ଜୟପାଟଣା– ଗରିବ ଘରେ ଜନ୍ମ ନେଲାପରେ ମଧ୍ୟ ନିଜର ଜନ୍ମଗତ ନିଷ୍ଠା ଓ ଦୃଢ଼ ସଂକଳ୍ପ ପରିଚୟ ବୃଦ୍ଧି କରିବାରେ ସହାୟକ ହୋଇଥାଏ । ଏକ ନିଚ୍ଛକ ପଲ୍ଲୀରେ ଜନ୍ମ ନେବା ସହିତ ଦୁଇ ଓଳି ପାଇଁ ଖାଦ୍ୟ ଏକ ସମସ୍ୟା ଭାବରେ ଠିଆ ହୋଇଥିଲେ ବି ଶିଶୁ ଅବସ୍ଥାରୁ ଡ଼ମ୍ବରୁ ସଂକଳ୍ପ ବଦ୍ଧ । ଯେମିତି ହେଲେ ସେ ପାଠ ପଢି ବଡ ମଣିଷ ହେବ । ଶେଷରେ ସିବିଏସସି ବୋର୍ଡ ପରୀକ୍ଷାରେ 86.8 ପ୍ରତିଶତ ନମ୍ବର ରଖି ସମସ୍ତଙ୍କୁ ଚମକାଇ ଦେଇଥିଲା । ଜନ୍ମ ମାଟିରେ ପଞ୍ଚମ ପର୍ଯ୍ୟନ୍ତ ପାଠ ପଢିବା ପରେ ଷଷ୍ଠ ଶ୍ରେଣୀରେ ପାଠ ପଢିବା ପାଇଁ ରେଙ୍ଗଳପାଳି ଯିବାକୁ ପଡିଲା । ଗରିବୀ ଭିତରେ ଲୁଚି ରହିଥିବା ମେଧା ସମସ୍ତ ଶିକ୍ଷକଙ୍କୁ ତା ଆଡକୁ ଟାଣି ଆଣିଥିଲା । ପଛରେ ରହିଲା ଗୁରୁ ମାନଙ୍କର ଆଶୀର୍ବାଦ ଓ ମା ବାପାଙ୍କ ଉଚ୍ଚ ଅଭିଳାଷ । କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଉଛୁଳା ପଂଚାୟତର ପାଣ୍ଡ୍ରି ପଖାନ ଗ୍ରାମରେ ହରିଜନ ପରିବାରରେ ଡମ୍ବରୁ ଧର କଣ୍ଟାର ଜନ୍ମ । ଅଭାବ ଅନାଟନ ମଧ୍ୟରେ ବାପା ଚକ୍ରଧର ଓ ମା ପଦ୍ମାବତୀ ସବୁବେଳେ ଜୀବନ ଜିଇଁବାର ସଂଘର୍ଷ ଭିତରେ ପଡି ରହିଥାନ୍ତି । ବାପା ଭିନ୍ନକ୍ଷମ ହେଲେବି ଦୁଇ ପୁଅ ଓ ଦୁଇ ଝିଅ ପାଇଁ ଏକ ସିଲେଇ ମେସିନରେ ଜୀବିକା ସାଉଁଟି ଥାନ୍ତି । ପୁଅକୁ ସପ୍ତମ ଶ୍ରେଣୀ ବେଳକୁ ଜୟପାଟଣା ଆଦର୍ଶ ବିଦ୍ୟାଳୟରେ ସ୍ଥାନ ମିଳିବା ପରେ ବାପାଙ୍କ ଚିନ୍ତା ଆହୁରି ବଢ଼ି ଗଲା । ସବୁଦିନ 22 କିମି ସାଇକେଲରେ ଆସି ସ୍କୁଲରେ ଛାଡିବାକୁ ପଡିଲା । ଛୁଟି ହେଲେ ପୁଣି ସେହି 22 କିମିର ଯାତ୍ରା । ନବମ ଶ୍ରେଣୀ ବେଳକୁ ଡମ୍ବରୁ ସ୍ୱାବଲମ୍ବୀ ହୋଇ ସାରିଥିଲା । ପ୍ରତିଦିନ ସାଇକେଲରେ ଆସି ସ୍କୁଲରେ ପାଠ ପଢିଲା । ଘରକୁ ଫେରିଲା ବେଳକୁ ଆଉ ଶକ୍ତି ନ ଥିଲା । ଡମ୍ବରୁର ପ୍ରତିଭାକୁ ପରଖି ସାରିଥିବା ଗୁରୁଜୀ ମାନେ ତାକୁ ଉତ୍ସାହ ପ୍ରଦାନ କରୁଥିଲେ । ଅଧ୍ୟୟନ ପାଇଁ କୌଣସି ଟ୍ୟୁସନ କିମ୍ବା କୋଚିଂ ଯାଇ ନ ଥିବା ଡମ୍ବରୁକୁ ଦଶମ ସିବିଏସସି ପରୀକ୍ଷାରେ 86.8 ପ୍ରତିଶତ ମାର୍କ ମିଳି ଆଦର୍ଶ ବିଦ୍ୟାଳୟର ଉଦାହରଣ ପାଲଟି ଗଲା । ଘରେ ପରିବାର ଲୋକ ଓ ଗାଁ ସମୂହ ସମର୍ପିତ ହୋଇଗଲେ । କିନ୍ତୁ ଏସବୁ ସତ୍ୱେ ଏଵେ ଉଚ୍ଚ ଶିକ୍ଷା ପାଇଁ ବାଟ ଓଗାଳୁଛି ପରିବାରର ଆର୍ଥିକ ଶୂନ୍ୟତା । ଆମ ଜୟପାଟଣା ପ୍ରତିନିଧି ଘରେ ପହଁଚି ପରିବାର ଲୋକଙ୍କ ସାଙ୍ଗରେ ଡମ୍ବରୁର ଏକ ସାକ୍ଷାତକାର ନେଲାବେଳକୁ ସମସ୍ତେ ଭାବ ବିହ୍ଵଳ ହୋଇ ଉଠିଥିଲେ । ପୁଅର ସମସ୍ତ ପ୍ରକାର ଦକ୍ଷତା ଥାଇ ମଧ୍ୟ ଉଚ୍ଚ ଶିକ୍ଷା ସଂକଳ୍ପ ସ୍ୱପ୍ନରେ ରହିଯିବନିତ ବୋଲି ପ୍ରଶ୍ନ କରିଥିଲେ । ଦେଖାଯାଉ ନିଜକୁ ଜଣେ ଡାକ୍ତର ଭାବରେ ଗଢି ତୋଳିବାର ସ୍ବପ୍ନ ଦେଖୁଥିବା ଗରିବ ବାଳକ କେତେଦୂର ଜୀବନ ଯୁଦ୍ଧରେ ସଂକଳ୍ପକୁ ସାକାର କରୁଛି ତାହା ଏଵେ ଦେଖିବାର ବେଳ ଆସିଛି । ଜୟପାଟଣା ଆଦର୍ଶ ବିଦ୍ୟାଳୟର ଶିକ୍ଷକ ମାନେ ଡମ୍ବରୁ ଏ ଯୁଗର ଏକଲବ୍ୟ ବୋଲି ପ୍ରକାଶ କରନ୍ତି ।