ବ୍ରହ୍ମପୁର: ଗତ କିଛିଦିନ ହେବ ଏମ୍କେସିଜିରେ ଡାକ୍ତର, ନର୍ସ, ସଫେଇ କର୍ମଚାରୀ, ସ୍ୱାସ୍ଥ୍ୟ କର୍ମଚାରୀ ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ କରୋନା ସଂକ୍ରମିତ ହୋଇଥିଲେ । ଦିନକୁ ଦିନ ଏମ୍କେସିଜିରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଏମ୍କେସିଜିର ଓପିଡିରେ ରୋଗୀସେବା ବନ୍ଦ କରାଯାଇଥିଲା । ଗୁରୁତର ରୋଗୀଙ୍କୁ ଚିକିତ୍ସା କରାଯାଉଥିବା ବେଳେ ଅନ୍ୟରୋଗ ପାଇଁ ଆସୁଥିବା ସମସ୍ତ ରୋଗୀଙ୍କୁ ଚିକିତ୍ସା କରାଯାଉନଥିଲା । କିନ୍ତୁ ଏବେ ଖୁବଶୀଘ୍ର ରୋଗୀସେବା ମିଳିବ ବୋଲି ଜଣାପଡିଛି । ରବିବାର ଦିନ ଏମ୍କେସିଜି ଅଧିକ୍ଷକ ଓ ଅଧ୍ୟକ୍ଷଙ୍କ ମିଳିତ ପ୍ରଚେଷ୍ଟାରେ ଖୁବ୍ଶୀଘ୍ର ଏମ୍କେସିଜିରେ ରୋଗୀସେବା ଆରମ୍ଭ ହେବାକୁ ଯାଉଛି । ଯେଉଁ ରୋଗୀ ଏମ୍କେସିଜିକୁ ଆସିବେ ସେମାନଙ୍କ ପ୍ରଥମେ ଆଣ୍ଟିଜେନ ପରୀକ୍ଷା କରାଯିବ । ସେଥିରେ ନେଗେଟିଭ ଆସିଲେ ତାଙ୍କୁ ଚିକିତ୍ସା କରାଯିବ ବୋଲି ଏମ୍କେସିଜି ମେଡିକାଲ୍ କଲେଜ ଓ ହସ୍ପିଟାଲ ପକ୍ଷରୁ ପତ୍ର ମାଧ୍ୟମରେ ଏମ୍କେସିଜିର ସମସ୍ତ ବିଭାଗୀୟ ମୁଖ୍ୟଙ୍କୁ ଅବଗତ କରାଯାଇଛି । ଆଣ୍ଟିଜେନ୍ ଟେଷ୍ଟରେ ନେଗେଟିଭ ଆସିଲେ ତାହା କୋଭିଡ୍ ନେଗେଟିଭ ବୋଲି ଜଣାଯିବ ବୋଲି ମଧ୍ୟ ସେଥିରେ ଉଲ୍ଲେଖ ରହିଛି । ଏଥିରେ କୌଣସି ବିଚ୍ୟୁତି ଘଟିଲେ ବା ରୋଗୀସେବାରେ ବ୍ୟାଘାତ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଏଥିରେ ଉଲ୍ଲେଖ ରହିଛି । ଅଧିକ୍ଷକ ଓ ଅଧ୍ୟକ୍ଷଙ୍କ ଚିଠିର ନକଲ ଏମ୍କେସିଜିରେ ସମସ୍ତ ବିଭାଗୀୟ ମୁଖ୍ୟ, ଡିଏମ୍ଇଟି ଓଡ଼ିଶା, ବ୍ରହ୍ମପୁର ମହାନଗର ନିଗମ କମିଶନର, ଜିଲ୍ଲାପାଳ, ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ମଧ୍ୟ ଅବଗତ କରାଯାଇଥିବା ଚିଠିରେ ଉଲ୍ଲେଖ ରହିଛି ।
Related Stories
November 1, 2024