ ଘୋଷଣା କରିଥିଲେ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସମ୍ପୃକ୍ତ ଅଧିକାରୀଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ପ୍ରୋଟୋକଲ ଅନୁଯାୟୀ ସେ ସେଲ୍ଫ୍ ଆଇସୋଲେସନ ୍ରେ ରହିବାକୁ ଯାଉଛନ୍ତି । ଅନ୍ୟପକ୍ଷରେ, କରୋନା ସଂକ୍ରମିତ ଅଧିକାରୀଙ୍କ ସହ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଯୋଗାଯୋଗରେ ଆସୁଥିବା ଲୋକଙ୍କୁ ଚିହ୍ନଟ କରାଯାଉଛି ।
ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆରଡି ଧିମାନ କହିଛନ୍ତି ଯେ ସମ୍ପୃକ୍ତ ଅଧିକାରୀଙ୍କ ସହ ଯୋଗାଯୋଗ କରୁଥିବା ସମସ୍ତ ଲୋକଙ୍କ ନମୁନା ନିଆଯାଉଛି । ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ନମୁନା ମଧ୍ୟ ନିଆଯାଉଛି । ସେମାନଙ୍କ ସହ ଯୋଗାଯୋଗ କରିଥିବା ସମସ୍ତ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି ।
ଉଲ୍ଲେଖ୍ୟଯୋଗ୍ୟ ଯେ ରାଜ୍ୟରେ କରୋନା ସଂଖ୍ୟା ପ୍ରାୟ ୧୭୦୦ ରେ ପହଂଚିଛି । ସମଗ୍ର ରାଜ୍ୟରେ ଏପର୍ଯ୍ୟନ୍ତ ୧୬୯୭ ଟି ପଜିଟିଭ୍ ମାମଲା ପଞ୍ଜିକୃତ ହୋଇଛି । ଅନଲକ୍ ର ଦ୍ୱିତୀୟ ପର୍ଯ୍ୟାୟରେ, କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ୩୯୧ ମାମଲା ସହିତ ସୋଲୋନ୍ ଜିଲ୍ଲା କରୋନା ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଛି । ରାଜ୍ୟରେ କରୋନାରୁ ୧୦ ଜଣଙ୍କର ମୃତ୍ୟୁ ହୋଇଛି ।