ଭୁବନେଶ୍ୱର– ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ପୁଣି ୬ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଏହା ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୯୭ କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ବିଭାଗ ଦ୍ୱାରା ଦିଆ ଯାଇଥିବା ସୂଚନା ଅନୁସାରେ ମୃତକ ମାନଙ୍କ ମଧ୍ୟରେ ପାଂଚ ଜଣ ଗଂଜାମ ଜିଲ୍ଲାର ହୋଇଥିବା ବେଳେ ଜଣେ ଗଜପତି ଜିଲ୍ଲାର ଅଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ମହିଳା ଅଛନ୍ତି ।
ବିଭାଗ ଦ୍ୱାରା ଦିଆ ଯାଇଥିବା ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲାର ୭୦ ବର୍ଷିୟ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସେ ମଧୁମେହ ରୋଗରେ ପୀଡିତ ଥିଲେ । ଏହାଛଡ଼ା ଗଂଜାମ ଜିଲ୍ଲାର ଅନ୍ୟ ଜଣେ ୪୦ ବର୍ଷୀୟ କରୋନା ସଂକ୍ରମିତ ପୁରୁଷଙ୍କ ମୃତ୍ୟୁ ହୋଇଛି । ସେହିପରି ଗଂଜାମ ଜିଲ୍ଲାର ୪୨ ବର୍ଷୀୟ ଜଣେ ପୁରୁଷଙ୍କ ମଧ୍ୟ ମୃତ୍ୟୁ ଘଟିଛି । ସେ ମଧୁମେହରେ ପୀଡିତ ଥିଲେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ସେହିପରି ଗଂଜାମ ଜିଲ୍ଲାର ଜଣେ ୫୪ ବର୍ଷୀୟ ପୁରୁଷଙ୍କ କରୋନାରେ ମୃତ୍ୟୁ ଘଟିଛି ।
ବିଭାଗ ପକ୍ଷରୁ କୁହା ଯାଇଛି ଯେ ହାଇପର ଟେନସନ ଓ ମଧୁମେହ ରୋଗରେ ପୀଡିତ ଥିବା ଗଂଜାମ ଜିଲ୍ଲାର ଜଣେ ୫୨ ବର୍ଷାୀୟ ପୁରୁଷ କରୋନା ଆକ୍ରାନ୍ତଙ୍କ ମଧ୍ୟ ମୃତ୍ୟୁ ଘଟିଛି ।
ସେହିପରି ଭାବେ ଗଜପତି ଜିଲ୍ଲାର ଜଣେ ୫୫ ବର୍ଷୀୟା କରୋନା ସଂକ୍ରମିତ ମହିଳାଙ୍କ ମୃତ୍ୟୁ ଘଟିଛି । ସେ ମଧୁମେହ ରୋଗରେ ପୀଡିତ ଥିଲେ ।