
ବାରିପଦା – ବାରିପଦା ଟାଉନ ଥାନା ପାଶ୍ୱର୍ ପୁରୁଣା ହାଟସାହି ଆରଜି ବସ୍ତ୍ରାଳୟ ନିକଟ ଗଳିରେ ଥିବା ଏକ ଡ୍ରେନ ଭିତରେ ଆଜି ଏକ ଅପରିଚିତ ବ୍ୟକ୍ତି ମରିପଡ଼ିଥିବାର ସ୍ଥାନୀୟ ଜନସାଧାରଣ ଦେଖିବାକୁ ପାଇ ଥାନାକୁ ଖବର ଦେଇଥିଲେ ଏବଂ ପୁଲିସ ଘଟଣାସ୍ଥଳରେ ପହଁଚି ଶବକୁ ଉଦ୍ଧାର କରିବା ପରେ ସ୍ଥାନୀୟ ପିଆରଏମ ମେଡ଼ିକାଲ ଶବ ଗୃହରେ ରଖିଛନ୍ତି । ଏଥି ସହିତ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି । ତେବେ ସନ୍ଧ୍ୟା ସୁଦ୍ଧା ମୃତ ବ୍ୟକ୍ତିର ପରିଚୟ ମିଳିପାରି ନଥିଲା । ତେବେ ମୃତ ବ୍ୟକ୍ତି ଜଣକ ନିଶାସକ୍ତ ଅବସ୍ଥାରେ ଥାଇ ଅସାବଧାନତା କାରଣରୁ ଡ୍ରେନ ଭିତରେ ପଡ଼ିଯାଇଥିଲା ଏବଂ ଡ୍ରେନରେ ବର୍ଷାପାଣି ଭର୍ତି ହୋଇଯିବାରୁ ସେଥିରେ ବୁଡ଼ି ଶ୍ୱାସରୁଦ୍ଧ ଅବସ୍ଥାରେ ମୃତ୍ୟୁ ହୋଇଥିବାର ସନ୍ଦେହ କରାଯାଉଛି । ଏଠାରେ ପ୍ରଶ୍ନ ଉଠୁଛି, ଶନିବାର ଜିଲ୍ଲାରେ ସର୍ଟ ଡ଼ାଉନ ଥିବାରୁ ଅପରିଚିତ ବ୍ୟକ୍ତି ଜଣକ ନିଶାଦ୍ରବ୍ୟ ପାଇଲେ କେଉଁଠାରୁ । ପୁଣି ଗଳି ଭିତରକୁ ଆସିଲେ କିପରି । ଏହି ଭଳି ବିଭିନ୍ନ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ସବୁ କିଛି ସ୍ପଷ୍ଟ ହୋଇଯିବ ବୋଲି ଥାନା ଅଧିକାରୀ ବୀରେନ୍ଦ୍ର କୁମାର ସେନାପତି କହିଛନ୍ତି ।