ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏଥିସହ ଦୈନିକ ୨୦୦ରୁ ୩୦୦ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି । ୩ରୁ ୫ଜଣଙ୍କ ଦୈନିକ କରୋନାରେ ମୃତ୍ୟୁ ହେଉଛି । ତେବେ ପଜିଟିଭଙ୍କ ସଂସ୍ପର୍ଶରେ ଆସି ଶତାଧିକ ସଂକ୍ରମିତ ହେଉଛନ୍ତି । ଜିଲ୍ଲାବାସୀ ଭୟଭୀତ ଅବସ୍ଥାରେ ରହିଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ କେତେକ ପଦକ୍ଷେପ ମଧ୍ୟ ନିଆଯାଉଛି । ଅପରପକ୍ଷରେ ବୁଧବାର ଗଞ୍ଜାମ ଡିଆର୍ଡିଏ ପକ୍ଷରୁ ଏକ ଗ୍ରାଫ୍ ପ୍ରସ୍ତୁତ କରାଯାଇଛି । ସେଥିରେ କରୋନା ସଂକ୍ରମଣ ସମ୍ପର୍କରେ ତଥ୍ୟ ଦିଆଯାଇଛି । ଏଥିରୁ ଜଣାଯାଇଛି ଯେ, ଗଞ୍ଜାମ ଜିଲ୍ଲାର ୮୬ପ୍ରତିଶତ ଗ୍ରାମାଞ୍ଚଳ ଗ୍ରୀନ୍ ଜୋନ୍ରେ ଏବଂ ୧୪ ପ୍ରତିଶତ ଗ୍ରାମାଞ୍ଚଳ ରେଡ୍ ଜୋନ୍ରେ ରହିଛି । ଜିଲ୍ଲାର ୩୧୫୭ଟି ଗାଁରେ ସର୍ଭେ କରାଯାଇଥିଲା । ସେଥିରୁ ୨୭୦୫ଟି ଗାଁ ଗ୍ରୀନ୍ ଜୋନ୍ରେ ଥିବାବେଳେ ୪୫୨ଟି ଗାଁ ରେଡ୍ ଜୋନ୍ରେ ରହିଛି । ଗ୍ରୀନ୍ ଜୋନ୍ରେ କେହି କରୋନା ଆକ୍ଟିଭ ପଜିଟିଭ ନଥିବା ସୂଚନା ଦିଆଯାଇଛି । ଛତ୍ରପୁର, ହିଞ୍ଜିଳି, କବିସୂର୍ଯ୍ୟନଗର, ପୁରୁଷୋତ୍ତମପୁର, ଆସିକା, କୁକୁୂଡାଖଣ୍ଡି, ବେଲଗୁଣ୍ଠା, ବୁଗୁଡା ପ୍ରମୁଖ ବ୍ଲକ୍ରେ ଅଧିକ କରୋନା ପଜିଟିଭ ଆକ୍ଟିଭ ଅଛନ୍ତି ।
Related Stories
November 23, 2024