-
ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିକଲା ବିଜେପି
ବ୍ରହ୍ମପୁର: ଗତ ୧୮ତାରିଖ ଭୋର ୩ଟା ସମୟରେ ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ବିଭୁତି ଭୂଷଣ ଜେନାଙ୍କୁ ଗୋଳନ୍ଥରାସ୍ଥିତ ତାଙ୍କ ବାସଭବନରେ କିଛି ଦୁର୍ବୃତ୍ତ ମାରଣାସ୍ତ୍ର ଧରି ଆକ୍ରମଣ ଉଦ୍ୟମ କରିଥିଲେ । ଏହି ଘଟଣାକୁ ସ୍ଥାନୀୟ ଗୋଳନ୍ଥରା ଥାନାଧିକାରୀଙ୍କୁ ଅବଗତ କରାଇବା ସହ ଲିଖିତ ଅଭିଯୋଗ କରାଯାଇଛି । ପୋଲିସ କେଶ୍ ନମ୍ବର ୧୯୧/୨୦ରେ ଏକ ମାମଲା ରୁଜୁକରି ୫ଦିନ ବିତିଯାଇଥିଲେ ମଧ୍ୟ ଦୋଷୀମାନଙ୍କୁ ଧରିପାରିନାହିଁ । ତେଣୁ ବିଜେପି ଜିଲ୍ଲା ସଭାପତିଙ୍କୁ ଯୋଜନାବଦ୍ଧ ଭାବେ ମାରିବାକୁ ଉଦ୍ୟମ ଘଟଣା ଦଳାର ହଜାର ହଜାର କାର୍ଯ୍ୟକର୍ତ୍ତାଙ୍କୁ ବ୍ୟଥିତ କରିଛି । ପୋଲିସ ଏହି ଘଟଣାର ତ୍ୱରିତ ପଦକ୍ଷେପ ନେଲେ ପୋଲିସର ଅନୁସନ୍ଧାନ ଉପରେ ଲୋକଙ୍କର ଆସ୍ଥା ପ୍ରକଟ ହୋଇପାରିବ । ପୋଲିସ ପ୍ରଶାସନ ଏହି ଘଟଣାକୁ ଗୁରୁତର ସହ ନେଇ ତୁରନ୍ତ ଦୋଷୀଙ୍କୁ ଗିରଫ କରିବା ପାଇଁ ବିଜେପି ପକ୍ଷରୁ ଦାବି କରାଯାଇଛି । ଯଦି ପୋଲିସ ଏହି ଘଟଣାର ତଦନ୍ତରେ ଅବହେଳା ପ୍ରଦର୍ଶନ କରେ ତେବେ ବିଜେପି ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ବିଜେପି ପକ୍ଷରୁ ଏକ ଲିଖିତ ପତ୍ର ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇଙ୍କୁ ସାକ୍ଷାତକରି ପ୍ରଦାନ କରାଯାଇଛି । ଦାବିପତ୍ର ପ୍ରଦାନ ବେଳେ ବିଜେପି ନେତା କାହ୍ନୁଚରଣ ପତି, ରାଜେଶ କୁମାର ସାହୁ, ମଦନମୋହନ ପାତ୍ର, ସିଦ୍ଧାନ୍ତ ଗଙ୍ଗଦେବ, ପ୍ରଭାତ କିରଣ ଷଢ଼ଙ୍ଗୀ, ସୁନୀଲ କୁମାର ସାହୁ, ଶରତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।