ଗଞ୍ଜାମ– ଗଞ୍ଜାମ ଜିଲ୍ଲାରେ ଆଜି ରାଜ୍ୟର ସର୍ବାଧିକ ୨୩୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରିପୋର୍ଟ ପଜିଟିଭ୍ ଆସିବା ପରେ ଆକ୍ରାନ୍ତ ମାନଙ୍କୁ କୋଭିଡ଼୍ ହସ୍ପିଟାଲରେ ଭର୍ଭି କରାଯାଇଛି । ଏଥିସହ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୭୬୬ କୁ ବୃଦ୍ଧି ପାଇଛି । ଗତକାଲି ସୁଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ୫୫୨୭ ।
ଅନୁରୂପ ଭାବେ ଜିଲ୍ଲାରେ ପୁଣି ଆଜି ୫ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ନେଇ ସରକାରୀ ସ୍ତରରେ ଘୋଷଣା କରାଯାଇଛି । ମୃତକ ମାନେ ସମସ୍ତେ ପୁରଷ । ସେମାନଙ୍କର ବୟସ ଯଥାକ୍ରମେ ୭୦, ୪୦, ୪୨, ୫୪, ୫୨, । ୭୦ ବର୍ଷିୟ ମୃତକ ପୂର୍ବରୁ ମଧୁମେହ ରୋଗରେ ଆକ୍ରାନ୍ତ ଥିବା ସୂଚନା ମିଳିଛି । ଏହାକୁ ମିଶାଇ ଗଞ୍ଜାମ ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୯କୁ ବୃଦ୍ଧି ପାଇଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ସଂକ୍ରମଣକୁ ଏଡାଇବା ପାଇଁ ପଦକ୍ଷେପ ସ୍ୱରୂପ ଜିଲ୍ଲାରେ ଲକ୍ ଡାଉନ୍ ଜାରୀ ରହିଛି । ପ୍ରଶାସନିକ ନିର୍ଦ୍ଦେଶ ପ୍ରକାରେ ଏହି କଟକଣା ଆସନ୍ତା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବଳବତର ରହିବ ।