-
ସଂକ୍ରମିତମାନେ ଡିସଚାର୍ଜ ବେଳେ ଫ୍ୟାନ, ଲାଇଟ୍ ଓ ଝରାକା ଭାଙ୍ଗି ଦେଇ ଗଲେ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ସହ ମୃତ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ତେବେ କରୋନା ସଂକ୍ରମିତଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇଦେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ଼୍ -୧୯ ହସ୍ପିଟାଲ ସାଙ୍ଗକୁ ଗୋଟିଏ ପରେ ଗୋଟିଏ କୋଭିଡ଼୍ କେୟାର ସେଂଟର ଖୋଲାଯାଉଛି । କୋଭିଡ଼୍ ହସ୍ପିଟାଲ ଓ କୋଭିଡ଼୍ କେୟାର ସେଂଟର ଗୁଡ଼ିକର ଉପଯୁକ୍ତ ଚିକିତ୍ସା କରାଯାଉ ନ ଥିବା ଏବଂ ଅବ୍ୟବସ୍ଥାକୁ ନେଇ ଭିଡ଼ିଓ ଭାଇରାଲ ହେବାର ଲାଗିଛି । ଏହାକୁ ନେଇ ପ୍ରଶାସନକୁ ନିନ୍ଦିତ ହେବାକୁ ପଡ଼ିଛି । ଏଥିସହ ପ୍ରଶାସନ ସ୍ଥିତିରେ ସୁଧାର ଆଣିବା ଲାଗି ପଦେକ୍ଷେପ ନେଇଛି । ତେବେ ପୁଣି ପାଲୁର ହିଲ୍ ବିଜୁ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟ କୋଭିଡ଼୍ କେୟାର ସେଂଟର ଭିଡ଼ିଓ ଭାଇରାଲ ହୋଇଛି । ଉକ୍ତ ଭିଡିଓରେ ପାଲୁରହିଲ କୋଭିଡ଼୍ କେୟାର ସେଂଟର ଏକ କକ୍ଷରେ ୭ଟି ଶଯ୍ୟା ରହିଥିବା ବେଳେ ଏଥିରେ ଲାଗିଥିବା ଫ୍ୟାନ, ଲାଇଟ, ଝରକାର କାଚ ଆଦି ଭଙ୍ଗାଯାଇଥିବାର ଦୃଶ୍ୟ ରହିଛି । କକ୍ଷରେ ରହୁଥିବା ସଂକ୍ରମିତ ମାନେ ରବିବାର ସୁସ୍ଥ ହୋଇ ଘରକୁ ଫେରିଥିଲେ । ସୋମବାର ସକାଳେ ସଫେଇ କର୍ମଚାରୀମାନେ ଉକ୍ତ କକ୍ଷକୁ ସଫା କରିବାକୁ ଯିବା ବେଳେ ଏହା ଦେଖିବାକୁ ପାଇଥିଲେ । ଏ ସଂକ୍ରାନ୍ତରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ଏହି କକ୍ଷରେ ରହୁଥିବା ସଂକ୍ରମିତଙ୍କ ମଧ୍ୟରୁ କିଛି ଜଣ ଗତ କିଛି ଦିନ ତଳେ ଉକ୍ତ କୋଭିଡ଼୍ କେୟା ସେଂଟର ଅବ୍ୟବସ୍ଥାକୁ ନେଇ ଭିଡ଼ଓ ଭାଇରାଲ କରିଥିଲେ । ସେ ଛାଡିବା ବେଳେ ଏଭଳି କାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି । ଅନ୍ୟପକ୍ଷରେ ଭାଇରଲ ଭିଡ଼ିଓ ସମ୍ପର୍କରେ ବ୍ରହ୍ମପୁର ଉପ ଜିଲ୍ଲାପାଳ ସିନ୍ଧେଦତାତ୍ରୟ ଭାଉସାହେବଙ୍କୁ ପଚାରିବାରେ ସେ ଏହି ଘଟଣାଟି ସତ୍ୟ ବୋଲି ସ୍ୱୀକାର କରିଛନ୍ତି ।