
ଭୁବନେଶ୍ୱର ମଧ୍ୟପ୍ରଦେଶର ରାଜ୍ୟପାଳ ଲାଲଜୀ ଟଣ୍ଡନଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକ ଗଭୀର ଶୋକ ପ୍ରକାଶ କରିବା ସହ ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିଛନ୍ତି ।
ସ୍ୱର୍ଗତଃ ଟଣ୍ଡନ ଜଣେ ଲୋକପ୍ରିୟ ଜନନେତା, ଦକ୍ଷ ପ୍ରଶାସକ ଏବଂ ସମାଜସେବୀ ଭାବେ ବେଶ ଜଣାଶୁଣା ଥିଲେ । ସବୁ ସମୟରେ ସେ ଲୋକଙ୍କ ସୁଖ ଦୁଃଖରେ ସାମିଲ ହେଉଥିଲେ । ସ୍ୱର୍ଗତଃ ଟଣ୍ଡନ ଦୁଇ ଥର ଉତର ପ୍ରଦେଶ ବିଧାନ ପରିଷଦର ସଦସ୍ୟ ଏବଂ ୧୯୯୬ ରୁ ୨୦୧୯ ମଧ୍ୟରେ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୦୯ରେ ସେ ଲକ୍ଷ୍ନୌ ସଂସଦୀୟ କ୍ଷେତ୍ରରୁ ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୮ରେ ତାଙ୍କୁ ବିହାର ରାଜ୍ୟପାଳ ଏବଂ ପରେ ତାଙ୍କୁ ମଧ୍ୟପ୍ରଦେଶର ରାଜ୍ୟପାଳ ଭାବେ ଦାୟୀତ୍ୱ ଦିଆଯାଇଥିଲା । ସମାଜର ବିଭିନ୍ନ କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା । ସ୍ୱର୍ଗତଃ ଟଣ୍ଡନଙ୍କ ବିୟୋଗରେ ଶ୍ରୀ ମହାନ୍ତି ଏବଂ ଶ୍ରୀ ନାଏକ ଅତ୍ୟନ୍ତ ମର୍ମାହତ ବୋଲି କହିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।