ନୂଆଦିଲ୍ଲୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ଉତରାଖଣ୍ଡର ମୁଖ୍ୟମନ୍ତ୍ରୀ ତି୍ରବେନ୍ଦ୍ରମ ସିଂ ରାୱତଙ୍କ ସହ ଟେଲିଫୋନ୍ ଯୋଗେ କଥାବାର୍ତା ହୋଇଛନ୍ତି । ସେ ରାଜ୍ୟରେ କରୋନା ପଜେଟିଭ୍ ହୋଇଥିବା ସେନାର ଯବାନମାନଙ୍କ ସମ୍ପର୍କରେ ପଚାରି ବୁଝିଛନ୍ତି । ପ୍ରଧାନମନ୍ତ୍ରୀ କରୋନା ଆକ୍ରାନ୍ତ ସୈନିକମାନଙ୍କର ଆରୋଗ୍ୟ କାମନା କରିବା ସହ ରାଜ୍ୟ ସରକାର ଓ ସେନାର ଅଧିକାରୀ ପରସ୍ପର ସମନ୍ୱୟ ରଖି ସେମାନଙ୍କର ଉଚିତ୍ ଚିକିତ୍ସା ବ୍ୟବସ୍ଥାକୁ ନିଶ୍ଚିତ କରିବାକୁ କହିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ରାୱତ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି ଯେ, ରାଜ୍ୟ ସରକାର ସେନା ସହିତ ଲଗାତାର ଯୋଗାଯୋଗରେ ଅଛନ୍ତି ଓ ପ୍ରତ୍ୟେକ ଆବଶ୍ୟକୀୟ ସୁବିଧା ଯୋଗାଇ ଦେଉଛନ୍ତି । ମୁଖ୍ୟମନ୍ତ୍ରୀ ରାଜ୍ୟରେ କରୋନାର ବର୍ତମାନ ସ୍ଥିତି ସମ୍ପର୍କରେ ମଧ୍ୟ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ରାଜ୍ୟରେ କରୋନା ପଜେଟିଭ୍ ସଂଖ୍ୟାରେ ବୃଦ୍ଧି ହୋଇଛି । ହେଲେ ସ୍ଥିତି ନିୟନ୍ତ୍ରଣରେ ଅଛି । ରାଜ୍ୟରେ ସର୍ଭିଲାନ୍ସ ସାମ୍ପଲିଂ ଲଗାତାର ଭାବେ କରାଯାଉଛି । ଆଇସିୟୁ, ଭେଂଟିଲେଟର ଓ ଅକ୍ସିଜେନ ସହାୟତାର ସୁବିଧା ମଧ୍ୟ ବଢ଼ିଛି ।
ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ବର୍ଷାକୁ ଆଖିଆଗରେ ରଖି ରାଜ୍ୟ ସରକାର ବିପର୍ଯ୍ୟୟ ପରିଚାଳନା ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଅନ୍ତୁ । କେନ୍ଦ୍ର ସରକାର ଆବଶ୍ୟକତା ଅନୁସାରେ ସବୁ ପ୍ରକାର ସହଯୋଗ ପ୍ରଦାନ କରିବ ।