-
କମ୍ୟୁନିଟ ଏବଂ ପ୍ରଶାସନ ମଧ୍ୟରେ ସେତୁ ଭାବେ କାର୍ଯ୍ୟ କରିବେ-ଜିଲ୍ଲାପାଳ
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,୨୦/୦୭/୨୦୨୦,ପୁରୀ ସହରରେ କରୋନା ମହାମାରୀକୁ ପ୍ରତିହତ କରିବା ନିମନ୍ତେ ଗୋଷ୍ଠୀ ସ୍ବେଚ୍ଛାସେବୀ ନିୟୋଜିତ ରହି ସଚେତନ ସୃଷ୍ଟି କରିବା ସହ କମ୍ୟୁନିଟ ଏବଂ ପ୍ରଶାସନ ମଧ୍ୟରେ ସେତୁ ଭାବେ କାର୍ଯ୍ୟ କରିବେ । ଏନେଇ ଏକ ବୈଠକ ଜିଲ୍ଲାପାଳ ଶ୍ରୀ ବଲଓ୍ବନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଟାଉନହଲରେ ଅନୁଷ୍ଠିତ ହୋଇଛି । ପେଣ୍ଠକଟା ପରେ ବଳିଆପଣ୍ଡା ଓ ବାଲିନୋଳିଆ ସାହିରେ ଏହି ସ୍ବେଚ୍ଛାସେବୀମାନେ କାର୍ଯ୍ୟକରିବେ । ପ୍ରତି ୨୫ ଘରକୁ ଜଣେ ସ୍ବେଚ୍ଛାସେବୀ ନିୟୋଜିତ ହେବେ । ଉକ୍ତ ସ୍ବେଚ୍ଛାସେବୀ ମାନେ ସଂପୃକ୍ତ ବସ୍ତିର ହୋଇଥିବେ ଓ ସେବା ମନୋଭାବ ରଖି କାର୍ଯ୍ୟ କରିବେ । ଉଭୟ ପୁରୁଷ ଓ ମହିଳା ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯିବ । ଉକ୍ତ ସ୍ବେଚ୍ଛାସେବୀ ସୁସ୍ଥ ଥିବା ସହ ତାଙ୍କୁ ୪୦ ବର୍ଷ ବୟସରୁ କମ ହୋଇଥିବେ, ହ୍ବାଟ୍ସଅପ ବ୍ୟବହାର ଜାଣିଥିବେ, ଦୈନିକ ୫ ରୁ ୬ ଘଣ୍ଟା ସମୟ ଦେଇପାରୁଥିବେ, ଓଡିଆ ଭାଷା ଜାଣିବା ବାଧ୍ୟତାମୂଳକ ।
ସେମାନେ ସଂପୃକ୍ତ ପରିବାରରୁ ବୃଦ୍ଧ ବୃଦ୍ଧା, ଶିଶୁ, ଜ୍ଜର, ଥଣ୍ଡା, କାଶ ଲକ୍ଷଣ ଥିବା ବ୍ୟକ୍ତିଙ୍କ ବିଷୟରେ ତଥ୍ୟ ଦେବା ସହ ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ସଂପର୍କରେ ସଚେତନ କରାଇବେ । ବାହାର ବ୍ୟକ୍ତି ବସ୍ତିକୁ ଆସିଲେ ଏବଂ ସଙ୍ଗରୋଧ ନିୟମ ଉଲଘଂନ ସଂପର୍କରେ ମଧ୍ୟ ତଥ୍ୟ ହାସଲ କରାଯିବ । ଆବଶ୍ୟକ ସ୍ଥଳେ ପୋଲିସ ଓ ପୌରସଂସ୍ଥା ପକ୍ଷରୁ ମିଳିତ ଚଢାଉ କରାଯିବ । ସଂପୃକ୍ତ ଅଞ୍ଚଳରୁ କୈଣସି ବ୍ୟକ୍ତି ବାହାରକୁ ଗଲେ ମଧ୍ୟ ତଥ୍ୟ ରହିବ । ହୋଡିଂ, ଡାକବାଜି ଓ ପ୍ରଚାରପତ୍ର ମାଧ୍ୟମରେ ମଧ୍ୟ ସଚେତନ କରାଯିବ । ଉକ୍ତ ସ୍ବେଚ୍ଛାସେବୀମାନେ କରୋନା ଲଢେଇ ନିମନ୍ତେ ଗୋଷ୍ଠୀ ନେତୃତ୍ବ ନେବେ। ଆସନ୍ତା ଦୁଇଦିନ ମଧ୍ୟରେ ସମସ୍ତ ଆନୁଷଙ୍ଗିକ ପ୍ରକ୍ରିୟା ଶେଷ କରାଯାଇ ସ୍ବେଚ୍ଛାସେବୀ ନିୟୋଜିତ ହେବେ । ଅନ୍ୟପକ୍ଷରେ ପୁରୀ ସହରରେ ଘରକୁ ଘର ବୁଲି କରୋନା ସଂପର୍କିତ ତଥ୍ୟ ମଧ୍ୟ ସଂଗ୍ରହ କରାଯାଉଛି । ଏଥିନିମନ୍ତେ ୬୪ଟି ଟିମ ନିୟୋଜିତ ଅଛନ୍ତି । ଏଥିରେ ଆଶା, ଅଙ୍ଗନଓ୍ବାଡି ଓ ସ୍ବାସ୍ଥ୍ୟକର୍ମୀ ନିୟୋଜିତ ଅଛନ୍ତି । ଆଜିସୁଦ୍ଧା ପ୍ରାୟ ୩୫ ହଜାର ପରିବାରରୁ ତଥ୍ୟ ସଂଗ୍ରହ କରାଯାଇଛି । ଏଥିରୁ ୩୬୭ ଜଣଙ୍କ ଲକ୍ଷଣ ଥିବା ଚିହ୍ନଟ କରାଯିବା ସହ ବାହାରୁ ଆସିଥିବା ୧୧୭ ଜଣଙ୍କୁ ସଂଗରୋଧରେ ରହିବାକୁ ପରାମର୍ଶ ସହ ୬ ଜଣ ଉକ୍ତ ନିୟମ ଉଲଙ୍ଘନ କରିଥିବା ଚିହ୍ନଟ ହୋଇଛନ୍ତି । ଉକ୍ତ ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ପୌରସଂସ୍ଥା ନିର୍ବାହୀ ଅଧିକାରୀ ଶ୍ରୀ ବିଜୟ କୁମାର ଦାଶ, ପୌରସଂସ୍ଥା ଅତିରିକ୍ତ ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ବାଇଁ ଓ ବିଭିନ୍ନ ବସ୍ତିର ନେତୃସ୍ଥାନୀୟ ବ୍ୟକ୍ତି, ସ୍ବେଚ୍ଛାସେବୀ ପ୍ରମୁଖ ଉପସ୍ଥିତ ଥିଲେ ।