ବ୍ରହ୍ମପୁର: ସମ୍ପ୍ରତି କରୋନା ମହାମାରୀ ବୁଗୁଡାରେ ବସାବାନ୍ଧି ରହିଛି । ରାତିପାହିଲେ ମୃତ୍ୟୁ ଖବର ଶୁଣିବାକୁ ମିଳୁଛି । କରୋନା ଭୟରେ ଶବ ନେବାକୁ ଚାରିକାନ୍ଧ ମିଳୁନି । ଆତ୍ମୀୟ ସୃଜନମାନେ ଦେଖା ଦେଉନାହାଁନ୍ତିା ଫଳରେ ଶବକୁ ଟ୍ରଲିରେ ଶ୍ମଶାନ ପର୍ଯ୍ୟନ୍ତ ନେବାକୁ ପଡୁଛି । ଏଭଳି ଦୃଶ୍ୟ ବୁଗୁଡାରେ ବାରମ୍ବାର ଦେଖିବାକୁ ମିଳୁଛି ଯାହାକି ଜନସାଧାରଣଙ୍କ ମନକୁ ଆନ୍ଦୋଳିତ କରୁଛି । ସୋମବାର ବୁଗୁଡା ସହରର ମୁଖ୍ୟ ସଡକସ୍ଥିତ ସାଇରାମ ହୋଟେଲ ମାଲିକଙ୍କ ବଡପୁଅ ଜ୍ୱରରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କଲେ । ଶବନେବାକୁ ଆତ୍ମୀୟସୃଜନ ପଛ ଘୁଞ୍ଚାଦେବାରୁ ଶବକୁ ଟ୍ରଲିରେ ନିଆଯାଇଥିଲା । ଗତ ଶୁକ୍ରବାର ଦିନ ମଧ୍ୟ ମୁଖ୍ୟ ସଡକସ୍ଥିତ ଏକ ସୁନା ଗହଣା ବ୍ୟବସାୟୀଙ୍କ ଶବକୁ ଟ୍ରଲିରେ ବୁହାହୋଇଥିଲା ବେଳେ ଗୁରୁବାର ଦିନ ବଡ ଦାଣ୍ଡର ଜୈନିକ ବ୍ୟବସାୟୀଙ୍କ ଶବକୁ ଟ୍ରଲିରେ ଲଦାହୋଇ ଶ୍ମଶାନଘାଟକୁ ନିଆଯାଇଥିଲା । ବୁଗୁଡା ବ୍ଲକ୍ରେ ସରକାରୀ
ହିସାବରେ କରୋନାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ବେସରକାରୀ ଭାବେ ବୁଗୁଡା ଅଞ୍ଚଳରେ ୧୦ଦିନ ମଧ୍ୟରେ ପ୍ରାୟ ୧୫ଜଣଙ୍କ ଅସ୍ୱଭାବିକ ମୃତ୍ୟୁ ଘଟିଲାଣି । ଅଧିକାଂଶ ଲୋକ ଜ୍ୱରରେ ପୀଡିତ ହୋଇ ମୃତ୍ୟୁବରଣ କରିଛନ୍ତି । କିନ୍ତୁ ସେମାନଙ୍କ ନମୁନା ପରୀକ୍ଷା ହୋଇନଥିବାରୁ ସରକାରୀ ହିସାବରେ ନିଆଯାଉନି । ବୁଗୁଡା ଅଞ୍ଚଳରେ କରୋନାସ୍ଥିତି ଦିନକୁ ଦିନ ଅସମ୍ଭାଳ ହେଲାଣି ଏବଂ ଲୋକେ ଥଣ୍ଡା, ଜ୍ୱରରେ ପୀଡିତ ହୋଇ ଆତଙ୍କିତ ଅବସ୍ଥାରେ ଥିବାବେଳେ ସ୍ୱାବ୍ ନମୁନା ରିପୋର୍ଟ ବହୁ ବିଳମ୍ବରେ ଆସୁଥିବାରୁ ଲୋକଙ୍କୁ ଚିକିତ୍ସା ସୁବିଧା ମିଳିବା ବେଳକୁ କିଏ ସୁସ୍ଥ ହୋଇସାରି ଆଉଛି ତ କାହାର ପ୍ରାଣବାୟୁ ଉଡିଯାଉଛି । ଲକ୍ଷଣ ନଥାଇ ଅଧିକାଂଶ ପଜିଟିଭ ଆସୁଥିବାରୁ ଘର ଘର ବୁଲି କରାଯାଉଥିବା ସର୍ଭେରେ କୌଣସି ସଫଳ ମିଳୁନି । ଆଣ୍ଟିବଡି କିଟ୍ ସାହାଯ୍ୟରେ ପରୀକ୍ଷା ଜୋର୍ଦାର କରିବା ପାଇଁ ସର୍ବସାଧାରଣରେ ଦାବି ହେଉଛି । ଶବକୁ ଅସମ୍ମାନ ସହ ଟ୍ରଲିରେ ଟାଣିନେବା ଘଟଣାକୁ ବୃଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଥିବା ବେଳେ ଏ ଦିଗରେ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ସର୍ବସାଧାରଣରେ ଉଦ୍ବେଗ ପ୍ରକାଶ ପାଇଛି ।